ବେଙ୍ଗାଲୁରୁ: ବେଙ୍ଗାଲୁରୁ ଟେଷ୍ଟର ପ୍ରଥମ ଦିନର ଖେଳ ବର୍ଷାରେ ସଂପୂର୍ଣ୍ଣ ଧୋଇଯିବା ପରେ ଦ୍ୱିତୀୟ ଦିନରେ ଭାରତୀୟ ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି । ଆଉ ଅଧିନାୟକ ରୋହିତ ଶର୍ମାଙ୍କ ଏହି ନିଷ୍ପତ୍ତି ବୁମେରାଂ ପାଲଟିଛି । ଦଳ ବ୍ୟାଟିଂ ବିପର୍ଯ୍ୟୟ ଭୋଗି ମଧ୍ୟାହ୍ନ ଭୋଜନ ସୁଦ୍ଧା ମାତ୍ର ୩୪ ରନରେ ୬ ୱିକେଟ୍ ହରାଇ ସଙ୍କଟଜନକ ସ୍ଥିତିରେ ପଡିଛି । ୫୫ ବର୍ଷ ପରେ ଭାରତ ଘରୋଇ ମାଟିରେ ଟେଷ୍ଟ ମ୍ୟାଚରେ ଏହି ଦଶା ଭୋଗିଛି ।
ଶେଷ ଥର ଭାରତ ୧୯୬୯ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୬ ୱିକେଟ୍ ହରାଇ ୨୭ ରନ କରିଥିଲା । ଏବେ ପୁଣି ସେହି ନ୍ୟୁଜିଲାଣ୍ଡ ବିପକ୍ଷରେ ଦଳର ସ୍ଥିତି ଏମିତି ହୋଇଛି । ଭାରତୀୟ ଦଳ ଏବେ ୫୦ ରନ ଭିତରେ ଅଲଆଉଟ୍ ହେବାର ଆଶଙ୍କା ଦେଖା ଦେଇଛି । ଏପରିକି ଭାରତର ୪ ବ୍ୟାଟର ଖାତା ବି ଖୋଲି ପାରି ନାହାନ୍ତି । ଏଥିରେ ବିରାଟ କୋହଲି, ସରଫରାଜ ଖାନ, କେଏଲ ରାହୁଲ ଓ ରବୀନ୍ଦ୍ର ଜାଡେଜା ସାମିଲ । ଅଧିନାୟକ ରୋହିତ ଶର୍ମା ୨ ରନ ଓ ଯଶସ୍ୱୀ ଜୟସ୍ୱାଲ ୧୩ ରନ କରି ଆଉଟ୍ ହୋଇଛନ୍ତି । ଋଷଭ ପନ୍ତ ୧୫ ରନ କରି କ୍ରିଜରେ ଅଛନ୍ତି । ସେ ବହୁତ ବଡ ଜୀବନଦାନ ମଧ୍ୟ ପାଇଛନ୍ତି । ଏବେ ସବୁ ଆଶା ଭରସା ତାଙ୍କ ଉପରେ ରହିଛି ।
ନ୍ୟୁଜିଲାଣ୍ଡ ଦଳ ତିନି ଦ୍ରୁତ ବୋଲର ସହ ମଇଦାନକୁ ଓହ୍ଲାଇଥିଲା । ଆଉ ପ୍ରଥମ ସେସନରେ ବୋଲରଙ୍କୁ ବେଶ ଫାଇଦା ମିଳିଛି । ନ୍ୟୁଜିଲାଣ୍ଡ ବୋଲରଙ୍କୁ ପାଣିପାଗର ଭରପୂର ଫାଇଦା ଉଠାଇଛନ୍ତି । ଓରାଉକି ୩ ୱିକେଟ୍ ନେଇଥିବା ବେଳେ ମ୍ୟାଟ ହେନରୀ ୨ ଓ ଟିମ୍ ସାଉଦିଙ୍କୁ ଗୋଟିଏ ୱିକେଟ୍ ମିଳିଛି ।