ଲଣ୍ଡନ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଓଭାଲରେ ଜୁଲାଇ ୩୧ରୁ ପଞ୍ଚମ ତଥା ଶେଷ ଟେଷ୍ଟ ଖେଳାଯିବ। ଏହା ପୂର୍ବରୁ ଦୁଇ ଦଳ ନିଜ ନିଜର ପ୍ରସ୍ତୁତିରେ ଜୁଟି ଯାଇଛନ୍ତି। ଓଭାଲ ଗ୍ରାଉଣ୍ଡରେ ଦୁଇ ଦଳର ଖେଳାଳି ଝାଳବୁହା ଅଭ୍ୟାସ ଚଳାଇଛନ୍ତି। ଏହା ପୂର୍ବରୁ ମଙ୍ଗଳବାର ପଡ଼ିଆରେ ଭାରତୀୟ ଦଳର ଅଭ୍ୟାସ ସମୟରେ ଭାରତୀୟ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଓ ପିଚ୍ କ୍ୟୁରେଟରଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ଦେଖିବାକୁ ମିଳିଛି। ଏହା ପରେ ଗ୍ରାଉଣ୍ଡ ଷ୍ଟାଫ ଗମ୍ଭୀରଙ୍କ ବିରୋଧରେ ଅଭିଯୋଗ କରିବାକୁ ଧମକ ଦେଇଛନ୍ତି। ଜବାବରେ ଗମ୍ଭୀର କହିଛନ୍ତି, ଯାଆନ୍ତୁ, ଯେଉଁଠି ଇଚ୍ଛା ସେଠାରେ ଅଭିଯୋଗ କରିପାର।
ମଙ୍ଗଳବାର ଅପରାହ୍ଣରେ ଏହି ଘଟଣା ଘଟିଛି। ଟାଇମ୍ସ ଅଫ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ଶେଷ ଟେଷ୍ଟର ଦୁଇ ଦିନ ପୂର୍ବରୁ ଭ୍ରମଣକାରୀ ଦଳକୁ ଯେଉଁ ସୁବିଧା ଦିଆଯାଉଛି ସେଥିରେ ଗମ୍ଭୀର ଖୁସି ନାହାନ୍ତି। ତେବେ ଆଜି ମଇଦାନରେ ତାଙ୍କର ଏବଂ ପିଚ୍ କ୍ୟୁରେଟର ଲି ଫୋର୍ଟିସଙ୍କ ମଧ୍ୟରେ ସ୍ଵାଭାବିକ ଭାବେ ଶାନ୍ତିରେ କଥାବାର୍ତ୍ତା ଆରମ୍ଭ ହୋଇଥିଲା। ଦେଖୁ ଦେଖୁ କଥାବାର୍ତ୍ତା ଯୁକ୍ତିତର୍କରେ ପରିଣତ ହୋଇଥିଲା।
ଟାଇମ୍ସ ଅଫ ଇଣ୍ଡିଆ ଅନୁଯାୟୀ, ଗମ୍ଭୀର ଓ ଫୋର୍ଟିସଙ୍କ ମଧ୍ୟରେ ଆଲୋଚନା ଜଲଦି ଝଗଡ଼ାର ରୂପ ନେଇଥିଲା। ଏହି ସମୟରେ ଭାରତୀୟ କୋଚ୍ ବହୁତ କ୍ରୋଧିତ ଜଣା ପଡ଼ୁଥିଲେ। ସେ ଫୋର୍ଟିସଙ୍କ ଆଡ଼କୁ ବାରମ୍ବାର ଆଙ୍ଗୁଳି ଉଠାଉଥିଲେ। ଗମ୍ଭୀର ଚିତ୍କାର କରି କହିଥିଲେ ଯେ, ଆପଣ ଆମକୁ କହି ପାରିବେ ନାହିଁ ଯେ, ଆମକୁ କଣ କରିବା ଉଚିତ୍। ମାହୋଲ ଅଧିକ ବିଗିଡ଼ିବାରୁ ବ୍ୟାଟିଂ କୋଚ୍ ସୀତାଂଶୁ କୋଟକ ଓ ଅନ୍ୟ ସପୋର୍ଟ ଷ୍ଟାଫ ଦୁହିଁଙ୍କୁ ଅଲଗା କରିଥିଲେ।
ମାମଲା ଏତେ ବିଗିଡ଼ିଗଲା ଯେ, ବ୍ୟାଟିଂ କୋଚ୍ ସୀତାଂଶ କୋଟକଙ୍କୁ ଉଭୟଙ୍କ ମଧ୍ୟରେ ଦଖଲ ଦେବାକୁ ପଡ଼ିଥିଲା। ସେ ଗମ୍ଭୀର ଓ ଲି ଫୋର୍ଟିସଙ୍କୁ ପରସ୍ପରଠୁ ଅଲଗା କରିଥିଲେ।ଏବେ ପିଚ୍ କ୍ୟୁରେଟର ଭାରତର ମୁଖ୍ୟ କୋଚ୍ଙ୍କ ବିରୋଧରେ ଅଭିଯୋଗ କରିବାକୁ ଧମକ ଦେଇଛନ୍ତି।
ଫୋର୍ଟିସ ଯେବେ ଗମ୍ଭୀରଙ୍କୁ ଧମକ ଦେଲେ ଗମ୍ଭୀର ତୁରନ୍ତ ଜବାବ ଦେଇଥିଲେ ଯେ, ଆପଣ ଯାଇ ପାରିବେ ଏବଂ ଯାହାଙ୍କ ପାଖରେ ଅଭିଯୋଗ କରିବା କଥା କରି ପାରିବେ। କିନ୍ତୁ ଆପଣ କହି ପାରିବେ ନାହିଁ ଯେ, ଆମକୁ କଣ କରିବା ଦରକାର। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ସୂଚନାଯୋଗ୍ୟ, ଭାରତ ଓ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ରେ ଏ ପର୍ଯ୍ୟନ୍ତ ୪ଟି ମ୍ୟାଚ୍ ଖେଳା ଯାଇଛି। ଏଥିରେ ଇଂଲଣ୍ଡ ୨-୧ରେ ଆଗୁଆ ରହିଛି। ଶେଷ ଟେଷ୍ଟ ନିର୍ଣ୍ଣାୟକ ହେବାକୁ ଯାଉଛି। ମ୍ୟାଚ୍ ଜିତି ସିରିଜ୍ ଡ୍ର କରାଇବା ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇବ ଭାରତୀୟ ଦଳ।