ନୂଆଦିଲ୍ଲୀ: ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ବୁଧବାର ପାକିସ୍ତାନରେ ଏସସିଓ ଶିଖର ସମ୍ମିଳନୀରେ ଯୋଗ ଦେଇଥିଲେ। ଏସ ଜୟଶଙ୍କର ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଏବଂ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସହାକ ଡାରଙ୍କ ସହ କଥା ହୋଇଛନ୍ତି।
ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ଦ୍ୱାରା ଆୟୋଜିତ ରାତ୍ରୀ ଭୋଜନରେ ଜୟଶଙ୍କର ଏବଂ ଇଶାକ ଡାର ସଂକ୍ଷିପ୍ତ କଥାବାର୍ତ୍ତା କରିଥିଲେ। ରାତ୍ରୀ ଭୋଜନ ସମୟରେ ପାଖାପାଖି ୫ରୁ ୭ ମିନିଟ୍ ଧରି ଚାଲିଥିବା କଥାବାର୍ତ୍ତା ସମୟରେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ କ୍ରିକେଟ୍ ଶୃଙ୍ଖଳା ପୁଣି ଥରେ ଆରମ୍ଭ ହେବା ନେଇ ଆଲୋଚନା ହୋଇଥିଲା।
ଏହି କଥାବାର୍ତ୍ତାରେ ପାକିସ୍ତାନର ଆଭ୍ୟନ୍ତରୀଣ ମନ୍ତ୍ରୀ ସୟଦ ମୋହସିନ ରଜା ନକଭି ମଧ୍ୟ ସାମିଲ ଥିଲେ। ବର୍ତ୍ତମାନ ସେ ପାକିସ୍ତାନ କ୍ରିକେଟ୍ ବୋର୍ଡର ଅଧ୍ୟକ୍ଷ ଅଛନ୍ତି। ଜିଓ ନ୍ୟୁଜ୍ ଅନୁଯାୟୀ, କ୍ରିକେଟ୍ ପୁନରୁଦ୍ଧାର ନେଇ ଆଲୋଚନା ଆରମ୍ଭ କରିବାକୁ ଭାରତ ରାଜି ହୋଇଛି। ତେବେ ଏ ନେଇ ବିସିସିଆଇ କିମ୍ବା ପିସିବି ପକ୍ଷରୁ କୌଣସି ଆନୁଷ୍ଠାନିକ ବୟାନ ଦିଆଯାଇନାହିଁ।
ଭାରତ ଓ ପାକିସ୍ତାନ ଶେଷ ଥର ପାଇଁ ୨୦୧୨-୧୩ରେ ଦ୍ୱିପାକ୍ଷିକ ଶୃଙ୍ଖଳା ଖେଳିଥିଲେ। ସେବେଠାରୁ ଉଭୟ ଦେଶ କେବଳ ଆଇସିସି ଇଭେଣ୍ଟ ଏବଂ ଏସିଆ କପ୍ ରେ ପରସ୍ପର ବିପକ୍ଷରେ ଖେଳିଛନ୍ତି।
ଭାରତ ସ୍ପଷ୍ଟ ଭାବେ କହିଛି ଯେ ପାକିସ୍ତାନ ଆତଙ୍କବାଦକୁ ନିୟନ୍ତ୍ରଣ ନ କରିବା ପର୍ଯ୍ୟନ୍ତ ଦୁଇ ଦେଶ ମଧ୍ୟରେ କୌଣସି କ୍ରିକେଟ୍ ଆରମ୍ଭ ହୋଇପାରିବ ନାହିଁ। ବିସିସିଆଇର ପୂର୍ବତନ ସଭାପତି ଅନୁରାଗ ଠାକୁର କହିଛନ୍ତି, ବିସିସିଆଇ ବହୁ ପୂର୍ବରୁ ନିଷ୍ପତ୍ତି ନେଇଥିଲା ଯେ ପାକିସ୍ତାନ ଆତଙ୍କବାଦ ବନ୍ଦ ନକରିବା ପର୍ଯ୍ୟନ୍ତ ସେମାନେ ସେମାନଙ୍କ ସହ କୌଣସି ଦ୍ୱିପାକ୍ଷିକ ମ୍ୟାଚ୍ ଖେଳିବେ ନାହିଁ। ପାକିସ୍ତାନ ସୀମାପାର ଆକ୍ରମଣ କିମ୍ବା ଅନୁପ୍ରବେଶ ବନ୍ଦ ନକଲେ ଆମେ ସେମାନଙ୍କ ସହ କ୍ରିକେଟ୍ ସମ୍ପର୍କ ପୁନରୁଦ୍ଧାର କରିବୁ ନାହିଁ।
କିଛି ଦିନ ତଳେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଉପାଧ୍ୟକ୍ଷ ରାଜୀବ ଶୁକ୍ଳା କହିଥିଲେ ଯେ ଟିମ୍ ଇଣ୍ଡିଆ ପାକିସ୍ତାନ ଯିବ କି ନାହିଁ ତାହା ସମ୍ପୂର୍ଣ୍ଣ ଭାବେ ଭାରତ ସରକାରଙ୍କ ହାତରେ ରହିଛି। ସୂଚନାଯୋଗ୍ୟ, ବିସିସିଆଇ ଚାମ୍ପିୟନ୍ସ ଟ୍ରଫି ୨୦୨୫କୁ ଭାରତ ବିପକ୍ଷରେ ନିରପେକ୍ଷ ଭେନ୍ୟୁରେ ଆୟୋଜନ କରିବାକୁ ଦାବି କରୁଛି। ତେବେ ପାକିସ୍ତାନ କ୍ରିକେଟ୍ ବୋର୍ଡ ଚାହୁଁଛି ଯେ ଭାରତୀୟ ଦଳ ତା'ର ସମସ୍ତ ମ୍ୟାଚ୍ ପାକିସ୍ତାନରେ ଖେଳିବ।
ଅଧିକ ପଢ଼ନ୍ତୁ: ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ଭାରତ