ପାଟନା: ବିହାରରେ ନୂଆ ସରକାର ଗଠନକୁ ନେଇ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି । ସୋମବାର ନୀତିଶ କୁମାର ରାଜ୍ୟପାଳଙ୍କୁ ଭେଟି ନିଜର ଇସ୍ତପା ପତ୍ର ପ୍ରଦାନ କରିଛନ୍ତି । ଏହା ପୂର୍ବରୁ ରାଜ୍ୟ ମନ୍ତ୍ୀ ପରିଷଦ ସହ ଅନୌପଚାରିକ ବୈଠକ ବସିଥିଲା । ଏହା ବର୍ତ୍ତମାନ କ୍ୟାବିନେଟର ଅନ୍ତିମ ବୈଠକ ଥିଲା । ଏଥିରେ କ୍ୟାବିନେଟ୍ ଭଙ୍ଗ ନେଇ ନିଷ୍ପତ୍ତି ନିଆଯାଇଥିଲା ।
ଅନ୍ତିମ କ୍ୟାବିନେଟ୍ ବୈଠକ ପାଇଁ ନୀତିଶ କୁମାର ପାଟନା ସ୍ଥିତ ପୁରୁଣା ସଚିବାଳୟ ପହଞ୍ଚିଥିଲେ । କ୍ୟାବିନେଟ୍ ବୈଠକ ସରିବା ପରେ ନୀତିଶ କୁମାର ରାଜଭବନ ଯାଇ ବିଧିବଦ୍ଧ ଭାବେ ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ନଭେମ୍ବର ୨୦ରେ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ପଦରେ ଶପଥ ନେବାର ଯଥେଷ୍ଟ ସମ୍ଭାବନା ରହିଛି । ପାଟନାର ଐତିହାସିକ ଗାନ୍ଧୀ ମଇଦାନରେ ଶପଥ ସମାରୋହ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି ।
୧୭ତମ ବିଧାନସଭା ଭଙ୍ଗ ହେବା ପରେ ନୀତିଶ କୁମାର ଏବେ ୧୦ମ ଥର ମୁଖ୍ୟମନ୍ତ୍ରୀ ପଦରେ ଶପଥ ନେବେ । କିଛି ମିଡିଆ ରିପୋର୍ଟ ଅନୁଯାୟୀ, ରାଜ୍ୟପାଳଙ୍କ ଇସ୍ତଫା ପତ୍ର ଦେବା ପରେ ନୀତିଶ କୁମାର ଏବେ ନିଜ ପାର୍ଟିର ନେତାଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବେ । ନୂଆ ସରକାର ଗଠନ ହେବା ପର୍ଯ୍ୟନ୍ତ ନୀତିଶ କୁମାର କାମଚଳା ମୁଖ୍ୟମନ୍ତ୍ରୀ ଭାବେ କାମ କରିବେ ।
ସୂଚନାଯୋଗ୍ୟ, ନଭେମ୍ଭର ୧୪ରେ ବିହାର ନିର୍ବାଚନର ଫଳାଫଳ ପ୍ରକାଶ ପାଇଥିଲା । ୨୪୩ ଆସନରୁ ଏନଡିଏ ୨୦୨ ସିଟ୍ ଜିତି ଐତିହାସିକ ବିଜୟ ହାସଲ କରିଛି । ମହାମେଣ୍ଟକୁ ମାତ୍ର ୩୫ ଆସନ ମିଳିଛି । ପ୍ରଶାନ୍ତ କିଶୋରଙ୍କ ଜନ ସୁରାଜ ପାର୍ଟି ଖାତା ଖୋଲି ପାରିନି । ବିଜେପି ୮୯ ସିଟ୍ ଜିତି ବିହାରରେ ବଡ ଦଳ ଭାବେ ସାମ୍ନାକୁ ଆସିଛି । ୮୫ ସିଟ୍ ଜିତିଛି ଜେଡିୟୁ ।
Also read: ବିହାର ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଆଜି ମାନସ ମନ୍ଥନ କରିବେ ତେଜସ୍ୱୀ