ନୂଆଦିଲ୍ଲୀ: ମହିଳା ଟି-୨୦ ବିଶ୍ୱକପ୍ ୨୦୨୪ରେ ସେମି ଫାଇନାଲର ସମୀକରଣ ରୋଚକ ହେବାରେ ଲାଗିଛି । ଦୁଇ ଗ୍ରୁପରୁ କେବଳ ଏକ ମାତ୍ର ଦଳ ଭାବେ ଅଷ୍ଟ୍ରେଲିଆ ସେମିକୁ ପ୍ରବେଶ କରି ସାରିଛି । ଏ ଗ୍ରୁପରୁ ଅଷ୍ଟ୍ରେଲିଆ ସେମି ଉନ୍ନୀତ ହୋଇ ସାରିଥିବା ବେଳେ ଭାରତ, ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରୁ ଦ୍ୱିତୀୟ ଦଳ ଭାବେ କିଏ ସେମିକୁ ଯିବ ତାର ଫଇସଲା ଆଜି ହେବ ।
ଶ୍ରୀଲଙ୍କା ଦଳ ପ୍ରଥମରୁ ହିଁ ସେମି ଦୌଡରୁ ବାଦ୍ ପଡି ସାରିଛି । ଏ ଗ୍ରୁପରୁ ଦ୍ୱିତୀୟ ଦଳ ଭାବେ ଭାରତ, ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ କଡା ଟକ୍କର ହେଉଛି । ଭାରତ ଗତକାଲି ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲେ ଦଳର ସେମି ଆଶା ଉଜ୍ଜ୍ୱଳ ରହିଥାନ୍ତା । କିନ୍ତୁ କଙ୍ଗାରୁ ଦଳଠୁ ମ୍ୟାଚ ହାରିବା ହରମନପ୍ରୀତ କୌରଙ୍କ ଦଳ ପାଇଁ ମହଙ୍ଗା ପଡିବାକୁ ଯାଉଛି ।
ଆଜି ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଏ ଗ୍ରୁପରୁ ଲିଗ ପର୍ଯ୍ୟାୟର ଶେଷ ମ୍ୟାଚ୍ ଖେଳାଯିବ । ମ୍ୟାଚର ଫଳାଫଳରୁ ସ୍ପଷ୍ଟ ହୋଇଯିବ ଯେ, ଅଷ୍ଟ୍ରେଲିଆ ପରେ ଏହି ଗ୍ରୁପରୁ ଦ୍ୱିତୀୟ ଦଳ ଭାବେ କିଏ ସେମିରେ ପ୍ରବେଶ କରିବ । ପାକିସ୍ତାନ ବିଜୟ ଉପରେ ଭାରତର ସେମି ଆଶା ଉଜ୍ଜିବୀତ ରହିଛି । ପାକିସ୍ତାନ ହାରିଲେ ଭାରତ ବିଶ୍ୱକପରୁ ବିଦାୟ ନେବ ।
ଏମିତି ରହିଛି ସମୀକରଣ
ଅଷ୍ଟ୍ରେଲିଆ ଗ୍ରୁପ ଏରେ ନିଜର ସମସ୍ତ ୪ ମ୍ୟାଚ୍ ଜିତି ସେମି ଫାଇନାଲ୍ରେ ନିଜର ସ୍ଥାନ ସୁନିଶ୍ଚିତ କରି ସାରିଛି । ଦ୍ଵିତୀୟ ସ୍ଥାନ ପାଇଁ ଭାରତ, ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ କଡ଼ା ଟକ୍କର ଚାଲିଛି। ପାକିସ୍ତାନର ନେଟ୍ ରନ ରେଟ୍ ମାଇନସ ଥିବାରୁ ଏହାର ସେମିକୁ ଯିବା ଆଶା ସମ୍ଭାବନା କମ। ଭାରତ ଓ ନ୍ୟୁଜିଲାଣ୍ଡ ଉଭୟ ୪ ପଏଣ୍ଟ ପାଇଥିଲେ ହେଁ ଉନ୍ନତ ରନ ରେଟ୍ ଆଧାରରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି ।
ଭାରତର ନେଟ୍ ରନ ରେଟ୍ +୦.୩୨୨ ରହିଥିବା ବେଳେ ନ୍ୟୁଜିଲାଣ୍ଡର ନେଟ୍ ରନ ରେଟ୍ +୦.୨୮୨ ରହିଛି। ଗ୍ରୁପ ଏରେ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ମଧ୍ୟରେ ଖେଳା ଯିବାକୁ ଥିବା ଶେଷ ଲିଗ୍ ମ୍ୟାଚ୍ରେ ଯଦି ପାକିସ୍ତାନ ଜିତିଯାଏ ତେବେ ଭାରତ ସେମିରେ ପହଞ୍ଚିବ। ନ୍ୟୁଜିଲାଣ୍ଡ ଜିତିଲେ ଭାରତ ବିଶ୍ଵକପରୁ ବିଦା ହେବ। କହିବାକୁ ଗଲେ ପାକିସ୍ତାନ ହିଁ ଭାରତ ପାଇଁ ଏବେ ସାହା ଭରସା ।