ଯାଜପୁର: ଧର୍ମଶାଳାରେ ବିଜେପିକୁ ପୁଣି ଏକ ସଫଳତା ମିଳିଛି । ବ୍ଲକ ଅଧ୍ୟକ୍ଷଭାବେ ସୁଚିସ୍ମିତା ଦାସ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ସୁଚିସ୍ମିତା କ୍ଷେତ୍ରପାଳ ପଞ୍ଚାୟତର ସମିତି ସଭ୍ୟ ଅଛନ୍ତି । ଆଜି ନିର୍ଦ୍ଧାରିତ ସମୟ ମଧ୍ୟରେ ଅନ୍ୟ କେହି ପ୍ରାର୍ଥୀ ପତ୍ର ଦାଖଲ ନକରିବାରୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ସୁଚିସ୍ମିତା। ଫଳରେ ଏହି ଆସନ ବିଜେପି ହାତକୁ ଯାଇଛି ।
ବ୍ଲକ ଅଧ୍ୟକ୍ଷ ପଦ ପାଇଁ ଏକାଧିକ ଆଶାୟୀ ଥିବାବେଳେ ବିଧାୟକ ହିମାଂଶୁ ଶେଖର ସାହୁ ସୁଚିସ୍ମିତାଙ୍କ ନାମରେ ମୋହର ମାରିଥିଲେ । ସୁଚିସ୍ମିତା ବିଜେପି ସମର୍ଥିତ ପ୍ରାର୍ଥୀ ଭାବେ ଏକମାତ୍ର ନିଜର ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ମୋଟ ୪୫ ପଞ୍ଚାୟତକୁ ନେଇ ଗଠିତ ଧର୍ମଶାଳା ବ୍ଲକରେ ଅଧ୍ୟକ୍ଷଭାବେ ନିର୍ବାଚିତ ହେବା ପାଇଁ ୨୩ ଜଣ ସମିତି ସଭ୍ୟ/ସଭ୍ୟାଙ୍କ ସମର୍ଥନ ଆବଶ୍ୟକ ରହିଥିଲା। ତେବେ ନିକଟରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ନେତୃତ୍ୱ ଉପରେ ଆସ୍ଥା ପ୍ରକଟ କରି ୩୫ରୁ ଉର୍ଦ୍ଧ୍ୱ ସଦସ୍ୟ ବିଜେପି ଶିବିରରେ ସାମିଲ ହୋଇଥିଲେ । ଫଳରେ ଏହି ଅଧ୍ୟକ୍ଷ ପଦ ବିଜେପି ହାତକୁ ଯିବା ଏକପ୍ରକାର ସ୍ପଷ୍ଟ ହୋଇଥିଲା। ଅନ୍ୟପକ୍ଷରେ ବିରୋଧୀ ବିଜେଡି ଏହି ନିର୍ବାଚନରେ ଅଂଶ ଗ୍ରହଣ ନକରିବାରୁ ବ୍ଲକ ଅଧ୍ୟକ୍ଷ ପଦକୁ ବିଜେପି ଦଖଲ କରିଛି ।
ଏଠାରେ ସୂଚନା ଯୋଗ୍ୟ, ଗତ ଅଗଷ୍ଟ ମାସରେ ଅନାସ୍ଥା ପୂର୍ବରୁ ବ୍ଲକ ଅଧ୍ୟକ୍ଷ ପ୍ରଭାତ ବଳବନ୍ତରାୟ ନିଜ ପଦରୁ ଇସ୍ତଫା ଦେଇଥିଲେ । ଏହା ପରଠାରୁ ଏହି ପଦ ଖାଲି ପଡିଥିଲା।