ନୂଆଦିଲ୍ଲୀ: ବେଙ୍ଗାଲୁରୁର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳା ଯାଇଥିବା ପ୍ରଥମ ଟେଷ୍ଟରେ ଭାରତୀୟ ଦଳ ଭ୍ରମଣକାରୀ ନ୍ୟୁଜିଲାଣ୍ଡ ହାତରୁ ୮ ଓ୍ଵିକେଟ୍ରେ ପରାଜିତ ହୋଇଛି। ଏଥିସହ ୩୬ ବର୍ଷ ପରେ ଘରୋଇ ମାଟିରେ ଭାରତ ପ୍ରଥମ ଥର କିଓ୍ଵି ନିକଟରୁ ଟେଷ୍ଟ ମ୍ୟାଚ୍ ହାରିଛି। ଏହି ପରାଜୟ ପରେ ଅଚାନକ ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ ହୋଇଛି। ରିପୋର୍ଟ ଅନୁଯାୟୀ, ତାରକା ଅଲରାଉଣ୍ଡର ଓ୍ଵାଶିଂଟନ ସୁନ୍ଦରଙ୍କୁ ଦ୍ଵିତୀୟ ଓ ତୃତୀୟ ଟେଷ୍ଟ ପାଇଁ ଭାରତୀୟ ଦଳରେ ସାମିଲ କରାଯାଇଛି।
ଜାତୀୟ ଗଣମାଧ୍ୟମ ଅନୁଯାୟୀ, ଏହି ସ୍ପିନ ବୋଲିଂ ଅଲରାଉଣ୍ଡର ଓ୍ଵାଶିଂଟନ ସୁନ୍ଦରଙ୍କୁ ଦ୍ଵିତୀୟ ଓ ତୃତୀୟ ଟେଷ୍ଟ ପାଇଁ ଭାରତୀୟ ଦଳରେ ସାମିଲ କରାଯାଇଛି। ବେଙ୍ଗାଲୁରୁରରେ ପ୍ରଥମ ଟେଷ୍ଟରେ ହାରିବାର କିଛି ଘଣ୍ଟା ପରେ ହିଁ ସୁନ୍ଦରଙ୍କୁ ଭାରତୀୟ ଦଳରେ ସାମିଲ କରାଯିବାର ଖବର ସାମ୍ନାକୁ ଆସିଛି। ବିସିସିଆଇ ପକ୍ଷରୁ ଏକ୍ସ ପୋଷ୍ଟ କରାଯାଇ ଆନୁଷ୍ଠାନିକ ଭାବେ ଏହାର ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ଓ୍ଵାଶିଂଟନ ସୁନ୍ଦର ଭାରତୀୟ ଦଳ ପାଇଁ ଶେଷ ଟେଷ୍ଟ ମ୍ୟାଚ୍ ୨୦୨୧ ମାର୍ଚ୍ଚରେ ଇଂଲଣ୍ଡ ବିପକ୍ଷରେ ଅହମ୍ମଦାବାଦରେ ଖେଳିଥିଲେ। ଅଦ୍ୟାବଧି ସେ ଭାରତ ପାଇଁ ୪ଟି ଟେଷ୍ଟ ଖେଳି ୬ଟି ଇନିଂସରେ ୬୬.୨୫ ହାରରେ ୨୬୫ ରନ କରିଛନ୍ତି। ଏଥିରେ ୩ ଅର୍ଦ୍ଧଶତକ ସାମିଲ। ବୋଲିଂରେ ସେ ୬ଟି ଓ୍ଵିକେଟ୍ ନେଇଛନ୍ତି।
ଦ୍ଵିତୀୟ ଓ ତୃତୀୟ ଟେଷ୍ଟ ପାଇଁ ଭାରତୀୟ ଦଳ
ରୋହିତ ଶର୍ମା(ଅଧିନାୟକ), ଯଶପ୍ରୀତ ବୁମରା(ଉପ ଅଧିନାୟକ), ଯଶସ୍ଵୀ ଜୟସ୍ଵାଲ, ଶୁଭମନ ଗିଲ୍, ବିରାଟ କୋହଲି, କେଏଲ ରାହୁଲ, ସରଫରାଜ ଖାନ, ଋଷଭ ପନ୍ତ(ଓ୍ଵିକେଟ୍ କିପର), ଧ୍ରୁବ ଜୁରେଲ(ଓ୍ଵିକେଟ୍ କିପର), ରବିଚନ୍ଦ୍ରନ ଅଶ୍ଵିନ, ରବୀନ୍ଦ୍ର ଜାଡ଼େଜା, ଅକ୍ଷର ପଟେଲ୍, କୁଲଦୀପ ଯାଦବ, ମହମ୍ମଦ ସିରାଜ, ଆକାଶ ଦୀପ, ଓ୍ଵାଶିଂଟନ ସୁନ୍ଦର।