ବେଙ୍ଗାଲୁରୁ: ବର୍ଷା ସାଜିଲା ବାଧକ। ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବେଙ୍ଗାଲୁରୁର ଏମ ଚିନ୍ନାସ୍ଵାମୀ ଷ୍ଟାଡିୟମରେ ଖେଳାଯିବାକୁ ଥିବା ପ୍ରଥମ ଟେଷ୍ଟରେ ପ୍ରଥମ ଦିନର ଖେଳ ବର୍ଷାରେ ସଂପୂର୍ଣ୍ଣ ଭାବେ ଧୋଇ ହୋଇ ଯାଇଛି। ଏପରିକି ମୁକାବିଲାରେ ଟସ୍ ବି ପଡ଼ି ପାରିନି। ତେଣୁ ଗୁରୁବାର ଦ୍ଵିତୀୟ ଦିନର ଖେଳ ଏବଂ ଟସ୍କୁ ନେଇ ବିସିସିଆଇ ସମୟ ନିର୍ଦ୍ଧାରଣ କରିଛି।
ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳା ଯିବାକୁ ଥିବା ପ୍ରଥମ ଟେଷ୍ଟ ବୁଧବାର ସକାଳ ୯ଟା ୩୦ରୁ ଆରମ୍ଭ ହେବାର ଥିଲା। ଏଥିପାଇଁ ସକାଳ ୯ଟାରେ ଟସ୍ ପଡ଼ିବାର ଥିଲା। ମାତ୍ର ବୁଧବାର ପ୍ରବଳ ବର୍ଷା କାରଣରୁ ଟସ୍ ବି ପଡ଼ି ପାରି ନ ଥିଲା। ପ୍ରଥମ ଦିନର ଖେଳ ବର୍ଷାରେ ଧୋଇ ଯିବାରୁ ଏବେ ବିସିସିଆଇ ମ୍ୟାଚ୍ ଓ ଟସ୍ର ନୂତନ ସମୟ ସ୍ଥିର କରିଛି। ଗୁରୁବାର ସକାଳ ୮ଟା ୪୫ରେ ଟସ୍ ପଡ଼ିବ ଏବଂ ମ୍ୟାଚ୍ ୯ଟା ୧୫ରେ ଆରମ୍ଭ ହେବ।
ନୂତନ ସମୟ ସାରଣୀ ଅନୁଯାୟୀ, ଦ୍ଵିତୀୟ ଦିନର ପ୍ରଥମ ସେସନ ସକାଳ ୯ଟା ୧୫ରୁ ୧୧ଟା ୩୦ ପର୍ଯ୍ୟନ୍ତ ଖେଳାଯିବ।ଦ୍ଵିତୀୟ ସେସନ ମଧ୍ୟାହ୍ଣ ୧୨ଟା ୧୦ରୁ ୨ଟା ୨୫ ପର୍ଯ୍ୟନ୍ତ ଏବଂ ତୃତୀୟ ସେସନର ଖେଳ ୨ଟା ୪୫ରୁ ସନ୍ଧ୍ୟା ୪ଟା ୪୫ ପର୍ଯ୍ୟନ୍ତ ଖେଳାଯିବ। ଆଜି ବର୍ଷା ଯୋଗୁଁ ଖେଳାଳି ପଡ଼ିଆରେ ଅଭ୍ୟାସ୍ ବି କରି ପାରି ନାହାନ୍ତି।
ପଡ଼ିଆ ବହୁତ ଓଦା ରହିଥିବାରୁ ବିରାଟ କୋହଲି ଓ ଯଶସ୍ଵୀ ଜୟସ୍ଵାଲ ସମେତ ଅନେକ ଖେଳାଳି ଇନଡୋର ଅଭ୍ୟାସ୍ କରିଥିବା ଦେଖିବାକୁ ମିଳିଥିଲା। ଏବେ ସଭିଙ୍କ ନଜର ଦ୍ଵିତୀୟ ଦିନର ଖେଳ ଉପରେ ରହିଛି। ପାଣିପାଗ ବିଭାଗ ଅନୁଯାୟୀ, ବର୍ଷା ଯୋଗୁଁ ମ୍ୟାଚ୍ର ଅଧିକାଂଶ ସମୟ ପ୍ରଭାବିତ ହୋଇପାରେ ।