ବଲାଙ୍ଗୀର: ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରୀର ଚର୍ଚ୍ଚିତ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ନେଇ ଆରୋପ ପ୍ରତ୍ୟାରୋପ ଲାଗି ରହିଛି। ହ୍ୟୁମାନଙ୍କ ମୃତ୍ୟୁ ପାଇଁ ଦାୟୀ କିଏ ? ଷଡ଼ଯନ୍ତ୍ରର ଶିକାର ହୋଇନାହାନ୍ତି ତ ହ୍ୟୁମାନ୍? ହଠାତ୍ ହ୍ୟୁମାନଙ୍କ ସ୍ବାସ୍ଥ୍ୟ ଏତେ ବିଗିଡ଼ିଲା କେମିତି? ମା’ଙ୍କ ଅଭିଯୋଗ ପଛରେ ଲୁଚିଛି କି ସତ? ଏଭଳି ଅନେକ ପ୍ରଶ୍ନ ଏବେ ହ୍ୟୁମାନ ଫ୍ୟାନ୍ସ ମାନଙ୍କ ମନରେ ଉଙ୍କିମାରୁଛି। କାରଣ ହ୍ୟୁମାନଙ୍କ ମା ପୂର୍ବରୁ ଅଭିଯୋଗ ଆଣିଥିଲେ ଯେ ତାଙ୍କ ପୁଅକୁ ବ୍ୟବହାର କରାଯାଇଛି ଏବଂ ଜାଣି ଜାଣି ମାରି ଦିଆଯାଇଛି। ଆଜି ଏହି ଘଟଣାରେ ହ୍ୟୁମାନଙ୍କ ଦୁଇ ଜଣ ମ୍ୟାନେଜରଙ୍କ ନାଁରେ ଥାନାରେ ଏତଲା ଦିଆଯାଇଛି।
ମ୍ୟାନେଜର ଦିନେଶ ବେହେରା ଓ ପ୍ରଶାନ୍ତ ବେହେରାଙ୍କ ନାଁରେ ବଲାଙ୍ଗୀର ଟାଉନ ଥାନାରେ ଏତଲା ଦିଆଯାଇଥିବା ସୂଚନା ମିଳିଛି। ଏତଲାରେ କୁହାଯାଇଛି ଯେ ଷଡଯନ୍ତ୍ର କରି ହ୍ୟୁମାନଙ୍କୁ ମାରି ଦିଆଯାଇଛି। ବଲାଙ୍ଗୀରର ବିଭିନ୍ନ ସଂଗଠନ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି। ହ୍ୟୁମାନଙ୍କ ମା’ଙ୍କୁ ର୍ଦୁବ୍ୟବହାର ନେଇ ମଧ୍ୟ ଅଭିଯୋଗ ହୋଇଛି।
ଏହା ପୂର୍ବରୁ ହ୍ୟୁମାନଙ୍କ ମାଆ ବିସ୍ଫୋରକ ବୟାନ ଦେଇ କହିଥିଲେ ହ୍ୟୁମାନଙ୍କ ମୃତ୍ୟ ପାଇଁ ୩ ଜଣ ଦାୟୀ। ଜଣେ ମହିଳାଙ୍କ ସହ ଅନ୍ୟ ଦୁଇ ଯୁବକଙ୍କ ନାଁ ନେଇଥିଲେ ହ୍ୟୁମାନଙ୍କ ମାଆ। ପପୁ, ପ୍ରଶାନ୍ତ, ଅର୍ପିତା ଚୌଧୁରୀ ମୋ ପୁଅର ଜୀବନ ନେଇଛନ୍ତି। ଅର୍ପିତା ମୋ ପୁଅକୁ ଧୋକା ଦେଇଛି। ମାନସିକ ବିଷାଦ ଭିତରେ ରହୁଥିଲା ମୋ ପୁଅ।
ସେପଟେ ଏସବୁ ଭିତରେ କାନ୍ଦି କାନ୍ଦି ନ୍ୟାୟ ମାଗିଛନ୍ତି ହ୍ୟୁମାନଙ୍କ ମାଆ। ତାଙ୍କ ସହ ସେ ଦିନ ଯାହା ହେଲା ସେ ସବୁ ପାଇଁ ଦିନେଶ କ୍ଷମା ମାଗନ୍ତୁ ବୋଲି ସେ କହିଥିବା ବେଳେ ଦିନେଶ କିନ୍ତୁ ଏଯାଏଁ ମୁହଁ ଖୋଲି ନାହାନ୍ତି। କି ଯେଉଁ ବ୍ୟକ୍ତି ମାନଙ୍କ ନାଁରେ ଅଭିଯୋଗ ଆସିଛି ସେମାନେ ମଧ୍ୟ କ୍ୟାମେରା ସାମ୍ନାକୁ ଆସିନାହାନ୍ତି।
ଅଧିକ ପଢନ୍ତୁ: ଏବେ ସ୍ମୃତିରେ ହ୍ୟୁମାନ ସାଗର, ଶୋକାକୁଳ ପରିବେଶରେ ଶେଷକୃତ୍ୟ ସମ୍ପନ୍ନ