ନୂଆଦିଲ୍ଲୀ: ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଆୟୋଜନ ଆସନ୍ତା ବର୍ଷ ଫେବୃଆରୀ ଓ ମାର୍ଚ୍ଚରେ ଆୟୋଜନ ହେବ । ତେବେ ଭାରତ ପାକିସ୍ତାନ ଗସ୍ତ କରିବ କି ନାହିଁ ଏ ପର୍ଯ୍ୟନ୍ତ ସ୍ଥିତି ଅସ୍ପଷ୍ଟ ରହିଛି । ଭାରତ ପକ୍ଷରୁ ସ୍ଥିତି ସ୍ପଷ୍ଟ ହେଉ ନ ଥିବାରୁ ଆଇସିସି ଓ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରୁଥିବା ଅନ୍ୟ ଦେଶ ମଧ୍ୟ ଚିନ୍ତା ବ୍ୟକ୍ତ କରିଛନ୍ତି । ଏହା ମଧ୍ୟରେ ଇଂଲଣ୍ଡ ଆଣ୍ଡ ୱେଲ୍ସ କ୍ରିକେଟ୍ ବୋର୍ଡ ଚାମ୍ପିଅନ୍ସ ଟ୍ରଫି ୨୦୨୫କୁ ନେଇ ପ୍ରତିକ୍ରିୟା ରଖିଛି ।
ଇସିବି ମୁଖ୍ୟ ରିଚାର୍ଡ ଗୁଲଡ କହିଛନ୍ତି, ଭାରତ ବିନା ଟୁର୍ଣ୍ଣାମେଣ୍ଟ ଏମିତି ଚିନ୍ତା କରାଯାଇ ପାରିବ ନାହିଁ । ଯଦି ଆପଣ ଭାରତ ଓ ପାକିସ୍ତାନ ବିନା ଚାମ୍ପିଅନ୍ସ ଟ୍ରଫି ଖେଳିବେ ତେବେ ବ୍ରଡକାଷ୍ଟିଂ ରାଇଟ୍ସ ମଧ୍ୟ ରହିବ ନାହିଁ । ଯଦି ଟୁର୍ଣ୍ଣାମେଣ୍ଟରେ ଭାରତ ଖେଳିବ ନାହିଁ ତେବେ ଏହା କ୍ରିକେଟ୍ ଖେଳ ପ୍ରତି ଭଲ ଖବର ନୁହେଁ । ଆମେ ସମସ୍ତ ଅପେକ୍ଷା କରିଛୁ ଯେ, ଭାରତ ଚାମ୍ପିଅନ୍ସ ଟ୍ରଫି ଖେଳିବା ପାଇଁ ପାକିସ୍ତାନ ଗସ୍ତ କରିବ କି ନାହିଁ ।
ରିଚାର୍ଡ ଗୁଲଡଙ୍କ କହିବା କଥା ଭାରତ ଚାମ୍ପିଅନ୍ସ ଟ୍ରଫି ଖେଳିବା ପାଇଁ ପାକିସ୍ତାନ ଯିବ କି ନାହିଁ ଏଥିରେ ଆଇସିସି ଚେୟାରମ୍ୟାନ ଭାବେ ଚୟନ ହୋଇ ସାରିଥିବା ଜୟ ଶାହଙ୍କ ବହୁତ ବଡ ଭୂମିକା ରହିବ । ରିଚାର୍ଡ ଆଶା ପ୍ରକାଶ କରିଛନ୍ତି ଯେ, ଜୟ ଶାହ କିଛି ନା କିଛି ସମାଧାନର ରାସ୍ତା ବାହାର କରି ଦେବେ । ତାଙ୍କୁ କ୍ରିକେଟର ମଙ୍ଗଳ ପାଇଁ ହିଁ କିଛି ରାସ୍ତା ବାହାର କରିବାକୁ ପଡିବ । କିଛି ଦିନ ପୂର୍ବରୁ ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଳା ସ୍ପଷ୍ଟ କରିଥିଲେ ଯେ, ଭାରତ ଚାମ୍ପିଅନ୍ସ ଟ୍ରଫି ଖେଳିବା ପାଇଁ ପାକିସ୍ତାନ ଗସ୍ତ କରିବ କି ନାହିଁ ତାର ନିଷ୍ପତ୍ତି ଭାରତ ସରକାର ନେବେ ।
ସୂଚନାଯୋଗ୍ୟ, ଚାମ୍ପିଅନ୍ସ ଟ୍ରଫି ୨୦୨୫ର ପ୍ରସ୍ତାବିତ କାର୍ଯ୍ୟସୂଚୀ ଅନୁସାରେ ଭାରତୀୟ ଦଳର ସମସ୍ତ ମ୍ୟାଚ୍ ଲାହୋରରେ ରହିଛି । ପିସିବି ଚାମ୍ପିଅନ୍ସ ଟ୍ରଫିର ଆୟୋଜନ ସଂପୂର୍ଣ୍ଣ ଭାବେ ପାକିସ୍ତାନରେ କରିବାକୁ ନିଜ ଜିଦରେ ଅଟଳ ରହିଛି । ବୋର୍ଡ ସ୍ପଷ୍ଟ କରି ସାରିଛି ଯେ, କୌଣସି ହାଇବ୍ରିଡ ମୋଡେଲ୍ ଆପଣା ଯିବ ନାହିଁ । ତେଣୁ ଏହା କହିବା ଅତ୍ୟୁକ୍ତି ହେବ ନାହିଁ ଯେ, ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଭବିଷ୍ୟତ ଅଧାରେ ଝୁଲିକି ରହିଛି ।