ବେଙ୍ଗାଲୁରୁ: ଇନିଂସ ଆଗକୁ ବଢୁଥିଲା, ଆଶା କରାଯାଉଥିଲା ଦଳ ନ୍ୟୁଜିଲାଣ୍ଡକୁ ଭଲ ଟାର୍ଗେଟ୍ ଦେବ। ତେବେ ନିମ୍ନକ୍ରମ ବ୍ୟାଟରଙ୍କ ବିଫଳତା ଯୋଗୁଁ ଏବେ ବେଙ୍ଗାଲୁରୁ ଟେଷ୍ଟରେ ପରାଜୟର ଦ୍ଵାର ଦେଶରେ ଭାରତ। ପ୍ରଥମ ଇନିଂସରେ ୪୬ ରନରେ ଅଲଆଉଟ୍ ହୋଇଥିବା ଭାରତ ଦ୍ଵିତୀୟ ଇନିଂସରେ ଦମଦାର ବ୍ୟାଟିଂ କରି ୪୬୨ ରନ କରିଛି। ଫଳରେ ନ୍ୟୁଜିଲାଣ୍ଡ ସମ୍ମୁଖରେ ରହିଛି ୧୦୭ ରନର ବିଜୟ ଲକ୍ଷ୍ୟ। ପଞ୍ଚମ ଦିନରେ କୌଣସି ଚମତ୍କାର ହିଁ ଭାରତକୁ ପରାଜୟରୁ ବଞ୍ଚାଇ ପାରିବ। ଷ୍ଟମ୍ପ ଅପସାରଣ ସୁଦ୍ଧା ନ୍ୟୁଜିଲାଣ୍ଡ କୌଣସି ଓ୍ଵିକେଟ୍ ନ ହରାଇ ୦ ରନ କରିଛି। କ୍ରିଜରେ ଟମ୍ ଲାଥମ ଓ ଡେଭନ କନଓ୍ଵେ କ୍ରିଜରେ ଅଛନ୍ତି।ଚତୁର୍ଥ ଦିନରେ ସରଫରାଜ ଖାନଙ୍କ ୧୫୦ ରନ ଓ ଋଷଭ ପନ୍ତଙ୍କ ୯୯ ରନ ଚମକିଛନ୍ତି।
ଗତକାଲି ୭୦ ରନରେ ଅପରାଜିତ ଥିବା ସରଫରାଜ ଖାନ ଚତୁର୍ଥ ଦିନରେ ଦ୍ରୁତ ବ୍ୟାଟିଂ କରି ନିଜ ଟେଷ୍ଟ କ୍ୟାରିୟରର ପ୍ରଥମ ଶତକ ହାସଲ କରିଛନ୍ତି। ପନ୍ତଙ୍କ ସହ ଦମଦାର ବ୍ୟାଟିଂ କରି ଚତୁର୍ଥ ଓ୍ଵିକେଟ୍ରେ ୧୭୭ ରନ ଯୋଡ଼ିଥିଲେ। ସରଫରାଜ ୧୯୫ ବଲ୍ରୁ ୧୮ ଚୌକା ଓ ୩ ଛକା ସହ ୧୫୦ ରନର ବଡ଼ ଇନିଂସ ଖେଳି ଆଉଟ୍ ହୋଇଥିଲେ। ଦ୍ରୁତ ବ୍ୟାଟିଂ କରୁଥିବା ଋଷଭ ପନ୍ତ ପୁଣି ଥରେ ମାତ୍ର ଏକ ରନ ପାଇଁ ଶତକରୁ ବଞ୍ଚିତ ହୋଇଛନ୍ତି। ସେ ୧୦୫ ବଲ୍ରୁ ୯ ଚୌକା ଓ ୫ ଛକା ସହ ୯୯ ରନ କରି ପାଭିଲିୟନ ଫେରିଛନ୍ତି। ସରଫରାଜ ଓ ପନ୍ତଙ୍କ ଆଉଟ୍ ପରେ ଭାରତ ପୁଣି ଥରେ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା।
ଏକଦା ୩ ଓ୍ଵିକେଟ୍ ହରାଇ ୪୦୮ ରନ କରିଥିବା ଭାରତ ବ୍ୟାଟିଂ ବିପର୍ଯ୍ୟୟ ଭୋଗି ୪୬୨ ରନରେ ଅଲଆଉଟ୍ ହୋଇଛି। କେଏଲ ରାହୁଲ(୧୨) ପୁଣି ଥରେ ନିରାଶ କରିଥିବା ବେଳେ ରବୀନ୍ଦ୍ର ଜାଡ଼େଜା(୫) ଓ ରବିଚନ୍ଦ୍ରନ ଅଶ୍ଵିନ(୧୫) ବିଫଳ ହେବା ଦଳକୁ ବ୍ୟାକଫୁଟକୁ ନେଇଛି। ବୁମରା ଓ ସିରାଜ ଖାତା ଖୋଲି ପାରି ନାହାନ୍ତି। ଉଲ୍ଲେଖନୀୟ ପୂର୍ବରୁ ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସରେ ୪୦୨ ରନ କରି ୩୫୬ ରନର ବିଶାଳ ଅଗ୍ରଣୀ ହାସଲ କରିଥିଲା। ଭାରତ ପ୍ରଥମ ଇନିଂସରେ ୪୬ ରନରେ ଅଲଆଉଟ୍ ହୋଇଥିଲା।
ବୋଲିଂରେ ନ୍ୟୁଜିଲାଣ୍ଡ ପକ୍ଷରୁ ଓ୍ଵିଲିୟମ ଓରୁରକେ ଓ ମ୍ୟାଟ୍ ହେନରୀ ୩ଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି। ଏଜାଜ ପଟେଲ୍ଙ୍କୁ ଦୁଇଟି ସଫଳତା ମିଳିଥିବା ବେଳେ ଟିମ୍ ସାଉଦି ଓ ଗ୍ଲେନ ଫିଲିପ୍ସଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।