ଗୌହାଟୀ: ଏଠାକାର ବରସାପରା ଷ୍ଟାଡିୟମରେ ଖେଳା ଯାଉଥିବା ଦ୍ୱିତୀୟ ଟେଷ୍ଟରେ ଏ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାର ସ୍ଥିତି ମଜବୁତ ରହିଛି । ଦକ୍ଷିଣ ଆଫ୍ରିକା ବ୍ୟାଟରଙ୍କ ଆଗରେ ଭାରତୀୟ ବୋଲର ଲାଚାର ସାବ୍ୟସ୍ତ ହୋଇଛନ୍ତି । ୱିକେଟ୍ ନେବା ପାଇଁ ବୋଲରଙ୍କୁ ନାକେଦମ ହେବାକୁ ପଡିଛି । ଦ୍ୱିତୀୟ ଦିନ ଖେଳର ମଧ୍ୟାହ୍ନ ଭୋଜନ ସୁଦ୍ଧା ଭ୍ରମଣକାରୀ ଦଳ ୭ ୱିକେଟ୍ ହରାଇ ୪୨୮ ରନ କରିଛି । ସେନୁରନ ମୁଥୁସାମି ୧୦୭ ରନର ଶତକୀୟ ଇନିଂସ ଓ ମାର୍କୋ ଜନସେନ ୫୧ ରନ କରି କ୍ରିଜରେ ଅପରାଜିତ ଅଛନ୍ତି ।
ଆଜି ଦ୍ୱିତୀୟ ଦିନର ଖେଳ ୨୪୬/୬ରୁ ବ୍ୟାଟିଂ ଆରମ୍ଭ କରିଥିଲା । କ୍ରିଜରେ ଥିଲେ ମୁଥୁସାମି ଓ କାଇଲ ଭେରେନ । ଉଭୟ ପ୍ରଥମ ସେସନରେ ଦମଦାର ବ୍ୟାଟିଂ କରି ଭାରତକୁ କୌଣସି ସୁଯୋଗ ଦେଇ ନ ଥିଲେ । ଦୁଇ ବ୍ୟାଟର ସପ୍ତମ ୱିକେଟ ଭାଗିଦାରୀରେ ୮୮ ରନ ଯୋଡିଥିଲେ । ଭେରେନଙ୍କୁ ଆଉଟ୍ କରି ଏହି ଯୋଡି ଭାଙ୍ଗିଥିଲେ ରବୀନ୍ଦ୍ର ଜାଡେଜା । ସେ ୪୫ ରନର ଉପଯୋଗୀ ଇନିଂସ ଖେଳିତିଲେ । ଏହା ପରେ ଆଶା କରାଯାଉଥିଲା ଦକ୍ଷିଣ ଆଫ୍ରିକା ଇନିଂସ ଶୀଘ୍ର ସମାପ୍ତ ହେବ । କିନ୍ତୁ ଅନ୍ୟପଟେ ମୁଥୁସାମି ଦମଦାର ବ୍ୟାଟିଂ କରି ଶତକ ଅର୍ଜନ କରିଛନ୍ତି । ସେ ଓ ମାର୍କୋ ଜନସେନ ଅବିଭାଜିତ ଅଷ୍ଟମ ୱିକେଟରେ ଏ ପର୍ଯ୍ୟନ୍ତ ୯୪ ରନ ଯୋଡି ସାରିଛନ୍ତି । ଦୁଇ ବ୍ୟାଟରଙ୍କ ଆଗରେ ଭାରତୀୟ ବୋଲର ବିବଶ ଓ ଲାଚାର ଅଛନ୍ତି ।
ପ୍ରଥମ ଦିନର ଶେଷ ସେନସରେ ଭାରତ ୪ ୱିକେଟ ନେଇ ଯେଉଁଭଳି ପ୍ରତ୍ୟାବର୍ତ୍ତନ କରିଥିଲା, ଲାଗୁଥିଲା ଭ୍ରମଣକାରୀ ଦଳ ୩୦୦ ରନ ଭିତରେ ସୀମିତ ରହିବ । କିନ୍ତୁ ମୁଥୁସାମି ଭାରତୀୟ ବୋଲରଙ୍କ ଉଚିତ୍ ମୁକାବିଲା କରି ନିଜ ଦଳକୁ ବିଶାଳ ସ୍କୋର ଅଭିମୁଖେ ନେଇଛନ୍ତି । ପ୍ରଥମ ଦିନ ଖେଳରେ ଆଡନ ମାରକ୍ରମ ୩୮ ରନ, ରିୟାନ ରିକଲଟନ ୩୫, ଟ୍ରିଷ୍ଟନ ଷ୍ଟବ୍ସ ୪୯, ଅଧିନାୟକ ତେମ୍ବ ବାଭୁମା ୪୧ରନ ସମସ୍ତେ ଭଲ ବ୍ୟାଟିଂ କରିଥିଲେ । ଭାରତ ପକ୍ଷରୁ ଏ ପର୍ଯ୍ୟନ୍ତ କୁଲଦୀପ ଯାଦବ ସର୍ବାଧିକ ୩ ୱିକେଟ ନେଇଥିଲେ ହେଁ ୧୦୦ରୁ ଅଧିକ ରନ ବ୍ୟୟ କରି ସାରିଛନ୍ତି ।
Also read: ଦିନିକିଆ ସିରିଜ୍ ବି ଖେଳିବେ ନାହିଁ ଶୁଭମନ ଗିଲ୍ ! ଅଧିନାୟକ ଦୌଡ଼ରେ ଦୁଇ ଜଣ ଖେଳାଳି