ଭୁବନେଶ୍ୱର : ଆସନ୍ତା ୨୭ ତାରିଖରେ ଓଡ଼ିଶା ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆଗାମୀ ଶୀତ ଅଧିବେଶନରେ ଓଡ଼ିଶା ବିଧାନସଭାକୁ ରାଷ୍ଟ୍ରପତି ସମ୍ବୋଧନ କରିବେ। ଏନେଇ ସୂଚନା ଦେଇଛନ୍ତି ବାଚସ୍ପତି ସୁରମା ପାଢ଼ୀ।
ପ୍ରଥମ ଥର ପାଇଁ ଓଡ଼ିଶା ବିଧାନସଭାକୁ ଜଣେ ରାଷ୍ଟ୍ରପତି ସମ୍ବୋଧନ କରିବାକୁ ଯାଉଛନ୍ତି। ଓଡ଼ିଶା ବିଧାନସଭାର ନିମନ୍ତ୍ରଣକୁ ଦ୍ରୌପଦୀ ମୁର୍ମୁ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଓଡ଼ିଶା ବିଧାନସଭାରେ ୯ ଥର ସଦସ୍ଯ ଥିଲେ। ରାଜ୍ଯ ମନ୍ତ୍ରୀ ମଣ୍ଡଳର ମଧ୍ଯ ସଦସ୍ଯ ଥିଲେ। ଏହା ସମସ୍ତଙ୍କ ପାଇଁ ଏକ ଗୌରବର ମୂହୂର୍ତ୍ତ ହେବ ବୋଲି ବାଚସ୍ପତି କହିଛନ୍ତି।
ସୂଚନା ଅନୁଯାୟୀ ୨୭ ତାରିଖରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରେ ସିଧା ଗଭର୍ଣ୍ଣର ହାଉସକୁ ଯିବେ। ସେଠାରେ କିଛି ସମୟ ବିଶ୍ରାମ ନେବେ । ଅପରାହ୍ନ ୪.୨୦ ରେ ବିଧାନସଭା ଅଭିମୁଖେ ଯିବେ। ଅପରାହ୍ନ ୪.୩୦ ରେ ରାଷ୍ଟ୍ରପତି ବିଧାନସଭାରେ ଉଦବୋଧନ ଦେବେ। ଏହି ଅବସରରେ ରାଜ୍ଯପାଳ ହରିବାବୁ କମ୍ଭମପତି, ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀ,ସମସ୍ତ ମନ୍ତ୍ରୀ, ବିରୋଧୀ ଦଳ ନେତାଙ୍କ ସମେତ ସମସ୍ତ ବିଧାନସଭା ସଦସ୍ଯ ଉପସ୍ଥିତ ରହିବେ।