ନୂଆଦିଲ୍ଲୀ: ଆସନ୍ତାବର୍ଷ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି । ଏହା ମଧ୍ୟରେ ୨୦୨୬ ଟି୨୦ ବିଶ୍ୱକପର କାର୍ଯ୍ୟସୂଚୀ ସମ୍ପର୍କରେ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ୍ ଫେବୃଆରୀ ୧୫ ତାରିଖରେ ହୋଇପାରେ। ତେବେ ଆଇସିସି ଏବଂ ବିସିସିଆଇ ଏ ପର୍ଯ୍ୟନ୍ତ କାର୍ଯ୍ୟସୂଚୀ ସ୍ପଷ୍ଟ କରି ନାହାନ୍ତି । ବିଶ୍ୱକପ୍ ଫେବୃଆରୀ ୭ ରୁ ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ଖେଳାଯାଇପାରେ। ଭାରତ ଏବଂ ଶ୍ରୀଲଙ୍କା ମିଳିତ ଭାବରେ ବିଶ୍ୱକପ୍ ଆୟୋଜନ କରିବେ।
ରେଭସ୍ପୋର୍ଟ୍ସ ଅନୁଯାୟୀ, ଟି ୨୦ ବିଶ୍ୱକପରେ ଭାରତୀୟ ଦଳର ପ୍ରଥମ ମ୍ୟାଚ୍ ଆମେରିକା ବିପକ୍ଷରେ ହୋଇପାରେ। ଏହି ମ୍ୟାଚ ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମ୍ୟାଚ୍ ହେବ କି ନାହିଁ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆସନ୍ତା ବର୍ଷ ଟି ୨୦ ବିଶ୍ୱକପର ଉଦଘାଟନୀ ମ୍ୟାଚ୍ ଏବଂ ଫାଇନାଲ୍ ଖେଳା ଯାଇପାରେ ।
ଚଳିତ ବର୍ଷ ଚାମ୍ପିଅନ୍ସ ଟ୍ରଫି ୨୦୨୫ ଆରମ୍ଭ ହେବା ପୂର୍ବରୁ, ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଏବଂ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଏକମତ ହୋଇଥିଲେ ଯେ ଭାରତ ବନାମ ପାକିସ୍ତାନ ମ୍ୟାଚ୍ ନିରପେକ୍ଷ ସ୍ଥାନରେ ଖେଳାଯିବ। ନରେନ୍ଦ୍ର ମୋଦୀ ଷ୍ଟାଡିୟମ ଅରୁଣ ଜେଟଲି ଷ୍ଟାଡିୟମ, ଇଡେନ ଗାର୍ଡେନ୍ସ, ୱାଙ୍ଖେଡେ ଷ୍ଟାଡିୟମ ଏବଂ ଏମଏ ଚିଦାମ୍ବରମ ଷ୍ଟାଡିୟମକୁ ବିଶ୍ୱକପ୍ ମ୍ୟାଚ୍ ଆୟୋଜନ ପାଇଁ ମନୋନୀତ କରାଯାଇଛି।
ଦୁଇଟି ସେମିଫାଇନାଲ ମ୍ୟାଚ୍ ମଧ୍ୟରୁ ଗୋଟିଏ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଇପାରେ। ପାକିସ୍ତାନ ତାର ସମସ୍ତ ମ୍ୟାଚ୍ ଶ୍ରୀଲଙ୍କାରେ ଖେଳିବ। ଯଦି ପାକିସ୍ତାନୀ ଦଳ ସେମିଫାଇନାଲରେ ପହଞ୍ଚିଯାଏ, ତେବେ ନକଆଉଟ୍ ମ୍ୟାଚ୍ ଭାରତରେ ଅନୁଷ୍ଠିତ ହେବ ନାହିଁ। ବିଶ୍ୱକପ୍ ମ୍ୟାଚ୍ ଆୟୋଜନ ପାଇଁ ଶ୍ରୀଲଙ୍କା କଲମ୍ବୋ ଏବଂ ପାଲଲେକେଲ ଷ୍ଟାଡିୟମକୁ ଚୂଡ଼ାନ୍ତ କରିଥିବା ଜଣାପଡ଼ିଛି। ଡାମ୍ବୁଲା ଏବଂ ହାମ୍ବନଟୋଟା ମଧ୍ୟ ସମ୍ଭାବ୍ୟ ସ୍ଥାନ ରହିଛି।
ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମକୁ ଜୁଲାଇ ପରେ କୌଣସି କ୍ରିକେଟ୍ ମ୍ୟାଚ୍ ଆୟୋଜନ ପାଇଁ ଅନୁମତି ମିଳିନାହିଁ। କିନ୍ତୁ ଏହି ଷ୍ଟାଡିୟମରେ ବିଶ୍ୱକପ୍ ଅଭ୍ୟାସ ମ୍ୟାଚ୍ ଖେଳା ଯାଇପାରେ ।
Also read: ରାଇଜିଂ ଷ୍ଟାର୍ସ ଏସିଆ କପରେ ଭାରତ ଏର ଅଭିଯାନ ସମାପ୍ତ, ସୁପର ଓଭରରେ ହରାଇଲା ବାଂଲାଦେଶ