ଭୁବନେଶ୍ୱର: ଭୁବନେଶ୍ୱର ସାଲିଆ ସାହିରୁ ସରିଲା ଜବରଦଖଲ ଉଚ୍ଛେଦ। ଆଜିକୁ ମିଶାଇ ମୋଟ ତିନି ଦିନ ହେଲା ବୁଲଡୋଜର ଲଗାଇ ଘର ଭଙ୍ଗା ଯାଉଥିବାବେଳେ ଆଜି ମାଇକ ମାଧ୍ୟମରେ ଆନାଉନ୍ସ କରି ଲୋକଙ୍କୁ ଜାଗା ଖାଲି କରିବାକୁ କହିଥିଲା ପ୍ରଶାସନ। ବିଏମସି, ବିଡିଏ ଓ କମିଶନରେଟ ପୋଲିସର ମିଳିତ ସ୍କ୍ୱାର୍ଡ ପକ୍ଷରୁ ଉଚ୍ଛେଦ କରାଯାଇଥିଲା। ନିଷ୍ପତି ଅନୁଯାୟୀ ୫୬୨ଟି ଘର ଉଚ୍ଛେଦ କରାଯାଇଛି।
ଘର ଭଙ୍ଗାଯିବା ସହ ଡ୍ରେନ୍ ନିର୍ମାଣ କାମ ଆରମ୍ଭ ହୋଇଛି। ଉଚ୍ଛେଦ ପରେ ଲୋକମାନେ ବଲ ପଡିଆରେ ଜରି ପାଲ ଟାଣି ରହିଥିଲେ। ବଲ ପଡିଆରୁ ବି ପ୍ରଶାସନ ଜବରଦଖଲ ଉଚ୍ଛେଦ କରିଛି। ଘଣ୍ଟାଏ ଭିତରେ ପଡିଆ ଛାଡିବାକୁ ନୋଟିସ୍ ହୋଇଛି। ସେପଟେ ବସ୍ତି ଉଚ୍ଛେଦକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଏମ୍ସି କମିଶନର। ସେ କହିଛନ୍ତି ଉଚ୍ଛେଦଙ୍କ ଭିତରେ ଥିବା ଯୋଗ୍ୟ ହିତାଧିକାରୀଙ୍କୁ ଘର ମିଳିବ। ଅଯୋଗ୍ୟ ହିତାଧିକାରୀଙ୍କୁ କେବେବି ଘର ଦିଆଯିବ ନାହିଁ। ଏବେ ସୁଦ୍ଧା ୪୫୫ ଘର ମହଜୁଦ୍ ରହିଛି, ଯେତେ ଆବଶ୍ୟକ ପଡିବ ଦିଆଯିବ। ଏଥିଲାଗି ଖୁବ୍ ଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହେବ। ରାସ୍ତା ନିର୍ମାଣ ପାଇଁ ଜବରଦଖଲ ମୁକ୍ତ କରିବାକୁ ବିଏମସି ଚେଷ୍ଟା କରୁଛି। ପୂର୍ବରୁ ଏ ନେଇ ବିଏମସି ବସ୍ତି ବାସିନ୍ଦାଙ୍କୁ ନୋଟିସ୍ କରିଥିଲା। ଲଟେରୀ ମାଧ୍ୟମରେ ଲୋକଙ୍କୁ ଘର ଆବଣ୍ଟନ ହେଉଛି।
ସୂଚନା ମୁତାବିକ ଏକାମ୍ରକାନନରୁ ଅନ୍ଧାରୁଆ ୧୩ କିମି ପର୍ଯ୍ୟନ୍ତ ଲେଫ୍ଟ ପାରାଲାଲ ରାସ୍ତା ପାଇଁ ଏହି ଉଚ୍ଛେଦ କରିଛି ବିଏମସି ଓ ବିଡିଏ। ପୂର୍ବରୁ ମଧ୍ୟ ଉଚ୍ଛେଦ କରିଥିଲା ବିଡିଏ ଓ ବିଏମସିର ମିଳିତ ଟିମ। ଏହି ରାସ୍ତା ହେଲେ ସହରକୁ ଭିଡ କମିବ। ତେବେ ଉଚ୍ଛେଦ ବେଳେ ସେଠାକାର ବାସିନ୍ଦା ଜୋରଦାର ବିରୋଧ କରିଛନ୍ତି। ଗୋଟିଏ ପଟେ ବିଏମ୍ସି ଥଇଥାନ କଥା କହୁଥିବା ବେଳେ ବସ୍ତି ବାସିନ୍ଦା କିନ୍ତୁ ଭଙ୍ଗା ଘରକୁ ଛାଡ଼ି ଯିବାକୁ ବି ନାରାଜ୍। ଦୁଇ ଦିନ ହେଲାଣି ଜରି ପାଲ ତଳେ ବିତାଉଛନ୍ତି ଜୀବନ। ଅନ୍ୟପଟେ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି, ସେହି ଅନୁଯାୟୀ ଘର ଦିଆଯିବ ବୋଲି ବିଏମ୍ସି କମିସନର କହିଛନ୍ତି।
ଅଧିକ ପଢନ୍ତୁ: ସାଲିଆସାହିରେ ଉଚ୍ଛେଦ ବସ୍ତି ବାସିନ୍ଦାଙ୍କୁ ସରକାର ଦେବେ ଘର: କୃଷ୍ଣଚନ୍ଦ୍ର ମହାପାତ୍ର