ଭାରତର ୩୦% ମହିଳା ନିଜର ଅନ୍ତରଙ୍ଗ ସାଥୀ ବା ଜୀବନସାଥୀଙ୍କ ଦ୍ୱାରା ହିଂସାର ଶିକାର ହୋଇଥାନ୍ତି। ଅର୍ଥାତ ସେମାନେ ନିଜ ସ୍ୱାମୀଙ୍କ ଦ୍ଵାରା ଶାରୀରିକ, ମାନସିକ, ଆର୍ଥିକ ଓ ଯୌନ ନିର୍ଯାତନା ଭୋଗିଥାନ୍ତି। ୧୫ ବର୍ଷରୁ ୪୯ ବର୍ଷର ପ୍ରତି ୫ ଜଣରେ ଜଣେ ମହିଳା ଏଭଳି ହିଂସାର ଶିକାର ହୋଇଥାନ୍ତି। ଏଭଳି ଭାବେ ଦେଖିଲେ ବିଶ୍ୱରେ ପ୍ରାୟ ୮୪ କୋଟିରୁ ଅଧିକ ମହିଳା ଜୀବନରେ କେବେ ନା କେବେ ଜୀବନସାଥିଙ୍କ ଦ୍ବାରା ଯୌନ ନିର୍ଯ୍ୟାତନା ଭୋଗିଥାନ୍ତି। ବିଶ୍ୱସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରୁ ଏହା ଜଣାପଡିଛି।
ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ୨୦୦୦ ରୁ ୨୦୨୩ ମଧ୍ୟରେ ୧୬୮ଟି ଦେଶକୁ ନେଇ ସର୍ଭେ କରିବା ପରେ ଏହି ରିପୋର୍ଟ ପ୍ରସ୍ତୁତ କରିଛି I ଆସନ୍ତା ନଭେମ୍ବର ୨୫ ଆନ୍ତର୍ଜାତିକ ମହିଳା ବିରୋଧୀ ହିଂସା ନିବାରଣ ଦିବସ ପୂର୍ବରୁ ଏହି ରିପୋର୍ଟ ଜାରି କରଯାଇଛି। ଏହି ୨୩ ବର୍ଷ ଭିତରେ ମହିଳାଙ୍କ ବିରୋଧରେ ହେଉଥିବା ହିଂସା ହ୍ରାସ କରିବାକୁ ସେଭଳି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଇନାହିଁ। ତେଣୁ ୨୦୩୦ ସୁଦ୍ଧା ମହିଳା ବିରୋଧୀ ହିଂସା ସମାପ୍ତ କରିବା ଲାଗି ଯେଉଁ ଲକ୍ଷ୍ୟ ରଖାଯାଇଛି ତାହା ହାସଲ କରିବା କଷ୍ଟକର ହୋଇପଡିବ।
ଜୀବନସାଥୀ କିମ୍ବା ସ୍ବାମୀଙ୍କୁ ବାଦ୍ ଦେଲେ ଅନ୍ୟମାନଙ୍କ କଥା ଯଦି ଦେଖାଯିବ ତେବେ ବିଶ୍ୱରେ ୧୫ରୁ ୪୯ ବର୍ଷ ବୟସ୍କ ୮.୪ ପ୍ରତିଶତ ମହିଳା ଅନ୍ୟ ବ୍ୟକ୍ତିମାନଙ୍କ ଦ୍ବାରା ଯୌନ ନିର୍ଯାତନାର ଶିକାର ହୋଇଥାନ୍ତି। ଭାରତରେ ଏହା ୪ ପ୍ରତିଶତ ରହିଛି। ୨୦୨୨ରେ ଗ୍ଲୋବଲ ଡେଭେଲପମେଣ୍ଟ ରିଲିଫ ଫଣ୍ଡରୁ ମାତ୍ର ୦.୨ ପ୍ରତିଶତ ଅର୍ଥ ମହିଳା ବିରୋଧୀ ହିଂସା ରୋକିବା କାର୍ଯ୍ୟକ୍ରମ ଲାଗି ଆବଣ୍ଟନ କରାଯାଇଛି। ୨୦୨୫ରେ ଅର୍ଥ ଆହୁରି କମ୍ ହୋଇଛି। କିନ୍ତୁ ଏହି ସମୟ ସୀମା ଭିତରେ ମାନବୀୟ ସଙ୍କଟ, ଯୁଦ୍ଧ ଓ ଜଳବାୟୁ ପରିବର୍ତ୍ତନ ଭଳି ବିପଦ ମହିଳାଙ୍କ ବିରୋଧରେ ହିଂସାକୁ ଆହୁରି ବୁଦ୍ଧି କରିଛି।
ଅଧିକ ପଢନ୍ତୁ: ବେସରକାରୀ କର୍ମଚାରୀଙ୍କ ପାଇଁ ସରକାରଙ୍କ ନୂଆ ନିୟମ; ଏଣିକି ନାଇଟ୍ ସିଫ୍ଟ କରିପାରିବେ ମହିଳା, ଅଧିକ କାର୍ଯ୍ୟ କଲେ ମିଳିବ ଦ୍ୱିଗୁଣା ଦରମା