ଭୁବନେଶ୍ୱର: ଆସନ୍ନ ବାତ୍ୟା ଦାନା ପାଇଁ ପ୍ରଶାସନ ତତ୍ପରତା ଦେଖାଇଛି। ଏଥିପାଇଁ ୬ ବରିଷ୍ଠ ଆଇଏଏସ ଅଧିକାରୀଙ୍କୁ ମିଳିଲା ବଡ ଦାୟିତ୍ୱ। ଆସନ୍ତାକାଲି କାର୍ଯ୍ୟରେ ଯୋଗ ଦେବା ପାଇଁ ନିର୍ଦେଶ ଦିଆଯାଇଛି। କେ.ସୁଦର୍ଶନ ଚକ୍ରବର୍ତୀଙ୍କୁ ବାଲେଶ୍ୱର ଜିଲ୍ଲା, ତ୍ରିଲୋଚନ ମାଝିଙ୍କୁ ଭଦ୍ରକ ଜିଲ୍ଲା, ବଳବନ୍ତ ସିଂଙ୍କୁ ପୁରୀ ଜିଲ୍ଲା, ବିନୀତ ଭରଦ୍ଵାଜଙ୍କୁ ମୟୁରଭଞ୍ଜ ଜିଲ୍ଲା, ଯାମିନୀ ଷଡ଼ଙ୍ଗୀଙ୍କୁ ଜଗତସିଂହପୁର ଜିଲ୍ଲା ଓ ସମର୍ଥ ବର୍ମାଙ୍କୁ କେନ୍ଦ୍ରାପଡା ଜିଲ୍ଲାରେ ଯୋଗ ଦେବାପାଇଁ ଦାୟିତ୍ୱ ଦିଆଯାଇଛି। ଏଠାରେ ସୂଚନାଯୋଗ୍ୟ ପୂର୍ବରୁ ସମ୍ପୃକ୍ତ ଜିଲ୍ଲାରେ ଏହି ଅଫିସର ମାନେ ଜିଲ୍ଲାପାଳ ଥିଲେ। ସମ୍ପୃକ୍ତ ଜିଲ୍ଲାରେ ରିଲିଫ ତଥା ଉଦ୍ଧାର କାର୍ଯ୍ୟ ତଦାରଖ କରିବେ।
ଓଡ଼ିଶାରେ ମାଡ଼ ହେବାକୁ ଯାଉଛି ବାତ୍ୟା ‘ଦାନା’ । କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଧିରେ ଧିରେ ଘନୀଭୂତ ହୋଇ ଭୀଷଣ ବାତ୍ୟାର ରୂପ ନେଇ ଓଡ଼ିଶା ସ୍ଥଳ ଭାଗ ଛୁଇଁବାର ଆକଳନ କରାଯାଇଛି । ପୁରୀରୁ ସାଗର ଦୀପ ମଧ୍ୟରେ ମାଡ଼ ହେବ ଦାନା । ଏହାର ପ୍ରଭାବରେ ରାଜ୍ୟରେ ଘଣ୍ଟାପ୍ରତି ୧୦୦ରୁ ୧୨୦ କିଲୋମିଟର ବେଗରେ ପବନ ବହିବା ସହିତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାର ସମସ୍ତ ଦିଗରୁ ସଜାଗ ହୋଇଛନ୍ତି । ଜିରୋ କାଜୁଆଲଟି ଉପରେ ସରକାରଙ୍କ ଫୋକସ୍ । ଏନଡିଆରଏଫ୍ ଏବଂ ଓଡ୍ରାଫ ଟିମ୍ ପ୍ରସ୍ତୁତ ହୋଇଥିବାବେଳେ ବାତ୍ୟା ଆଶ୍ରୟ ସ୍ଥଳଗୁଡିକୁ ପ୍ରସ୍ତୁତ କରାଯାଇଛି ।