ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ଫଳାଫଳ ସମସ୍ତଙ୍କୁ ଆଚମ୍ବିତ କରିଦେଇଛି । ଜେଡିୟୁ ସହିତ ମେଣ୍ଟ କରି ନିର୍ବାଚନ ଲଢ଼ିଥିବା ଭାରତୀୟ ଜନତା ପାର୍ଟିର ପ୍ରଦର୍ଶନ ଦଳୀୟ ନେତାଙ୍କ ମନୋବଳକୁ ବଢ଼ାଇ ଦେଇଛି । ବିଜେପି ଏବେ ଏକ ଶକ୍ତିଶାଳୀ ଦଳ ରୂପେ ବିଦ୍ୟମାନ ହୋଇଛି । ବିଜେପି ବର୍ତ୍ତମାନ ବିହାରରୁ ପଶ୍ଚିମବଙ୍ଗକୁ ନଜର ପକାଇଛି । ଦଳର ଆଗାମୀ ଲକ୍ଷ୍ୟ ପଶ୍ଚିମବଙ୍ଗ ଦଖଲ କରିବା ରହିଛି । ଦଳର ବରିଷ୍ଠ ନେତା ତଥା ଆଇଟି ସେଲର ଜାତୀୟ ସଂଯୋଜକ ଅମିତ ମାଲବୀୟ ଆକଳନ କରିଛନ୍ତି ଯେ ଦଳ ଖୁବଶୀଘ୍ର ସର୍ବଭାରତୀୟ ସ୍ତରରେ ୧୮୦୦ ବିଧାୟକ ସଂଖ୍ୟା ଛୁଇଁବାକୁ ଯାଉଛି ।
ଅମିତ ମାଲବୀୟ ସୋସିଆଲ୍ ମିଡ଼ିଆ ଏକ୍ସରେ ଏକ ବଡ଼ ଦାବି କରିଛନ୍ତି । ସେ ଦଳ ଉପରେ ଅଖଣ୍ଡ ବିଶ୍ୱାସ ରଖି ଭବିଷ୍ୟବାଣୀ କରିଛନ୍ତି ଯେ ବିଜେପି ସମଗ୍ର ଦେଶରେ ୧୮୦୦ ବିଧାୟକ ସଂଖ୍ୟା ସହଜରେ ଅତିକ୍ରମ କରିବ । ଆଗାମୀ ଦୁଇ ବର୍ଷ ମଧ୍ୟରେ ଦଳ ଏହି ସଂଖ୍ୟା ଅତିକ୍ରମ କରିବ । ସେ କଂଗ୍ରେସ ସହିତ ମଧ୍ୟ ତୁଳନା କରିଛନ୍ତି । ୧୯୮୫ ମସିହାରେ କଂଗ୍ରେସର ପ୍ରାୟ ୨୦୧୮ ବିଧାୟକ ଥିଲେ । ୧୯୮୦ ଦଶକରେ ରାଜନୀତି ପରିସ୍ଥିତି ସରକାରଙ୍କୁ ମଜବୁତ କରିବା ଏବଂ ମତଦାତାଙ୍କୁ ପ୍ରଭାବିତ କରିବା ଅଧିକ ସହଜ କରି ଦେଉଥିଲା । କିନ୍ତୁ ବିଜେପିର ଉଦୟ ଧିରେ ଧିରେ, ନିରନ୍ତର ଏବଂ କଠିନ ପରିଶ୍ରମରେ ହୋଇଛି । ଯେଉଁଠି କଂଗ୍ରେସକୁ ଏହି ଶୀର୍ଷ ଛୁଇଁବାରେ ବଂଶାନୁକ୍ରମିକ ଭାବେ ମିଳିଥିଲା ସେହିଠାରେ ବିଜେପି ଏହାକୁ ଆସନରୁ ଆସନ, ରାଜ୍ୟରୁ ରାଜ୍ୟ ଏବଂ ସଂଘର୍ଷରୁ ସଂଘର୍ଷରେ ଅର୍ଜନ କରିଛି ।
ଅମିତ ମାଲବୀୟ ଏକ ତୁଳନାତ୍ମକ ତାଲିକା ମଧ୍ୟ ଦେଇଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି କଂଗ୍ରେସକୁ ସଫଳତା ବଂଶାନୁକ୍ରମିକ ଭାବେ ମିଳିଛି କିନ୍ତୁ ବିଜେପି ଏହାକୁ ନିଜ ପରିଶ୍ରମରେ କମାଇଛି । ଭବିଷ୍ୟତ ସେହି ଦଳର ହୁଏ ଯିଏ ପରିଶ୍ରମ କରେ ନା କେବଳ ବଂଶବାଦ ଉପରେ ରୁହେ ।
ମାଲବୀୟଙ୍କ ତାଲିକା ଅନୁସାରେ ବିଜେପି ୨୦୧୪ ପରେ ଏକ ଶକ୍ତିଶାଳୀ ଦଳ ରୂପେ ଉଭା ହେଉଛି । ୨୦୧୪ରେ ଦଳର ବିଧାୟକ ସଂଖ୍ୟା ୧,୦୩୫ ଥିବାବେଳେ ପ୍ରତିବର୍ଷ ଏହା ଉତଥାନ ପତ୍ତନ ଦେଇ ଗତି କରି ସୁଦୃଢ଼ ହେଉଛି । ବିଧାୟକ ସଂଖ୍ୟା ୨୦୧୪ରେ ୧୦୩୫ ଥିବାବେଳେ ୨୦୧୫ରେ ଏହା ତଳକୁ ଖସି ୯୯୭ ହୋଇଥିଲା । ଏହା ପରେ ପୁଣି ୨୦୧୬ରେ ବୃଦ୍ଧି ପାଇ ୧୦୫୩ ହୋଇଥିଲା । ୨୦୧୭ରେ ଏଥିରେ ଅଦ୍ଭୁତପୂର୍ବ ବୃଦ୍ଧି ଦେଖିବାକୁ ମିଳିଥିଲା ଯାହାକି ୧୩୬୫ ହୋଇଥିଲା । ସେହିପରି ୨୦୧୮ରେ ୧୧୮୪, ୨୦୧୯ରେ ୧୧୬୦, ୨୦୨୦ରେ ୧୨୦୭, ୨୦୨୧ରେ ୧୨୭୮, ୨୦୨୨ରେ ୧୨୮୯, ୨୦୨୩ରେ ୧୪୪୧, ୨୦୨୪ରେ ୧୫୮୮ ଏବଂ ୨୦୨୫ରେ ୧୬୫୪ରେ ବିଧାୟକଙ୍କ ସଂଖ୍ୟା ପହଁଚିଛି । ଆଗାମୀ ଦିନରେ ଅର୍ଥାତ ୨୦୨୬ରେ ପଶ୍ଚିମବଙ୍ଗ ନିର୍ବାଚନ ଅନୁଷ୍ଠିତ ହେବ । ଯାହା ଉପରେ ବିଜେପିର ନଜର ରହିଛି ।