ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ଲଜ୍ଜାଜନକ ପ୍ରଦର୍ଶନ ପରେ ଟିମ୍ ଇଣ୍ଡିଆର ହେଡ୍ କୋଚ୍ ଗୌତମ ଗମ୍ଭୀର ବ୍ୟାକଫୁଟରେ ଅଛନ୍ତି । ତାଙ୍କୁ ଟେଷ୍ଟ ଫର୍ମାଟର କୋଚ୍ ପଦରୁ ବିଦା କରିବାକୁ ବିଭିନ୍ନ ମହଲରୁ ଦାବି ଉଠିଛି। ସିରିଜରେ କ୍ଲିନ ସୁଇପ ହେବା ପରେ ଗମ୍ଭୀର କହିଥିଲେ, ତାଙ୍କ ଭବିଷ୍ୟତର ନିଷ୍ପତ୍ତି ବିସିିସିଆଇ ହାତରେ। କ୍ରିକେଟ୍ ମହତ୍ୱପୂର୍ଣ୍ଣ, ସେ ନୁହନ୍ତି। ଏବେ ଏମିତି ଲାଗୁଛି ବୋର୍ଡରୁ ଗମ୍ଭୀରଙ୍କୁ ଅଭୟଦାନ ମିଳି ସାରିଛି। ଏହି ଶୋଚନୀୟ ପରାଜୟର ସମୀକ୍ଷା କରିବ ବିସିସିଆଇ। ଚୟନକର୍ତ୍ତା ଓ ଟିମକୁ ତଲବ କରିବ ବୋର୍ଡ । ତେବେ ଆସନ୍ତା ବର୍ଷ ଟି-୨୦ ବିଶ୍ୱକପକୁ ଦୃଷ୍ଟିରେ ରଖି ଗୌତମ ଗମ୍ଭୀରଙ୍କ ଉପରେ ଏବେ କୌଣସି ଆକ୍ସନ ନେବ ନାହିଁ ବିସିସିଆଇ।
ଇଣ୍ଡିଆନ ଏକ୍ସପ୍ରେସ ଅନୁଯାୟୀ, ବିସିସିଆଇ ତରବରିଆ ଭାବେ ଗମ୍ଭୀରଙ୍କ ଭବିଷ୍ୟତକୁ ନେଇ କୌଣସି ନିଷ୍ପତ୍ତି ନେବାକୁ ଚାହୁଁନି। ଏହା ପରିବର୍ତ୍ତେ ବୋର୍ଡ ଚୟନକର୍ତ୍ତା ଓ ଟିମ୍ ମ୍ୟାନେଜମେଣ୍ଟଙ୍କ ସହ ଆଲୋଚନା କରିବ। ଟି-୨୦ ବିଶ୍ୱକପ୍ ମୁଣ୍ଡ ଉପରେ ଥିବାରୁ ବୋର୍ଡ ଏବେ କୌଣସି କାର୍ଯ୍ୟାନୁଷ୍ଠାନ ନେବାକୁ ଚାହୁଁନି । ଗମ୍ଭୀରଙ୍କ କୋଚ୍ ଭାବେ କଣ୍ଟ୍ରାକ୍ଟ ୨୦୨୭ ପର୍ଯ୍ୟନ୍ତ ରହିଛି। ଯଦି ଏମିତି ସମୟରେ କାର୍ଯ୍ୟାନୁଷ୍ଠାନ ନିଆଗଲେ ଦଳ ଭିତରେ ନକରାତ୍ମକ ମାହୋଲ ପଡିପାରେ। ତେଣୁ ବିସିସିଆଇ ଟି-୨୦ ବିଶ୍ୱକପ୍ ପର୍ଯ୍ୟନ୍ତ ଅପେକ୍ଷା କରିପାରେ। ବିଶ୍ୱକପର ଫଳାଫଳ ପରେ ବୋର୍ଡ କୌଣସି ଆକ୍ସନ ନିଆଯାଇପାରେ ବୋଲି ଆଶା କରାଯାଉଛି।
ହେଡ୍ କୋଚ୍ ଗୌତମ ଗମ୍ଭୀରଙ୍କ କାର୍ଯ୍ୟକାଳରେ ଟେଷ୍ଟ କ୍ରିକେଟରେ ଭାରତୀୟ ଦଳ ପତନ ଆଡକୁ ଗତି କରୁଛି। ଗତ ୧୨ ମାସରେ ଭାରତ ଦୁଇ ଥର ଘରୋଇ ମାଟିରେ ଶୋଚନୀୟ ଭାବେ ସିରିଜ୍ ହାରିଛି। ଦଳ ନ୍ୟୁଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ହ୍ଵାଇଟ୍ ଓ୍ଵାଶର ଶିକାର ହୋଇଛି।
ପ୍ରଥମ ଥର ଭାରତ ଘରୋଇ ମାଟିରେ ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ କ୍ଲିନ ସୁଇପର ଶିକାର ହୋଇଥିଲା। ୨୦୨୪ରେ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ଭାରତ ଏହି ଲଜ୍ଜାଜନକ ପରାଜୟ ଭୋଗିଥିଲା। ପୁଣି ୨୦୧୫ ପରେ ଭାରତ ପ୍ରଥମ ଥର ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫି ହରାଇଲା। ଏହା ପରେ ଟିମ୍ ଇଣ୍ଡିଆ ନିଜ ଘରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ସିରିଜ୍ ହାରିଛି।
ଭାରତ ଲଗାତାର ଦ୍ଵିତୀୟ ବର୍ଷ ନିଜ ଘରେ ଟେଷ୍ଟ ସିରିଜ୍ ହାରିଛି। ୨୫ ବର୍ଷରେ ଟିମ୍ ଇଣ୍ଡିଆ ପ୍ରଥମ ଥର ଦୁଇଟି ସିଜିନ୍ ମିଶାଇ ଘରୋଇ ମାଟିରେ ୫ଟି ଟେଷ୍ଟ ହାରିଛି। ୬୬ ବର୍ଷରେ ପ୍ରଥମ ଥର ଭାରତ ୭ ମାସ ଭିତରେ ୫ଟି ଟେଷ୍ଟ ହାରିଛି। ରନ ମାମଲାରେ ଭାରତର ଏହା ହେଉଛି ସବୁଠୁ ବଡ଼ ପରାଜୟ।