ବେଙ୍ଗାଲୁରୁ:ଆସନ୍ତାକାଲି ବେଙ୍ଗାଲୁରୁର ଏନ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯିବ ଭାରତ ବନାମ ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ । ତେବେ ବେଙ୍ଗାଲୁରୁରେ ଭୀଷଣ ବର୍ଷା ଜାରି ରହିଛି। ଅନେକ ଅଞ୍ଚଳ ପାଣି ଘେରରେ ରହିଥିବା ବେଳେ ପରିସ୍ଥିତିକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ପ୍ରବଳ ବର୍ଷା କାରଣରୁ ବୁଧବାର ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏମିତି ସ୍ଥିତିରେ ଆସନ୍ତାକାଲି ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟ ମ୍ୟାଚ୍ ଆରମ୍ଭ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି ।
ମଙ୍ଗଳବାର ପ୍ରବଳ ବର୍ଷା କାରଣରୁ ସହରର ସ୍ଥିତି ବେହାଲ ହୋଇ ପଡିଛି । ଫଳରେ ବେଙ୍ଗାଲୁରୁର ଚିନ୍ନାସ୍ଵାମୀ ଷ୍ଟାଡିୟମରେ ଭାରତୀୟ ଦଳର ଖେଳାଳି ଅଭ୍ୟାସ୍ କରି ପାରି ନାହାନ୍ତି। ପାଣିପାଗକୁ ଦେଖିଲେ ଆସନ୍ତାକାଲି ପ୍ରଥମ ଦିନର ଖେଳ ରଦ୍ଦ ହେବାର ସମ୍ଭାବନା ଅଧିକ ରହିଛି। ପୂରା ଦିନ ଆକାଶରେ ବାଦଲ ଛାଇ ରହିବ। ମଙ୍ଗଳବାର ବିଳମ୍ବିତ ରାତି ଓ ବୁଧବାର ସକାଳେ ମଧ୍ୟ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।
ତେବେ ବୁଧବାର ଅପରାହ୍ଣ ୨ଟା ୩୦ରେ ବର୍ଷା ଛାଡ଼ିଲେ ମଧ୍ୟ ପୁଣି ୪ଟାରୁ ବର୍ଷା ହେବାର ସମ୍ଭାବନା ରହିଛି। ପ୍ରଥମ ଟେଷ୍ଟ ମ୍ୟାଚ୍ର ୫ ଦିନ ବର୍ଷା ହେବାର ସମ୍ଭାବନା ୬୦ ପ୍ରତିଶତରୁ ଅଧିକ ରହିଛି। ତେଣୁ ମ୍ୟାଚ୍ ବାତିଲ ହେବାର ସମ୍ଭାବନା ରହିଛି ।
ବର୍ଷା ଲାଗି ରହିଲେ ଡ଼ିଆ କର୍ମଚାରୀଙ୍କୁ ପଡ଼ିଆ ସୁଖାଇବା ମୁସ୍କିଲ ହୋଇପାରେ। ଉଲ୍ଲେଖନୀୟ ଏହା ପୂର୍ବରୁ ଭାରତ-ବାଂଲାଦେଶ କାନପୁର ଟେଷ୍ଟରେ ବର୍ଷା ବାଧକ ସାଜିଥିଲେ ମଧ୍ୟ ଭାରତ ଟି-୨୦ ଶୈଳୀରେ ଖେଳି ଦୁଇ ଦିନରେ ମ୍ୟାଚ୍ ସମାପ୍ତ କରିଥିଲା। ତେବେ ବେଙ୍ଗାଲୁରୁରେ କେତେ ଦିନ ଖେଳ ହୋଇ ପାରୁଛି ତାହା ପାଣିପାଗ ଉପରେ ନିର୍ଭର କରେ ।