ଭୁବନେଶ୍ଵର: ସମ୍ଭାବ୍ୟ ବାତ୍ୟା ମୁକାବିଲାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି ବାତ୍ୟାକୁ ନେଇ ବିଭାଗ ସତର୍କ ରହିଛି। ସମସ୍ତ ମୁକାବିଲା ପାଇଁ ମଧ୍ୟ ପ୍ରସ୍ତୁତ ରହିଛି। ପ୍ରଥମେ ତାମିଲନାଡୁ , ଆନ୍ଧ୍ରପ୍ରଦେଶ ଓ ପରେ ଓଡିଶାରେ ପ୍ରଭାବ ପଡିବାର ସମ୍ଭାବନା ରହିଛି। ୨୪ ତାରିଖ ବେଳକୁ ଅଧିକ ସ୍ପଷ୍ଟତା ଆସିପାରିବ ବୋଲି ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।
ତେବେ ପାଣିପାଗ ବିଭାଗ ସୂଚନା ଅନୁସାରେ ବଙ୍ଗୋପସାଗରରେ ବାତ୍ୟା ହେବାର ସମ୍ଭାବନା ରହିଛି । ଶନିବାର ସୃଷ୍ଟି ହୋଇଥିବା ଲଘୁଚାପ ଏବେ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହୋଇଛି । ଫଳରେ ବାତ୍ୟା ହେବା ନେଇ ଆଶଙ୍କା ବୃଦ୍ଧି ପାଇଛି । ୨୪ ତାରିଖରେ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଅବପାତରେ ପରିଣତ ହେବା ନେଇ ଆକଳନ କରାଯାଇଛି।
ସେପଟେ ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ୨୫ ତାରିଖରୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ପବନର ବେଗ ବଢିବ। ୨୫ ସନ୍ଧ୍ୟାରୁ ପବନର ଘଣ୍ଟା ପ୍ରତି ବେଗ ୫୦ରୁ ୬୦ କିଲୋମିଟର ରହିବା ନେଇ ସୂଚନା ରହିଛି। ୨୬ ତାରିଖ ସକାଳୁ ପବନର ବେଗ ୬୦ରୁ ୭୦ କିଲୋମିଟରରେ ରହି ସର୍ବାଧିକ ୮୦ କିଲୋମିଟର ହେବ। ୨୭ ତାରିଖ ସକାଳୁ ସର୍ବାଧିକ ୧୦୦ କିଲୋମିଟର ପବନର ବେଗ ରହିପାରେ ବୋଲି ଆକଳନ କରାଯାଇଛି ।