ଗୌହାଟୀ: ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଲଜ୍ଜାଜନକ ପରାଜୟ ଭୋଗିଛି । କୋଲକାତାରେ ପ୍ରଥମ ଟେଷ୍ଟ ୩୦ ରନରେ ହାରିବା ପରେ ଗୌହାଟୀରେ ୪୦୮ ରନର ଐତିହାସିକ ପରାଜୟ ଭୋଗିଛି ଭାରତ । ରନ ଦୃଷ୍ଟିରୁ ଟେଷ୍ଟ କ୍ରିକେଟରେ ଭାରତର ଏହା ସବୁଠୁ ବଡ ପରାଜୟ । ଦକ୍ଷିଣ ଆଫ୍ରିକା ଦୀର୍ଘ ୨୫ ବର୍ଷ ପରେ ଭାରତ ମାଟିରେ ଟେଷ୍ଟ ସିରିଜ୍ ଜିତିବାରେ ସଫଳ ହୋଇଛି । ଦକ୍ଷିଣ ଆଫ୍ରିକାଠୁ କ୍ଲିନ ସୁଇପ୍ ହାରିବା ପରେ ଭାରତର ହେଡ୍ କୋଚ୍ ଗୌତମ ଗମ୍ଭୀର ସାମ୍ନାକୁ ଆସିଛନ୍ତି । ସେ କହିଛନ୍ତି ପରାଜୟ ପାଇଁ ସମସ୍ତେ ଦାୟୀ, ମାତ୍ର ପ୍ରଥମେ ମୁଁ ଦାୟୀ ।
ହେଡ୍ କୋଚ୍ କହିଛନ୍ତି, ମୁଁ ପ୍ରଥମରୁ କହିଥିଲି ମୋତେ ଟ୍ରାଞ୍ଜିସନ ଶବ୍ଦ ପ୍ରତି ଘୃଣା ରହିଛି । ମୁଁ ଏଠାକୁ ବାହାନା କରିବାକୁ ଆସିନି । ଯୁବ ଖେଳାଳି ଏବେ ଶିଖୁଛନ୍ତି । ଆପଣଙ୍କୁ ଉକ୍ତ ଖେଳାଳିଙ୍କୁ ସମୟ ଦେବାକୁ ପଡିବ । ଭାରତ ଚଳିତ ବର୍ଷ ଆଇସିସି ଚାମ୍ପିଅନ୍ସ ଟ୍ରଫି ଓ ଏସିଆ କପ୍ ପରି ଟୁର୍ଣ୍ଣାମେଣ୍ଟ ଜିତିଛଯି । ଭାରତ ଇଂଲଣ୍ଡରେ ଟେଷ୍ଟ ସିରିଜ୍ ଡ୍ର କରାଇଛି । ମୁଁ ହେଉଛି ସେହି ବ୍ୟକ୍ତି ଯାହା ନିରୀକ୍ଷଣରେ ଭାରତ ଇଂଲଣ୍ଡରେ ଚମତ୍କାର ପ୍ରଦର୍ଶନ କରିଛି । ଚାମ୍ପିଅନ୍ସ ଟ୍ରଫି ଓ ଏସିଆ କପ ଜିତିଛି ।
ତେବେ ଭାରତ ନିଜ ଘରୋଇ ମାଟିରେ କ୍ରମାଗତ ଦ୍ୱିତୀୟ ଥର କ୍ଲିନ ସୁଇପ୍ ହେବା ପରେ ସବୁଠୁ ଅଧିକ ସମାଲୋଚନା ହେଡ୍ କୋଚ୍ ଗୌତମ ଗମ୍ଭୀରକୁ କରାଯାଉଛି । କାରଣ ସେ ଯେଉଁଭଳି ଭାବେ ଦଳକୁ ଚଳାଉଛନ୍ତି ତାହା ଦଳକୁ ସଫଳତା ଦେବା ବଦଳରେ ଟେଷ୍ଟରେ ଅଧିକ ବିଫଳତା ଦେଇଛି ।
ସୂଚନାଯୋଗ୍ୟ, ଗୌହାଟୀରେ ଖେଳା ଯାଇଥିବା ଦ୍ୱିତୀୟ ଟେଷ୍ଟକୁ ଦକ୍ଷିଣ ଆଫ୍ରିକା ରେକର୍ଡ ୪୦୮ ରନରେ ଜିତିଛି । ଆଉ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜକୁ ଭ୍ରମଣକାରୀ ଦଳ ୨-୦ରେ ଜିତି ପାରିଛି । ଏଥି ସହ ଦୀର୍ଘ ୨୫ ବର୍ଷ ପରେ ଭାରତ ମାଟିରେ ଟେଷ୍ଟ ସିରିଜ୍ ଜିତିବାରେ ସଫଳ ହୋଇଛି ଦକ୍ଷିଣ ଆଫ୍ରିକା । ଭ୍ରମଣକାରୀ ଦଳ ଦ୍ୱାରା ଧାର୍ଯ୍ୟ ୫୪୯ ରନର ବିଶାଳ ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ୧୪୦ ରନରେ ଅଲଆଉଟ୍ ହୋଇଛି ।
Also read: ଗୌହାଟୀ ଟେଷ୍ଟରେ ଭାରତର ଲଜ୍ଜାଜନକ ପରାଜୟ, ୨୫ ବର୍ଷ ପରେ ଦ. ଆଫ୍ରିକା କଲା କ୍ଲିନ ସୁଇପ