ନୂଆଦିଲ୍ଲୀ: ଭାରତୀୟ କ୍ରୀଡ଼ା ଜଗତ ଏବଂ କ୍ରୀଡ଼ା ପ୍ରେମୀଙ୍କ ପାଇଁ ଆସିଛି ଖୁସି ଖବର । ଭାରତ ମାଟିରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ବା କମୱେଲଥ୍ ଗେମର ପାଳନ ହେବ ୧୦୦ ବର୍ଷ ପୂର୍ତ୍ତି । ଦୀର୍ଘ ୨୫ ବର୍ଷର ବ୍ୟବଧାନ ପରେ ଭାରତକୁ ଫେରିଛି ରାଜ୍ୟଗୋଷ୍ଠୀ କ୍ରୀଡ଼ା । ଆସନ୍ତା ୨୦୩୦ରେ ଗୁଜରାଟର ଅହମ୍ମଦାବାଦ ସହର ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ କରିବାକୁ ଅନୁମତି ପାଇଛି । ବୁଧବାର ସ୍କଟଲ୍ୟାଣ୍ଡରେ ଆୟୋଜିତ ସାଧାରଣ ପରିଷଦ ବୈଠକରେ କମନୱେଲଥ୍ ସ୍ପୋର୍ଟ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଏହା ଆଗାମୀ ୨୦୩୬ ଅଲିମ୍ପିକ୍ ଆୟୋଜନ ପାଇଁ ଏକ ବଡ଼ ପ୍ରେରଣା ଦେବ ବୋଲି ଆଶା କରାଯାଉଛି । ୨୦୧୦ରେ ଶେଷ ଥର ପାଇଁ ଦିଲ୍ଲୀରେ ଏହାକୁ ଆୟୋଜନ କରାଯାଇଥିଲା ।
ଗ୍ଲାସଗୋରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ କ୍ରୀଡା ସାଧାରଣ ପରିଷଦରେ ୭୪ଟି ରାଜ୍ୟଗୋଷ୍ଠୀ ସଦସ୍ୟ ରାଷ୍ଟ୍ର ଏବଂ ଅଞ୍ଚଳର ପ୍ରତିନିଧିମାନେ ଭାରତର ଦାବିକୁ ଅନୁମୋଦନ କରିଛନ୍ତି । ଅହମ୍ମଦାବାଦକୁ ଆନୁଷ୍ଠାନିକ ଭାବରେ ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡାର ଆୟୋଜକ ସହର ଭାବରେ ନାମିତ କରାଯାଇଛି । ଯାହା ନାଇଜେରିଆର ଆବୁଜାକୁ ପଛରେ ପକାଇ ଦେଇଥିଲା । ଭାରତ ପକ୍ଷରୁ କ୍ରୀଡ଼ା ଯୁଗ୍ମ ସଚିବ କୁନାଲ କେ., ଭାରତୀୟ ଅଲମ୍ପିକ ଆସୋସିଏସନର ଅଧ୍ୟକ୍ଷା ପିଟି ଉଷା, ସିଇଓ ରଘୁରାମ ଆୟର ଏବଂ ଗୁଜରାଟ ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ହର୍ଷ ସାଙ୍ଘବୀ ପ୍ରତିନିଧିତ୍ୱ କରିଥିଲେ । ଅହମ୍ମଦାବାଦକୁ ଆୟୋଜକ ଭାବରେ ଘୋଷଣା କରିବାର କିଛି ମୁହୂର୍ତ୍ତ ପରେ ପ୍ରଦର୍ଶିତ ଗୁଜରାଟର ପାରମ୍ପାରିକ ନୃତ୍ୟ ଗରବା । ୨୦ ଜଣ ଗରବା ନୃତ୍ୟଶିଳ୍ପୀ ଏବଂ ୩୦ ଜଣ ଭାରତୀୟ ଢୋଲ ବାଦକ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଉପସ୍ଥିତ ପ୍ରତିନିଧିମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ ।
ରାଜ୍ୟଗୋଷ୍ଠୀ କ୍ରୀଡ଼ା-୨୦୩୦ରେ ୧୫-୧୭ଟି ବିଭାଗର କ୍ରୀଡା ସ୍ଥାନ ପାଇବ । ଗ୍ଲାସଗୋରେ ଅନୁଷ୍ଠିତ ହେବାକୁ ଥିବା ପରବର୍ତ୍ତୀ କ୍ରୀଡାରେ ୧୦ ଟି କ୍ରୀଡା ସ୍ଥାନ ପାଇବ । ଉଭୟ ସାଧାରଣ ବର୍ଗ ଏବଂ ପାରା-ବର୍ଗରେ କ୍ରୀଡ଼ା ଆୟୋଜନ କରାଯିବ । ସ୍ଥାନ ପାଇଥିବା ଖେଳ ମଧ୍ୟରେ ରହିଛି ଦୌଡ଼କୁଦ, ସନ୍ତରଣ, ଟେବୁଲ୍ ଟେନିସ୍, ବାଉଲ୍ସ, ଭାରୋତ୍ତଳନ, ଜିମ୍ନାଷ୍ଟିକ୍, ନେଟ୍ ବଲ୍ ଏବଂ ବକ୍ସିଂ । ସେହିପରି ଅନ୍ୟ କ୍ରୀଡ଼ା ଯେପରିକି ତୀରନ୍ଦାଜ, ବ୍ୟାଡ଼ମିଣ୍ଟନ୍, ବାସ୍କେଟ୍ ବଲ୍, ହ୍ୱିଲ୍ ଚେୟାର ବାସ୍କେଟ୍ ବଲ୍, ବିଚ୍ ଭଲିବଲ୍, ଟି-୨୦ କ୍ରିକେଟ୍, ସାଇକ୍ଲିଂ, ଡାଇଭିଂ, ହକି, ଜୁଡ଼ୋ, ରିଦିମିକ୍ ଜିମ୍ନାଷ୍ଟିକ୍, ରଗବୀ, ସୁଟିଂ, ସ୍କ୍ୱାସ୍ ଏବଂ ମୁଷ୍ଟି ଯୋଦ୍ଧାକୁ ସାମିଲ କରାଯିବାକୁ ବିଚାର କରାଯାଉଛି । ଆସନ୍ତା ମାସରେ ଖେଳ କାର୍ଯ୍ୟକ୍ରମକୁ ନେଇ ପଦକ୍ଷେପ ଗ୍ରହଣ କରାଯିବ । ଆସନ୍ତା ବର୍ଷରେ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ପ୍ରକାଶ ପାଇବ ।
"ରାଜ୍ୟଗୋଷ୍ଠୀ କ୍ରୀଡ଼ା ଦ୍ୱାରା ଦେଖାଯାଇଥିବା ବିଶ୍ୱାସ ପାଇଁ ଆମେ ଗଭୀର ଭାବରେ ସମ୍ମାନିତ । ୨୦୩୦ କ୍ରୀଡ଼ା କେବଳ କମନୱେଲଥ ଆନ୍ଦୋଳନର ଶହେ ବର୍ଷ ପାଳନ କରିବ ନାହିଁ ବରଂ ପରବର୍ତ୍ତୀ ଶତାବ୍ଦୀର ମୂଳଦୁଆ ମଧ୍ୟ ସ୍ଥାପନ କରିବ । ଏହା ଖେଳାଳି, ସମ୍ପ୍ରଦାୟ ଏବଂ ସଂସ୍କୃତିକୁ ବନ୍ଧୁତା ଏବଂ ପ୍ରଗତି ଭାବନାରେ ଏକତ୍ରିତ କରିବ ବୋଲି କହିଛନ୍ତି ପିଟି ଉଷା ।
ପୂର୍ବରୁ ଅହମ୍ମଦାବାଦ ସହର ଅନେକ ଅନ୍ତର୍ଜାତୀୟ ଖେଳ ପ୍ରତିଯୋଗିତାକୁ ସଫଳତାର ସହିତ ଆୟୋଜନ କରିଛି । ଏସିଆନ୍ ଭାରୋତ୍ତଳନ ଚାମ୍ପିଅନସିପ୍, ଏସିଆ ପାରା-ତୀରନ୍ଦାଜୀ କପ୍, ରାଜ୍ୟଗୋଷ୍ଠୀ କ୍ରୀଡ଼ା ଭାରୋତ୍ତଳନ ଚାମ୍ପିଅନସିପ୍, ଏସିଆନ୍ ଆକ୍ୱାଟିକ୍ ଚାମ୍ପିଅନସିପ୍ ଏବଂ ଏଏଫସି ଅଣ୍ଡର୍-୧୭ ଫୁଟବଲ୍ ଏସିଆ କପ୍ ଆୟୋଜନ କରିଛି । ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍ ସ୍ସୋର୍ଟ୍ସ ଏନକ୍ଲେଭ୍ ଏବଂ ନରେନ୍ଦ୍ର ମୋଦୀ କ୍ରିକେଟ୍ ଷ୍ଟାଡିୟମ୍ ପ୍ରତିଯୋଗିତାର ସ୍ଥାନ ରହିଛି । ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍ ସ୍ସୋର୍ଟ୍ସ ଏନକ୍ଲେଭ୍ ବର୍ତ୍ତମାନ ନିର୍ମାଣଧୀନ ରହିଛି । ଯେଉଁଥିରେ ପ୍ରାୟ ୩୦୦୦ ଦର୍ଶକଙ୍କ ବସିବାର କ୍ଷମତା ରହିଛି ।
୨୦୧୦ରେ ଶେଷ ଥର ପାଇଁ ଦିଲ୍ଲୀର ମେଜର୍ ଧ୍ୟାନଚାନ୍ଦ ଷ୍ଟାଡିୟମରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ କରାଯାଇଥିଲା । ୧୯୩୦ରେ ପ୍ରଥମ ଥର ପାଇଁ କାନାଡ଼ାର ହାମିଲଟନ୍ ସହରରେ ଏହି କ୍ରୀଡ଼ାର ଶୁଭାରମ୍ଭ ହୋଇଥିଲା । ୨୦୩୦ରେ ଏହା ଶହେ ବର୍ଷ ପୂରଣ କରିବାକୁ ଯାଉଛି ।