ପୁରୀ :ଆଜି ଶ୍ରୀମନ୍ଦିରରେ ଦେବ ଦୀପାବଳିର ଅନ୍ତିମ ଦିନ। ବୁଧବାର ଠାରୁ ତିନିଦିନ ଧରି ଆରମ୍ଭ ହୋଇଥିବା ଏହି ନୀତି ଆଜି ଶେଷ ହେବ। ଏହି ତିନିଦିନ ମହାପ୍ରଭୁ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଦୀପଦାନ କରିବା ସହ ଶ୍ରାଦ୍ଧ ମଧ୍ୟ କରିଥାନ୍ତି । ଚତୁର୍ଦ୍ଦଶୀ, ଅମାବାସ୍ୟା ଓ ପ୍ରତିପଦା ତିନିଦିନ ଧରି ଏହି ନୀତି ଯଥାବିଧି ପାଳନ ହେବାର ପରମ୍ପରା ରହିଆସିଛି । ଚତୁର୍ଦ୍ଦଶୀ ତିଥିରେ ସନ୍ଧ୍ୟାଧୂପ ନୀତି ବଢିବା ପରେ ମହାପ୍ରଭୁ ଅଦିତି ଓ କଶ୍ୟପଙ୍କ ଉଦେଶ୍ୟରେ ଦୀପଦାନ ଓ ଶ୍ରାଦ୍ଧ ପ୍ରଦାନ କରିଥିଲେ।
ତେବେ ଗତକାଲି ଦ୍ଵିତୀୟ ଦିନ ଅମାବାସ୍ୟା ତିଥିରେ ଦଶରଥ ଓ କୌଶଲ୍ୟାଙ୍କ ଉଦ୍ୟେଶ୍ୟରେ ଦୀପଦାନ ଓ ଶ୍ରାଦ୍ଧ ଦେବା ସହ ଆଜି ତୃତୀୟ ଦିନ ଅର୍ଥାତ ପ୍ରତିପଦା ତିଥିରେ ମହାପ୍ରଭୁ ଦେବକୀ, ବାସୁଦେବ, ନନ୍ଦ, ଯଶୋଦା, ମହାରାଜା ଇନ୍ଦ୍ରଦ୍ୟୁମ୍ନ ଓ ଗୁଣ୍ଡିଚା ରାଣୀଙ୍କୁ ଦୀପଦାନ କରିବା ସହ ଶ୍ରାଦ୍ଧ ତର୍ପଣ ଦେବାର ପରମ୍ପରା ରହିଛି। ଏହିଦିନ ମାନଙ୍କରେ ଶ୍ରୀଜଗନ୍ନାଥ ମହାପ୍ରଭୁ ଶ୍ରାଦ୍ଧ ବେଶରେ ପିତୃପୁରୁଷ ଉଦେଶ୍ୟରେ ଶ୍ରାଦ୍ଧ ତର୍ପଣ ଆଦି କରିବା ସହ ଶ୍ରୀ ମନ୍ଦିର ଚୁଡା ରେ ମହାଦୀପ ମଧ୍ୟ ପ୍ରଜ୍ବଳିତ ହୋଇଥାଏ । ତେଣୁ ଏହାକୁ ଦେବଦୀପାବଳି କୁହାଯାଏ। ସଂଧ୍ୟା ଧୂପ ପରେ ପୁଷ୍ପାଳକ ସେବାୟତ ମାନେ ମହାପ୍ରଭୁଙ୍କୁ ଶ୍ରାଦ୍ଧ ଵେଶରେ ନାଗପୁରୀ ଶାଢୀ ଚାଦରରେ ଭୂଷିତ କରାଇଥାନ୍ତି ।
ଗତକାଲି ଭକ୍ତ ଶ୍ରଦ୍ଧାଳୁ ଙ୍କ ଦ୍ୱାରା ଶ୍ରୀ ମନ୍ଦିର ଠାରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଏକ ଲକ୍ଷ ଦୀପ ଜାଳି ଥିଲେ । ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଭକ୍ତ ଶ୍ରଦ୍ଧାଳୁ ବଡ ଦାଣ୍ଡ ସମେତ ଶ୍ରୀ ମନ୍ଦିର ଏବଂ ଗୁଣ୍ଡିଚା ମନ୍ଦିର ସମ୍ମୁଖ ରେ ଦୀପ ଦାନ କରିଥିଲେ। ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କ ଶ୍ରାଦ୍ଧ ବେଶ ଦର୍ଶନ କରି ବେଶ ଖୁସି ବ୍ୟକ୍ତ କରିଛନ୍ତି ଭକ୍ତ ଶ୍ରଦ୍ଧାଳୁ ।
ଅଧିକ ପଢନ୍ତୁ : ଶରଧାବାଲି ଦଳାଚକଟା ମାମଲା, ଏସିଏଫଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ