ବେଙ୍ଗାଲୁରୁ: ବେଙ୍ଗାଲୁରୁ ଟେଷ୍ଟର ପ୍ରଥମ ଦିନର ଖେଳ ବର୍ଷାରେ ସଂପୂର୍ଣ୍ଣ ଧୋଇଯିବା ପରେ ଦ୍ୱିତୀୟ ଦିନରେ ଭାରତୀୟ ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି । ଆଉ ଅଧିନାୟକ ରୋହିତ ଶର୍ମାଙ୍କ ଏହି ନିଷ୍ପତ୍ତି ବୁମେରାଂ ପାଲଟିଛି । ଦଳ ବ୍ୟାଟିଂ ବିପର୍ଯ୍ୟୟ ଭୋଗି ଚା ପାନ ବିରତି ପୂର୍ବରୁ ୪୬ ରନରେ ଅଲଆଉଟ୍ ହୋଇଛି । ଘରୋଇ ମାଟିରେ ଟେଷ୍ଟରେ ଭାରତର ଏହା ହେଉଛି ସର୍ବନିମ୍ନ ସ୍କୋର । ଭାରତ ଏମିତି ଦୟନୀୟ ପ୍ରଦର୍ଶନ କରିଛି ଯେ, ୫ ବ୍ୟାଟର ଖାତା ବି ଖୋଲି ପାରି ନାହାନ୍ତି । ଋଷଭ ପନ୍ତ ୨୦ ରନ ସର୍ବାଧିକ ସ୍କୋର କରିଛନ୍ତି । ଯଶସ୍ୱୀ ଜୟସ୍ୱାଲ ୧୩ ରନ କରିଛନ୍ତି । ନ୍ୟୁଜିଲାଣ୍ଡର ମ୍ୟାଟ୍ ହେନରୀ ୫ ୱିକେଟ୍ ନେଇଥିବା ବେଳେ ୱିଲିୟମ ଓରାଉକି ୪ ୱିକେଟ୍ ।
ଭାରତୀୟ ଟେଷ୍ଟ ଇତିହାସରେ ଭାରତ ଆଜି ତୃତୀୟ ସର୍ବନିମ୍ନ ୪୬ ରନ କରିଛି । ଏହା ପୂର୍ବରୁ ୨୦୨୦ରେ ଅଷ୍ଟ୍ରେଲିଆ ମାଟିରେ ଭାରତ ୩୬ ରନରେ ଅଲଆଉଟ୍ ହୋଇଥିଲା । ୧୯୭୪ ମସିହାରେ ଇଂଲଣ୍ଡରେ ଭାରତ ୪୨ ରନରେ ଅଲଆଉଟ୍ ହୋଇଥିଲା । ତେବେ ଘରୋଇ ମାଟିରେ ଭାରତର ସର୍ବନିମ୍ନ ସ୍କୋର ଏହା ପୂର୍ବରୁ ୭୫ ରହିଥିଲା । କିନ୍ତୁ ଭାରତ ବେଙ୍ଗାଲୁରୁ ଟେଷ୍ଟରେ ଏମିତି ପ୍ରଦର୍ଶନ କରି ୪୬ ରନରେ ଅଲଆଉଟ୍ ହେବା ସହ ରୋହିତ ବାହିନୀ ନାଁରେ ଏକ ଅଲୋଡା ରେକର୍ଡ ହୋଇ ଯାଇଛି ।
ମ୍ୟାଚର ଦ୍ୱିତୀୟ ଦିନରେ ଭାରତ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପାଗ ମେଘୁଆ ରହିବା ଏବଂ ପିଚ୍ ଦ୍ରୁତ ବୋଲରଙ୍କୁ ସୁହାଇଥିଲା । ଆଉ ଏହାର ଭରପୁର ଫାଇଦା ଉଠାଇଥିଲା ଭ୍ରମଣକାରୀ ନ୍ୟୁଜିଲାଣ୍ଡ ବୋଲର । ଦଳ ତିନି ଦ୍ରୁତ ବୋଲର ସହ ପଡିଆକୁ ଓହ୍ଲାଇଥିଲା । ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେବା ଅଧିନାୟକ ରୋହିତ ଶର୍ମାଙ୍କ ଏହି ନିଷ୍ପତ୍ତି ବୁମେରାଂ ପାଲଟିଛି । ଦଳ ବ୍ୟାଟିଂ ବିପର୍ଯ୍ୟୟ ଭୋଗି ମଧ୍ୟାହ୍ନ ଭୋଜନ ସୁଦ୍ଧା ମାତ୍ର ୩୪ ରନରେ ୬ ୱିକେଟ୍ ହରାଇ ସଙ୍କଟଜନକ ସ୍ଥିତିରେ ପଡିଥିଲା । ସେଥିରେ ଆଉ ୧୨ ରନ ଯୋଡି ଭାରତ ଅବଶିଷ୍ଟ ୪ ୱିକେଟ୍ ୪୬ ରନରେ ଅଲଆଉଟ୍ ହୋଇଛି ।
ଦଳର ୫ ବ୍ୟାରଟ ବିରାଟ କୋହଲି, ସରଫରାଜ ଖାନ, କେଏଲ ରାହୁଲ ଓ ରବୀନ୍ଦ୍ର ଜାଡେଜ, ରବିଚନ୍ଦ୍ରନ ଅଶ୍ୱିନ ଖାତା ବି ଖୋଲି ପାରି ନାହାନ୍ତି । ଅଧିନାୟକ ରୋହିତ ଶର୍ମା ୨ ରନ ଓ ଯଶସ୍ୱୀ ଜୟସ୍ୱାଲ ୧୩ ରନ କରି ଆଉଟ୍ ହୋଇଛନ୍ତି । ଋଷଭ ପନ୍ତ ୨୦୫ ରନ କରି ଆଉଟ୍ ହୋଇଛନ୍ତି । ଶେଷ ଆଡକୁ କୁଲଦୀପ ଯାଦବ ୨ ରନ, ବୁମରା ଏକ ରନ କରି ପାଭିଲିୟନ ଫେରିଥିବା ବେଳେ ମହମ୍ମଦ ସିରାଜ ୪ ରନ କରି ଅପରାଜିତ ଥିଲେ ।