ନୂଆଦିଲ୍ଲୀ: ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ବେଙ୍ଗାଲୁରୁ ଟେଷ୍ଟରେ ନ୍ୟୁଜିଲାଣ୍ଡ ହାତରୁ ୮ ୱିକେଟରେ ପରାଜିତ ହୋଇଛି । ଏଥିସହ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ୦-୧ରେ ପଛୁଆ ରହିଛି । ଏହି ପରିଣାମ ପରେ ଭାରତର ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ ଫାଇନାଲରେ ପହଞ୍ଚିବାର ଗଣିତ ବିଗିଡି ଯାଇଛି । ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ପୂର୍ବରୁ ଭାରତର ବିଜୟ ପ୍ରତିଶତ ୭୪.୨୪ ରହିଥିଲା । କିନ୍ତୁ ପରାଜୟ ପରେ ବିଜୟ ପ୍ରତିଶତ ହ୍ରାସ ପାଇ ୬୮.୦୬ ପ୍ରତିଶତ ରହିଛି । ତଥାପି ଭାରତୀୟ ଦଳ ଏବେ ବି ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ରହିଛି । କିନ୍ତୁ ଫାଇନାଲରେ ପହଞ୍ଚିବାର ସମୀକରଣ ବଦଳି ଯାଇଛି ।
ଭାରତକୁ ଡବ୍ଲ୍ୟୁଟିସିର ଏହି ଚକ୍ରରେ ଆଉ ୭ ମ୍ୟାଚ୍ ଖେଳିବା ବାକି ରହିଛି । ଏଥିରେ ଦୁଇଟି ମ୍ୟାଚ୍ ନ୍ୟୁଜିଲାଣ୍ଡ ବିପକ୍ଷରେ ଏବଂ ୫ଟି ମ୍ୟାଚ୍ ଅଷ୍ଟ୍ରେଲିଆ ବିପକ୍ଷରେ ରହିଛି । ଯଦି ଭାରତକୁ ଡବ୍ଲ୍ୟୁଟିସି ପାଇଁ ଯୋଗ୍ୟତା ଅର୍ଜନ କରିବାର ଅଛି ତେବେ ୭ଟିରୁ ୫ଟି ମ୍ୟାଚ୍ ଜିତିବାକୁ ପଡିବ । ଯଦି ଭାରତୀୟ ଦଳ ଏମିତି କରିବାରେ ସଫଳ ହୁଏ ତେବେ ଦଳର ବିଜୟ ପ୍ରତିଶତ ୬୮.୪୨ ରହିବ ।
ଯଦି ଗତ ଦୁଇଟି ଡବ୍ଲ୍ୟୁଟିସି ଚକ୍ର ଉପରେ ନଜର ପକାଇବା ତେବେ ୨୦୨୧ରେ ଭାରତ ୭୦.୫୮ ପ୍ରତିଶତ ଅଙ୍କ ଏବଂ ୨୦୨୩ରେ ଅଷ୍ଟ୍ରେଲିଆ ୬୬.୭ ପ୍ରତିଶତ ଅଙ୍କ ସହିତ ପ୍ରଥମ ସ୍ଥାନରେ ରହି କ୍ୱାଲିଫାଏ କରିଥିଲା । ଏହି ଦୁଇଟି ସିଜିନରେ ନ୍ୟୁଜିଲାଣ୍ଡ ଓ ଭାରତ କ୍ରମଶଃ ୬୩.୬୩ ଓ ୫୮.୮ ପ୍ରତିଶତ ସହିତ ଫାଇନାଲରେ ପ୍ରବେଶ କରିଥିଲା ।
ଏମିତିରେ ଭାରତ ନିକଟରେ ଫାଇନାଲ୍ କ୍ୱାଲିଫାଇ ପାଇଁ ୬୮.୪୨ ପ୍ରତିଶତ ପର୍ଯ୍ୟାପ୍ତ ଅଟେ । ଯଦି ଅବଶିଷ୍ଟ ୭ଟି ମ୍ୟାଚରେ ଭାରତ ୪ଟି ଜିତି ଦୁଇଟି ମୁକାବିଲା ଡ୍ର ରଖିବାରେ ସଫଳ ହୁଏ ତେବେ ବି ଦଳର ଫାଇନାଲରେ ପ୍ରବେଶ କରିବାର ସୁଯୋଗ ରହିବ । ଏହି ସ୍ଥିତିରେ ଭାରତୀୟ ଦଳ ଖାତାରେ ୬୬.୬୭ ପ୍ରତିଶତ ଅଙ୍କ ରହିବ । ଯଦି ଭାରତ ୭ଟି ମ୍ୟାଚରୁ ଦୁଇରୁ ଅଧିକ ହାରେ ତେବେ ଅନ୍ୟ ଦଳର ମ୍ୟାଚ୍ ଫଳାଫଳ ଉପରେ ନିର୍ଭର ରହିବାକୁ ପଡିବ ।