ଦୁବାଇ: ବିଶ୍ୱକପରେ ପାଇଁ ପୁଣିଥରେ ଚୋକର୍ସ ସାବ୍ୟସ୍ତ ହେଲା ଦକ୍ଷିଣ ଆଫ୍ରିକା। ପୁଣିଥରେ ହାତରୁ ଖସିଲା ବିଶ୍ୱକପ୍। ପୁରୁଷ ଦଳ ପରେ ମହିଳା ଟିମ୍ ମଧ୍ୟ କଲେ ନିରାଶ । ଅନ୍ୟପଟେ ବାଜି ମାରିନେଲା ନ୍ୟୁଜିଲାଣ୍ଡ। ଏହା ପୂର୍ବରୁ ଦକ୍ଷିଣ ଆଫ୍ରିକାର ପୁରୁଷ ଦଳ ଟି-୨୦ ବିଶ୍ୱକପ୍ ଫାଇନାଲରେ ଭାରତକୁ ପରାଜିତ ହୋଇଥିଲା । ରବିବାର ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ମହିଳା ଟି-୨୦ ବିଶ୍ୱକପ୍ ଫାଇନାଲରେ ନ୍ୟୁଜିଲାଣ୍ଡ ଦକ୍ଷିଣ ଆଫ୍ରିକାକୁ ୩୨ ରନ୍ରେ ପରାସ୍ତ କରି ଚାମ୍ପିଅନ ହୋଇଛି?
ଆଜିର ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି କରିବାକୁ ନେଇଥିଲା। ନ୍ୟୁଜିଲାଣ୍ଡ ବ୍ୟାଟିଂ କରି ୫ ୱିକେଟ୍ ହରାଇ ୧୫୮ ରନ କରିଥିଲା । ଜବାବରେ ଦକ୍ଷିଣ ଆଫ୍ରିକା ୧୨୬ ରନରେ ସୀମିତ ରହିଥିଲା ଦଳ। ଆଉ ୩୨ ରନ୍ରେ ଫାଇନାଲ୍ ମ୍ୟାଚ୍ ଜିତି ଟି-୨୦ ବିଶ୍ୱକପ୍ ଟ୍ରଫି ହାତେଇଛି ନ୍ୟୁଜିଲାଣ୍ଡ ।
ଆଜିର ମ୍ୟାଚ୍ରେ ପ୍ରଥମେ ବୋଲିଂ ନିଷ୍ପତ୍ତି ଆଫ୍ରିକା ପାଇଁ ବୁମେରାଂ ସାବ୍ୟସ୍ତ ହୋଇଥିଲା। ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲ୍ୟାଣ୍ଡ ୨୦ ଓଭରରେ ୫ ୱିକେଟ୍ ହରାଇ ୧୫୮ ରନ୍ କରିଥିଲା। ଦଳ ପକ୍ଷରୁ ଆମେଲିଆ କେର୍ ୩୮ ବଲ୍ରୁ ୪ଟି ଚୌକା ସହିତ ସର୍ବାଧିକ ୪୩ ରନ୍ କରିଥିଲେ। ସେହିପରି ବ୍ରୋକେ ହାଲିଡେ ୩୮ ରନ୍ ଓ ସୁଜି ବେଟ୍ସ ୩୨ ରନ୍ କରିଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ବୋଲିଂରେ ନନକୁଲୁଲେକୋ ମ୍ଲାବା ସର୍ବାଧିକ ୨ ସଫଳତା ପାଇଥିବା ବେଳେ ଆୟାବୋଙ୍କ ଖାକା, ଚ୍ଲୋଏ ଟ୍ରାୟନ ଓ ନାଗିନେ ଦେ କ୍ଲେର୍କ ପ୍ରତ୍ୟେକ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।
୧୫୮ ରନ୍ର ବିଜୟ ଲକ୍ଷ୍ୟ ପିଛା କରିଥିବା ଦକ୍ଷିଣ ଆଫ୍ରିକା ନ୍ୟୁଜିଲାଣ୍ଡ ବୋଲରଙ୍କ ଉଚିତ୍ ମୁକାବିଲା କରି ପାରି ନ ଥିଲା । ଦଳର ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲା। ଦୁଇ ଓପନର ଅଧିନାୟକ ଲୌରା ୱୋଲଭାର୍ଡ ଏବଂ ତାଜମିନ୍ ବ୍ରିଟ୍ସ ଦମଦାର ଆରମ୍ଭ ଦେଇଥିଲେ ।। ଉଭୟ ପ୍ରଥମ ୱିକେଟ୍ ପାଇଁ ୪୧ ବଲରୁ ୫୧ ରନ୍ ଯୋଡିଥିଲେ। ହେଲେ ଏହି ଯୋଡି ଭାଙ୍ଗିବା ପରେ ଦକ୍ଷିଣ ଆଫ୍ରିକା ଇନିଂସ ଦିଗହରା ହୋଇ ପଡିଥିଲା ।
ତାଜମିନ୍ ବ୍ରିଟ୍ସ ୧୮ ଟି ବଲରେ ୧୭ ରନ୍ କରି ଆଉଟ ହୋଇଥିଲେ। ଏହା ପରେ ଦଳ ନିୟମିତ ବ୍ୟବଧାନରେ ୱିକେଟ ହରାଇ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା । ଅଧିନାୟକ ଲୌରା ୩୩ ରନ୍ କରି ଆଉଟ୍ ହୋଇଥିଲେ। ଏହାପରେ କୌଣସି ବ୍ୟାଟର ୨୦ ରନ୍ ବି ଛୁଇଁ ପାରି ନ ଥିଲେ । ଶେଷରେ ଦଳ ୯ ୱିକେଟ ବିନିମୟରେ ୧୨୬ ରନ କରି ପାରିଥିଲା ।
ନ୍ୟୁଜିଲାଣ୍ଡ ପକ୍ଷରୁ ରେସୋମାରି ମାଏର ଓ ଆମେଲିଆ କେର୍ ଉଭୟ ସର୍ବାଧିକ ୩ ଟି ଲେଖାଏ ୱିକେଟ୍ ନେଇଥିବା ବେଳେ ଇଡେନ କାର୍ସନ, ଫ୍ରାନ୍ ଜୋନାସ ଓ ବ୍ରୁକ ହାଲିଡେ ଗୋଟିଏ ଲେଖାଏ ସଫଳତା ପାଇଥିଲେ ।