ଗୌହାଟୀ: ବ୍ୟାଟିଂ ଓ ବୋଲିଂ ସବୁଥରେ ଫ୍ଲପ୍। ଯେଉଁ ପିଚରେ ଭାରତୀୟ ବୋଲର ଅସହାୟ ନଜର ଆସୁଛନ୍ତି ଏବଂ ବ୍ୟାଟର ଛିଡ଼ା ହୋଇ ପାରୁ ନାହାନ୍ତି ସେହି ପିଚରେ ଦକ୍ଷିଣ ଆଫ୍ରିକାର ବୋଲର ଓ ବ୍ୟାଟର କମାଲ ପ୍ରଦର୍ଶନ କରିଛନ୍ତି। ଫଳରେ ପରାଜୟର ଦ୍ଵାର ଦେଶରେ ଛିଡ଼ା ହୋଇଛି ଭାରତ। ଚତୁର୍ଥ ଦିନରେ ଦକ୍ଷିଣ ଆଫ୍ରିକା ଭାରତକୁ ୫୪୯ ରନର ବିଜୟ ଲକ୍ଷ୍ୟ ଦେଇଛି। ଜବାବରେ, ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା ଟିମ୍ ଇଣ୍ଡିଆ ୨୭ ରନରେ ଦୁଇଟି ୱିକେଟ ହରାଇଛି। ଭାରତୀୟ ଦଳ ଏପର୍ଯ୍ୟନ୍ତ ୫୨୨ ରନ ପଛରେ ରହିଛି।
ସାଇ ସୁଦର୍ଶନ ଏବଂ କୁଲଦୀପ ଯାଦବ ବର୍ତ୍ତମାନ ବ୍ୟାଟିଂ କ୍ରିଜରେ ଅଛନ୍ତି। ଚତୁର୍ଥ ଦିନ ଦକ୍ଷିଣ ଆଫ୍ରିକା ୨୬୦ ରନରେ ଦ୍ୱିତୀୟ ଇନିଂସ ଘୋଷଣା କରିଥିଲା। ଭାରତକୁ ପ୍ରଥମ ଇନିଂସ ଅଗ୍ରଣୀ ଆଧାରରେ ୫୪୯ ରନର ଟାର୍ଗେଟ ଦେଇଥିଲା। ଆଉ ଭାରତୀୟ ଦଳ ଏକ ବଡ଼ ପରାଜୟର ଦ୍ୱାରଦେଶରେ ଅଛି। ସୂଚନାଯୋଗ୍ୟ, ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ୪୮୯ ରନ କରିଥିବା ବେଳେ ଭାରତ ୨୦୧ ରନରେ ଅଲଆଉଟ୍ ହୋଇଥିଲା।
ଦକ୍ଷିଣ ଆଫ୍ରିକା ଚତୁର୍ଥ ଦିନ ୨୬/୦ ରୁ ଆରମ୍ଭ କରିଥିଲା। ରିଆନ ରିକେଲଟନ ୩୫ ଏବଂ ଏଡେନ ମାର୍କରାମ ୨୯ ରନ କରି ଆଉଟ ହୋଇଥିଲେ। ଟିମ୍ ଇଣ୍ଡିଆ ପାଇଁ ଟ୍ରିଷ୍ଟନ ଷ୍ଟବସ୍ ମୁଣ୍ଡ ବିନ୍ଧାର କାରଣ ପାଲଟିଥିଲେ। ସେ ୯୪ ରନ କରିଥିଲେ। ଟୋନି ଡି ଜୋରଜି ୪୯ ରନ କରି ରବୀନ୍ଦ୍ର ଜାଡେଜାଙ୍କ ଦ୍ୱାରା ଆଉଟ ହୋଇ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ। ଓ୍ଵିୟାନ ମୁଲଡୋର ୩୫ ରନ କରି ଅପରାଜିତ ଥିଲେ। ଶେଷରେ ଦକ୍ଷିଣ ଆଫ୍ରିକା ୫ ଓ୍ଵିକେଟ୍ ହରାଇ ୨୬୦ ରନରେ ଇନିଂସ ସମାପ୍ତ ଘୋଷଣା କରିଥିଲା। ରବୀନ୍ଦ୍ର ଜାଡେଜା ଦ୍ୱିତୀୟ ଇନିଂସରେ ଭାରତ ପାଇଁ ତିନୋଟି ୱିକେଟ ନେଇଛନ୍ତି।
ଲଜ୍ଜାଜନକ ପରାଜୟର ଦ୍ୱାରଦେଶରେ ଟିମ୍ ଇଣ୍ଡିଆ
୫୪୯ ରନର ବିଜୟ ଲକ୍ଷ୍ୟ ପିଛା କରି ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା ଭାରତୀୟ ଦଳ ଦୁଇ ୱିକେଟ୍ ହରାଇ ମାତ୍ର ୨୭ ରନ କରିଛି। ଯଶସ୍ଵୀ ଜୟସ୍ଵାଲ ୧୩ ରନ ଓ କେଏଲ ରାହୁଲ ୬ ରନ କରି ପାଭିଲିୟନ ଫେରିଛନ୍ତି। ସାଇ ସୁଦର୍ଶନ ୨ ରନ ଓ କୁଲଦୀପ ଯାଦବ ୪ ରନ କରି ଅପରାଜିତ ଅଛନ୍ତି। ପଞ୍ଚମ ଦିନରେ ଭାରତକୁ ଜିତିବା ପାଇଁ ଅସମ୍ଭବ ୫୨୨ ରନ ଦରକାର ଥିବା ବେଳେ ଦକ୍ଷିଣ ଆଫ୍ରିକାକୁ ଦରକାର ୮ ଓ୍ଵିକେଟ୍। ଅଷ୍ଟ୍ରେଲିଆର ଭାରତ ବିପକ୍ଷରେ ସର୍ବବୃହତ୍ ଟେଷ୍ଟ୍ ବିଜୟର ରେକର୍ଡ ରଖିଛି, ଯାହା ୨୦୨୪ରେ ଭାରତକୁ ୩୪୨ ରନରେ ପରାସ୍ତ କରିଥିଲା। ଦକ୍ଷିଣ ଆଫ୍ରିକା ଏହି କ୍ଷେତ୍ରରେ ଅଷ୍ଟ୍ରେଲିଆକୁ ପଛରେ ପକାଇପାରେ।