ନୂଆଦିଲ୍ଲୀ: ଶୁଭମନ ଗିଲ୍ ଆହତ ଯୋଗୁଁ ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟ ଖେଳିପାରି ନଥିଲେ। ତାଙ୍କ ସ୍ଥାନରେ ରିଷଭ ପନ୍ତ ଅଧିନାୟକ ଦାୟିତ୍ୱ ତୁଲାଉଛନ୍ତି। ଏବେ ପିଟିଆଇ ରିପୋର୍ଟରୁ ଜଣାପଡିଛି ଯେ ଗିଲ୍ ମଧ୍ୟ ଦିନିକିଆ ସିରିଜରୁ ବାଦ ପଡ଼ିପାରନ୍ତି ଏବଂ କେଏଲ ରାହୁଲ ଏବଂ ରିଷଭ ପନ୍ତଙ୍କୁ ଦିନିକିଆ ଅଧିନାୟକ ପାଇଁ ବିଚାର କରାଯାଇପାରେ। ବରିଷ୍ଠ ବ୍ୟାଟର ରୋହିତ ଶର୍ମା ମଧ୍ୟ ଦଳରେ ଅଛନ୍ତି।
ଶୁଭମନ ଗିଲଙ୍କୁ ଦିନିକିଆ ସିରିଜରୁ ଦିଆଯାଇପାରେ ବିଶ୍ରାମ
ବିସିସିଆଇର ବିଶ୍ୱସ୍ତ ସୂତ୍ର ଅନୁଯାୟୀ, ଶୁଭମନ ଗିଲଙ୍କ ଆଘାତ କେବଳ ବେକ ସ୍ପାମ୍ସ୍ ନୁହେଁ। ତାଙ୍କୁ ବିଶ୍ରାମ ଆବଶ୍ୟକ ହେବ ଏବଂ ଭାରତୀୟ ଦଳ ମ୍ୟାନେଜମେଣ୍ଟ ତାଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ କୌଣସି ତରବରିଆ ନିଷ୍ପତ୍ତି ନେବାକୁ ଚାହୁଁ ନାହାନ୍ତି। କୋଲକାତାରେ ପ୍ରଥମ ଟେଷ୍ଟରେ ବ୍ୟାଟିଂ ସମୟରେ ଗିଲଙ୍କ ବେକରେ ଆଘାତ ଲାଗିଥିଲା। ଏହା ପରେ ସେ ରିଟାୟାର୍ଡ ହର୍ଟ ହୋଇ ପାଭିଲିୟନକୁ ଫେରିଥିଲେ। ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରିନଥିଲେ।
ଶୁଭମନ ଗିଲ ବର୍ତ୍ତମାନ ମୁମ୍ବାଇରେ ଅଛନ୍ତି, ତାଙ୍କର ଏମଆରଆଇ ସମେତ ଆହୁରି ପରୀକ୍ଷା କରାଯାଉଛି। ଚୟନକର୍ତ୍ତାମାନେ ଆଶାବାଦୀ ଯେ ଗିଲ୍ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ଖେଳିପାରିବେ। ଋଷଭ ପନ୍ତ ଦ୍ୱିତୀୟ ଟେଷ୍ଟରେ ଅଧିନାୟକତ୍ଵ କରୁଥିବା ପନ୍ତ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜରେ ଦଳର ନେତୃତ୍ଵ ନେବା ପାଇଁ ଦାବିଦାର। ତଥାପି, ସେ ଗତ ବର୍ଷ କେବଳ ଗୋଟିଏ ଦିନିକିଆ ଖେଳିଛନ୍ତି। କେଏଲ ରାହୁଲଙ୍କ ଉପରେ ମଧ୍ୟ ଚୟନକର୍ତ୍ତା ବିଚାର କରି ପାରନ୍ତି।
ଜୟସୱାଲ ରୋହିତଙ୍କ ସହ ଓପନିଂ କରିପାରନ୍ତି
ପିଟିଆଇର ରିପୋର୍ଟ ଅନୁଯାୟୀ, ଯଶସ୍ୱୀ ଜୟସୱାଲ ଦିନିକିଆ ସିରିଜରେ ରୋହିତ ଶର୍ମାଙ୍କ ସହ ଇନିଂସ ଓପନ କରିପାରନ୍ତି। ଅଭିଷେକ ଶର୍ମା ରିଜର୍ଭ ଓପନର ହୋଇପାରନ୍ତି। ହର୍ଷିତ ରାଣା, ମହମ୍ମଦ ସିରାଜ ଏବଂ ଅର୍ଶଦୀପ ସିଂହ ଦ୍ରୁତ ବୋଲିଂ ଦାୟିତ୍ୱ ସମ୍ଭାଳିବେ। ଯଶପ୍ରୀତ ବୁମରାଙ୍କୁ ବିଶ୍ରାମ ଦିଆଯାଇପାରେ। ଅନ୍ୟପକ୍ଷରେ, ଆହତ ସମସ୍ୟା ଦେଇ ସଂଘର୍ଷ କରୁଥିବା ହାର୍ଦ୍ଦିକ ପାଣ୍ଡ୍ୟା ଆସନ୍ତା ବର୍ଷ ବିଶ୍ୱକପ୍ ପର୍ଯ୍ୟନ୍ତ କେବଳ ଟି-୨୦ ଖେଳିବେ। କୁଲଦୀପ ଯାଦବ ବ୍ୟକ୍ତିଗତ କାରଣରୁ ବିରତି ନେଇପାରନ୍ତି। ଏହି ପରିସ୍ଥିତିରେ, ସ୍ପିନ୍ ବିଭାଗ ଅକ୍ଷର ପଟେଲ, ବରୁଣ ଚକ୍ରବର୍ତ୍ତୀ ଏବଂ ୱାଶିଂଟନ ସୁନ୍ଦରଙ୍କ ଉପରେ ନିର୍ଭର କରିବ।
Also read: ତୃତୀୟ ସେସନରେ ଟିମ୍ ଇଣ୍ଡିଆର ପ୍ରତ୍ୟାବର୍ତ୍ତନ, ଦକ୍ଷିଣ ଆଫ୍ରିକା ୨୪୭/୬, କୁଲଦୀପଙ୍କୁ ୩ ଓ୍ଵିକେଟ୍