କନ୍ଧମାଳ: କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ନିର୍ଦ୍ଦେଶ ମୁତାବକ ସରକାର ଆସନ୍ତା ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଓଡ଼ିଶାରୁ ମାଓ ଦମନ ଶେଷ ରହିବ । ଓଡ଼ିଶାରୁ ସମ୍ପୂର୍ଣ୍ଣ ମାଓବାଦୀ ମୂଳ ପୋଛ କରିବାକୁ ଲକ୍ଷ୍ୟ ରଖାଯାଇଛି । କନ୍ଧମାଳରେ ମାଓ ବିରୋଧୀ ଅପରେସନ ସମୀକ୍ଷା ପରେ କହିଛନ୍ତି ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆ ।
ରାଜ୍ୟରେ ମାଓ ଦମନ ଅପରେସନ ଜୋରାଦାର କରାଯିବ । କନ୍ଧମାଳରୁ ଆରମ୍ଭ ହେବ ଏହି ଅପରେସନ୍ । ଡିଜିପି ଖୁରାନିଆ ଦୁଇ ଦିନିଆ ମାଓ ପ୍ରବଣ ଜିଲ୍ଲା ଗସ୍ତ କରିଛନ୍ତି । ଫୁଲବାଣୀ ଜିଲ୍ଲା ମୁଖ୍ୟାଳୟରେ ସମୀକ୍ଷା ବୈଠକ କରିଛନ୍ତି । କନ୍ଧମାଳରୁ ମାଓ ବିରୋଧୀ ଅପରେସନର ସମୀକ୍ଷା କରିଛନ୍ତି । ଡିଜିପି କହିଛନ୍ତି ଯେ ଦେଶରୁ ମାଓ ମୁକ୍ତ କରିବାକୁ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ନିର୍ଦ୍ଦେଶ ରହିଛି । ତାହାକୁ ଦୃଷ୍ଟିରେ ରଖି ଓଡ଼ିଶା ପୋଲିସ ମଧ୍ୟ ଦମନ ପ୍ରକ୍ରିୟା ଆରମ୍ଭ କରିଛି । ରାଜ୍ୟରେ 80ରୁ 85 ଜଣ ମାଓବାଦୀ ରହିଛନ୍ତି । ସେମାନଙ୍କ ମଧ୍ୟରେ ୫ ଜଣ ଓଡ଼ିଆ ଥିବାବେଳେ ଅନ୍ୟ ସମସ୍ତେ ଅଣଓଡ଼ିଆ ରହିଛନ୍ତି । ଅସ୍ତ୍ର ଛାଡ଼ି ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଆହ୍ୱାନ କରାଯାଇଛି । ଏଥିପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି । ଯେଉଁମାନେ ଆତ୍ମସମର୍ପଣ କରିବେ ସେମାନଙ୍କୁ ସରକାରୀ ସହାୟତା ପ୍ରଦାନ କରାଯିବ ।
ଡିଜିପିଙ୍କ ସହିତ ଆଇଜି ଅପରେସନ୍ ସଞ୍ଜୀବ ପଣ୍ଡା, ଡିଆଇଜି ଅଖିଳେଶ୍ୱର ସିଂ, ଉତ୍ତରାଞ୍ଚଳ ଆଇଜି ନୀତି ଶେଖର, ଏସପି ପ୍ରମୁଖ ସମୀକ୍ଷା ବୈଠକରେ ସାମିଲ ଥିଲେ । ଗତକାଲି ଡିଜିପି ବୌଦ୍ଧ ଜିଲ୍ଲା ଗସ୍ତ କରି ମାଓ ବିରୋଧୀ ଅପରେସନର ସମୀକ୍ଷା କରିଥିଲେ । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଓଡ଼ିଶାର ରାୟଗଡ଼ା, ମାଲକାନଗିରି, କନ୍ଧମାଳ, କୋରାପୁଟ ଆଦି ଜିଲ୍ଲା ଗୁଡ଼ିକ ମାଓ ପ୍ରବଣ ଅଞ୍ଚଳ ।
ସେହିପରି ଗତ ବର୍ଷ ୫ଟି ଜିଲ୍ଲାରେ ଗଞ୍ଜେଇ ଚାଷ ନଷ୍ଟ କରିବାରେ ସଫଳତା ମିଳିଥିଲା । ବୌଦ୍ଧ, କନ୍ଧମାଳ, ରାୟଗଡ଼ା, ମାଲକାନଗିରି, କୋରାପୁଟରେ ସଫଳତାର ସହିତ ଗଞ୍ଜେଇ ନଷ୍ଟ କରାଯାଇଛି । ଚଳିତ ବର୍ଷ ମଧ୍ୟ ଏହି ଅଭିଯାନ ଜାରି ରହିବ ଡିଜିପି କହିଛନ୍ତି ।