ବେଙ୍ଗାଲୁରୁ: ଏମ ଚିନ୍ନାସ୍ଵାମୀ ଷ୍ଟାଡିୟମରେ ଖେଳା ଯାଉଥିବା ତିନି ମ୍ୟାଚ୍ ବିଶିଷ୍ଟ ପ୍ରଥମ ଟେଷ୍ଟରେ ବ୍ୟାକଫୁଟ୍ରେ ଭାରତ। ନ୍ୟୁଜିଲାଣ୍ଡ ନାଁରେ ଗଲା ଦ୍ଵିତୀୟ ଦିନର ଖେଳ। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ବ୍ୟାଟିଂ ବିପର୍ଯ୍ୟୟ ଭୋଗି ଘରୋଇ ମାଟିରେ ସବୁଠୁ ସର୍ବନିମ୍ନ ୪୬ ରନ କରି ଅଲଆଉଟ୍ ହୋଇଛି। ଜବାବରେ ଭ୍ରମଣକାରୀ ଦଳ ଦ୍ଵିତୀୟ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ୩ ଓ୍ଵିକେଟ୍ ହରାଇ ୧୮୦ ରନ କରି ଦୃଢ ସ୍ଥିତିରେ ରହିଛି। ହାତରେ ଆଉ ୭ ଓ୍ଵିକେଟ୍ ଥାଇ ୧୩୪ ରନର ଅଗ୍ରଣୀ ହାସଲ କରିଛି କିଓ୍ଵି ଦଳ। ରଚିନ ରବୀନ୍ଦ୍ର ୨୨ ରନ ଓ ଡାରିଲ ଚିଚେଲ୍ ୧୪ ରନ କରି ବ୍ୟାଟିଂ କରୁଛନ୍ତି। ଡେଭନ କନଓ୍ଵେ ୯୧ ରନର ଦମଦାର ଇନିଂସ ଖେଳି ଆଉଟ୍ ହୋଇଛନ୍ତି। ଦ୍ଵିତୀୟ ଦିନରେ ବୋଲର ମ୍ୟାଟ୍ ହେନରୀ ୫ ଓ୍ଵିକେଟ୍ ନେଇଛନ୍ତି।
ନ୍ୟୁଜିଲାଣ୍ଡ ନିଜର ପ୍ରଥମ ଇନିଂସ ଦୃଢତାର ସହ ବ୍ୟାଟିଂ ଆରମ୍ଭ କରିଛି। ଓପନର ଟମ୍ ଲାଥମ ଓ ଡେଭନ କନଓ୍ଵେ ପ୍ରଥମ ଓ୍ଵିକେଟ୍ରେ ୬୭ ରନ ଯୋଡ଼ି ଭଲ ଆରମ୍ଭ ଦେଇଥିଲେ। ଟମ ଲାଥମ(୧୫)ଙ୍କୁ ଆଉଟ୍ କରି କୁଲଦୀପ ଯାଦବ ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ଅନ୍ୟପଟେ ଡେଭନ କନଓ୍ଵେ ଦ୍ରୁତ ବ୍ୟାଟିଂ କରି ଅର୍ଦ୍ଧଶତକ ପୂରଣ କରିଥିଲେ। ସେ ଏବଂ ଓ୍ଵିଲ ୟଙ୍ଗ ଦ୍ଵିତୀୟ ଓ୍ଵିକେଟ୍ ଭାଗିଦାରୀରେ ୭୫ ରନ ଯୋଡ଼ି ଦଳର ସ୍କୋରକୁ ୧୪୨ ରନରେ ପହଞ୍ଚାଇଥିଲେ। ଓ୍ଵିଲ ୟଙ୍ଗ ୩୩ ରନ କରି ଆଉଟ୍ ହୋଇଥିଲେ।
ଡେଭନ କନଓ୍ଵେ ଦ୍ରୁତ ବ୍ୟାଟିଂ କରି ୧୦୫ ବଲ୍ରୁ ୯୧ ରନ କରିଥିଲେ। ଏଥିରେ ୧୧ ଚୌକା ଓ ୩ ଛକା ସାମିଲ। ଏହା ପରେ ରଚିନ ରବୀନ୍ଦ୍ର ୨୨ ରନ ଓ ଡାରିଲ ମିଚେଲ୍ ୧୪ ରନ କରି କ୍ରିଜରେ ଖେଳୁଛନ୍ତି। ଦ୍ଵିତୀୟ ଦିନର ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ୩ ଓ୍ଵିକେଟ୍ ହରାଇ ୧୮୦ ରନ କରିଛି। ବୋଲିଂରେ ଭାରତ ପକ୍ଷରୁ କୁଲଦୀପ ଯାଦବ, ରବିଚନ୍ଦ୍ରନ ଅଶ୍ଵିନ ଓ ରବୀନ୍ଦ୍ର ଜାଡ଼େଜା ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।
ମ୍ୟାଚର ଦ୍ୱିତୀୟ ଦିନରେ ଭାରତ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପାଗ ମେଘୁଆ ରହିବା ଏବଂ ପିଚ୍ ଦ୍ରୁତ ବୋଲରଙ୍କୁ ସୁହାଇଥିଲା । ଆଉ ଏହାର ଭରପୁର ଫାଇଦା ଉଠାଇଥିଲା ଭ୍ରମଣକାରୀ ନ୍ୟୁଜିଲାଣ୍ଡ ବୋଲର । ଦଳ ତିନି ଦ୍ରୁତ ବୋଲର ସହ ପଡିଆକୁ ଓହ୍ଲାଇଥିଲା । ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେବା ଅଧିନାୟକ ରୋହିତ ଶର୍ମାଙ୍କ ଏହି ନିଷ୍ପତ୍ତି ବୁମେରାଂ ପାଲଟିଛି । ଦଳ ବ୍ୟାଟିଂ ବିପର୍ଯ୍ୟୟ ଭୋଗି ମଧ୍ୟାହ୍ନ ଭୋଜନ ସୁଦ୍ଧା ମାତ୍ର ୩୪ ରନରେ ୬ ୱିକେଟ୍ ହରାଇ ସଙ୍କଟଜନକ ସ୍ଥିତିରେ ପଡିଥିଲା । ସେଥିରେ ଆଉ ୧୨ ରନ ଯୋଡି ଭାରତ ଅବଶିଷ୍ଟ ୪ ୱିକେଟ୍ ୪୬ ରନରେ ଅଲଆଉଟ୍ ହୋଇଛି ।
ଦଳର ୫ ବ୍ୟାରଟ ବିରାଟ କୋହଲି, ସରଫରାଜ ଖାନ, କେଏଲ ରାହୁଲ ଓ ରବୀନ୍ଦ୍ର ଜାଡେଜ, ରବିଚନ୍ଦ୍ରନ ଅଶ୍ୱିନ ଖାତା ବି ଖୋଲି ପାରି ନାହାନ୍ତି । ଅଧିନାୟକ ରୋହିତ ଶର୍ମା ୨ ରନ ଓ ଯଶସ୍ୱୀ ଜୟସ୍ୱାଲ ୧୩ ରନ କରି ଆଉଟ୍ ହୋଇଛନ୍ତି । ଋଷଭ ପନ୍ତ ୨୦ ରନ କରି ଆଉଟ୍ ହୋଇଛନ୍ତି । ଶେଷ ଆଡକୁ କୁଲଦୀପ ଯାଦବ ୨ ରନ, ବୁମରା ଏକ ରନ କରି ପାଭିଲିୟନ ଫେରିଥିବା ବେଳେ ମହମ୍ମଦ ସିରାଜ ୪ ରନ କରି ଅପରାଜିତ ଥିଲେ । ଶେଷରେ ଭାରତ ୪୬ ରନରେ ଅଲଆଉଟ୍ ହୋଇଛି।