ଗୌହାଟୀ: ଦକ୍ଷିଣ ଆଫ୍ରିକାର ହାତ ମୁଠାରେ ଗୌହାଟୀ ଟେଷ୍ଟ। ଏଠାରେ ଖେଳା ଯାଉଥିବା ଦ୍ଵିତୀୟ ଟେଷ୍ଟର ତୃତୀୟ ଦିନର ଖେଳ ଶେଷ ସୁଦ୍ଧା,ଦକ୍ଷିଣ ଆଫ୍ରିକା ତା’ର ଦ୍ୱିତୀୟ ଇନିଂସରେ କୌଣସି ୱିକେଟ୍ ନ ହରାଇ ୨୬ ରନ୍ କରିଛି। ଦକ୍ଷିଣ ଆଫ୍ରିକା ୩୧୪ ରନ ଅଗ୍ରଣୀ ହାସଲ କରିଛି। ଦକ୍ଷିଣ ଆଫ୍ରିକାର ୪୮୯ ରନ ଜବାବରେ ଭାରତର ପ୍ରଥମ ଇନିଂସ ମାତ୍ର ୨୦୧ ରନରେ ଅଲ ଆଉଟ୍ ହୋଇଥିଲା।ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ୨୮୮ ରନର ବିଶାଳ ଅଗ୍ରଣୀ ହାସଲ କରିଛି। ମାର୍କୋ ଜାନସେନ୍ ପ୍ରଥମ ଇନିଂସରେ ଛଅଟି ୱିକେଟ୍ ନେଇ ଇତିହାସ ରଚିଛନ୍ତି।
ଦ୍ୱିତୀୟ ଦିନର ଅସମାପ୍ତ ଖେଳ ୯/୦ରେ ଭାରତ ବ୍ୟାଟିଂ ଆରମ୍ଭ କରିଥିଲା । ଦୁଇ ଓପନର ଜୟସ୍ୱାଲ ଓ କଏଲ ରାହୁଲ ଭଲ ଆରମ୍ଭ ଦେଇଥିଲେ । ପ୍ରଥମ ୱିକେଟ୍ରେ ୬୫ ରନ ଯୋଡିଥିଲେ । କେଏଲ ରାହୁଲ ୨୨ ରନ କରି ଆଉଟ୍ ହୋଇଥିଲେ । ଏହା ପରେ ଭାରତ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା । ଏକଦା ଗୋଟିଏ ୱିକେଟ୍ ହରାଇ ୯୫ ରନ କରିଥିବା ଭାରତ ୧୭ ରନ ଭିତରେ ୬ ୱିକେଟ୍ ହରାଇ ହରାଇଥିଲା ।
ଅର୍ଦ୍ଧଶତକ ସହ କ୍ରିଜରେ ଜମିଥିବା ଜୟସ୍ୱାଲ ୫୮ ରନର ଇନିଂସ ଖେଳି ଆଉଟ୍ ହୋଇଥିଲେ । ପୁଣି ସାଇ ସୁଦର୍ଶନ ୧୫ ରନ କରିଥିବା ବେଳେ ଚାରି ନମ୍ବରରେ ବ୍ୟାଟିଂ କରିଥିବା ଧ୍ରୁବ ଜୁରେଲ ଖାତା ବି ଖୋଲି ପାରି ନ ଥିଲେ । ଋଷଭ ପନ୍ତ ବଡ ସଟ୍ ଖେଳିବା ଉଦ୍ୟମରେ ୭ ରନ, ରବୀନ୍ଦ୍ର ଜାଡେଜା ୬ ରନ ଓ ନୀତିଶ କୁମାର ରେଡ୍ଡୀ ୧୦ ରନ କରି ଆଉଟ୍ ହୋଇଥିଲେ ।
୧୧୨ ରନରେ ୭ ୱିକେଟ୍ ହରାଇ ସଙ୍କଟ ଜନକ ସ୍ଥିତିରେ ପଡିଥିଲା ଭାରତ । ଦଳ ଫଲୋଅନ ଏଡାଇବାକୁ ସଂଘର୍ଷ କରିଥିଲା। ତେବେ ୱାଶିଂଟନ ସୁନ୍ଦର ଓ କୁଲଦୀପ ଯାଦବ କ୍ରିଜରେ ଜମି ରହି ଦଳର ସ୍ଥିତି ସୁଧାରିବାକୁ ଉଦ୍ୟମ କରିଥିଲେ । ଦୁହେଁ ଅଷ୍ଟମ ୱିକେଟ୍ ପାଇଁ ୭୨ ରନ ଯୋଡ଼ଥିଲେ ହେଁ ଭାରତକୁ ଫଲୋଅନରୁ ବଞ୍ଚାଇ ପାରି ନଥିଲେ। ଓ୍ଵାଶିଂଟନ ସୁନ୍ଦର ୪୮ ରନ କରି ଆଉଟ୍ ହୋଇଥିଲେ। ତାଙ୍କ ପରେ କୁଲଦୀପ ଯାଦବ ୧୯ ରନ କରିଥିଲେ। ଶେଷରେ ଭାରତ ୨୦୧ ରନରେ ଅଲଆଉଟ୍ ହୋଇଛି।
ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସ୍ରେ ୨୮୮ ରନ୍ର ଅଗ୍ରଣୀ ହାସଲ କରିଛି। ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ଦଳ କୌଣସି ଓ୍ଵିକେଟ୍ ନ ହରାଇ ୨୬ ରନ କରିଛି। ଆଉ ୩୧୪ ରନ ଆଗରେ ରହିଛି। ଭାରତୀୟ ଦଳ କୋଲକାତା ଟେଷ୍ଟ ୩୦ ରନରେ ହାରିଥିବା ବେଳେ ଏବେ ଗୌହାଟି ଟେଷ୍ଟରେ ମଧ୍ୟ ପରାଜୟର ଆଶଙ୍କାରେ ପଡ଼ି ଯାଇଛି ଦଳ।
ମାର୍କୋ ଜାନସେନ ରଚିଲେ ଇତିହାସ
ମାର୍କୋ ଜାନସେନ ୨୦୦୦ ପରେ ତୃତୀୟ ବିଦେଶୀ ଖେଳାଳି ଭାବେ ଭାରତରେ ୫୦ରୁ ଅଧିକ ସ୍କୋର୍ କରିବା ସହ ଏକ ଟେଷ୍ଟ୍ ମ୍ୟାଚ୍ରେ ପାଞ୍ଚ କିମ୍ବା ତା’ଠାରୁ ଅଧିକ ୱିକେଟ୍ ନେଇଛନ୍ତି। ପ୍ରଥମ ଇନିଂସରେ ବ୍ୟାଟିଂ ସମୟରେ ସେ ୯୩ ରନ କରିଥିଲେ ଏବଂ ବୋଲିଂରେ ୬ ଓ୍ଵିକେଟ୍ ନେଇଛନ୍ତି।