ଦେବଗଡ଼: ଜଣେ ସମବାୟ ସମିତିର ସମ୍ପାଦକ ଚାଷୀଙ୍କ ଲକ୍ଷ ଲକ୍ଷ ଟଙ୍କା ଚଳୁ କରିଦେଇଛନ୍ତି । ଦେବଗଡ଼ ଜିଲ୍ଲା କାଦୋପଡ଼ା ପ୍ରାଥମିକ କୃଷି ସମବାୟ ସମିତିର ସମ୍ପାଦକ ସୁରେଶ ଚନ୍ଦ୍ର ସାହୁଙ୍କ ନାଁରେ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ । ପ୍ୟାକ୍ସ ସମ୍ପାଦକ ୪୦ ଲକ୍ଷରୁ ଉର୍ଦ୍ଧ୍ୱ ସରକାରୀ ଅର୍ଥ ଆତ୍ମସାତ୍ କରିବା ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ବନ୍ଧା ହୋଇଛନ୍ତି ।
ପ୍ୟାକ୍ସ ସମ୍ପାଦକ ସୁରେନ୍ଦ୍ର ଚନ୍ଦ୍ର ସାହୁ ସରକାରୀ ଆକାଉଣ୍ଟିଂ ରେକର୍ଡକୁ ହେରଫେର କରି ଚାଷୀଙ୍କ ଋଣ ପରିଶୋଧ ଟଙ୍କା ହଡ଼ପ କରି ନିଜ ପକେଟରେ ପୁରାଇଛନ୍ତି । ପ୍ୟାକ୍ସ ଡେ ବୁକକୁ ଉଦ୍ଦେଶ୍ୟମୂଳକ ଭାବେ ହେରଫେର କରିଛନ୍ତି । ଏହା ପରେ ଋଣଗ୍ରହୀତା ଚାଷୀମାନଙ୍କ ଦ୍ୱାରା ଫେରସ୍ତ ଋଣ ପରିମାଣର ବିବରଣୀ ସରକାରୀ ରେକର୍ଡରେ ଉପସ୍ଥାପନ କରି ନାହାଁନ୍ତି । ଏପରି କରି ପ୍ରାୟ ୪୦ ଲକ୍ଷ ୭୧ ହଜାର ୬୪୪ ଟଙ୍କା (୪୦,୭୧,୬୪୪ ଟ.) ଆତ୍ମସାତ କରିଛନ୍ତି ।
ରାଉରକେଲା ଭିଜିଲାନ୍ସ ଥାନାରେ ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ ମାମଲା ପଞ୍ଜିକୃତ ହୋଇଥିଲା । ଆଜି ଆନୁଷ୍ଠାନିକ ଗିରଫଦାରୀ ପରେ ସୁରେଶ ଚନ୍ଦ୍ର ସାହୁଙ୍କୁ ସମ୍ବଲପୁରର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଛି ।