ଗୌହାଟୀ: ଗୌହାଟି ଟେଷ୍ଟରେ ପ୍ରଥମ ଦିନର ଖେଳ ଶେଷ ହୋଇଛି। ଷ୍ଟମ୍ପ ଅପସାରଣ ସୁଦ୍ଧା ଦକ୍ଷିଣ ଆଫ୍ରିକା ୬ ୱିକେଟ୍ ହରାଇ ୨୪୭ ରନ୍ କରିଛି। ଦକ୍ଷିଣ ଆଫ୍ରିକା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ତୃତୀୟ ସେସନରେ ଭାରତୀୟ ଦଳ ଦମଦାର ପ୍ରତ୍ୟାବର୍ତ୍ତନ କରିବାରୁ ଦକ୍ଷିଣ ଆଫ୍ରିକା ସାମାନ୍ୟ ବ୍ୟାକଫୁଟରେ ରହିଛି। ସେନୁରାନ ମୁଥୁସାମି ଏବଂ କାଇଲ ଭେରେନ୍ କ୍ରିଜରେ ଅଛନ୍ତି।
ଦକ୍ଷିଣ ଆଫ୍ରିକାର ପ୍ରାୟ ସମସ୍ତ ବ୍ୟାଟର ଭଲ ଆରମ୍ଭ କରିଥିଲେ ହେଁ କୌଣସି ବ୍ୟାଟର ଲମ୍ବା ଇନିଂସ ଖେଳି ପାରି ନଥିଲେ। ଆଡନ୍ ମାର୍କରାମ ଏବଂ ରିଆନ୍ ରିକେଲଟନ୍ ଓପନିଂରେ ୮୨ ରନ ଯୋଡ଼ି ଦଳକୁ ଦମଦାର ଆରମ୍ଭ ଦେଇଥିଲେ। ତେବେ ମାର୍କରାମ ଏବଂ ରିକେଲଟନ ଉଭୟ ତିନି ବଲ୍ ବ୍ୟବଧାନରେ ଆଉଟ୍ ହୋଇଥିଲେ। ଏହା ପରେ ଅଧିନାୟକ ତେମ୍ବା ବାଭୁମା ଏବଂ ଟ୍ରିଷ୍ଟନ ଷ୍ଟବ୍ସ ୮୪ ରନର ପାର୍ଟନରସିପ୍ ସହ ଦଳକୁ ଦୃଢ଼ ସ୍ଥିତିରେ ପହଞ୍ଚାଇଥିଲେ।
ତୃତୀୟ ସେସନରେ ଟିମ୍ ଇଣ୍ଡିଆର ପ୍ରତ୍ୟାବର୍ତ୍ତନ
ଦ୍ୱିତୀୟ ସେସନ ସୁଦ୍ଧା, ଦକ୍ଷିଣ ଆଫ୍ରିକା୨ ୱିକେଟ୍ ହରାଇ ୧୫୬ ରନ୍ କରିଥିଲା। ହେଲେ ତୃତୀୟ ସେସନରେ ଭାରତୀୟ ବୋଲର ଦୃଢ଼ ପ୍ରତ୍ୟାବର୍ତ୍ତନ କରିଥିଲେ। ତୃତୀୟ ସେସନରେ ୨୬.୫ ଓଭର ବୋଲିଂ କରି ୯୨ ରନ ଦେଇ ତିନୋଟି ମୂଲ୍ୟବାନ ୱିକେଟ ନେଇଛନ୍ତି ଭାରତୀୟ ବୋଲର। ଏବେ, ଦ୍ୱିତୀୟ ଦିନ ପ୍ରଥମ ସେସନରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାର ଇନିଂସକୁ ୩୦୦ ରନରୁ କମ ସ୍କୋର ଭିତରେ ଅଲଆଉଟ୍ ରଖିବାକୁ ଚେଷ୍ଟା କରିବ।
କୁଲଦୀପ ଯାଦବ ମୋଟ ତିନୋଟି ୱିକେଟ ନେଇଥିଲେ। ଗୌହାଟି ଟେଷ୍ଟର ପ୍ରଥମ ଦିନରେ ଭାରତର ସବୁଠୁ ସଫଳ ବୋଲର ହୋଇଛନ୍ତି କୁଲଦୀପ। ଯଶପ୍ରୀତ ବୁମରା, ମହମ୍ମଦ ସିରାଜ ଏବଂ ରବୀନ୍ଦ୍ର ଜାଡେଜା ପ୍ରତ୍ୟେକେ ଗୋଟିଏ ୱିକେଟ ନେଇଛନ୍ତି। ଉଲ୍ଲେଖନୀୟ ଗୌହାଟିର ବରସାପାରା ଷ୍ଟାଡିୟମରେ ପ୍ରଥମ ଥର ଟେଷ୍ଟ ମ୍ୟାଚ୍ ଆୟୋଜନ କରୁଛି। ପ୍ରଥମ ଦିନରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଟ୍ରିଷ୍ଟନ ଷ୍ଟବ୍ସ ସର୍ବାଧିକ ୪୯ ରନ କରିଥିଲେ।