ନୂଆଦିଲ୍ଲୀ: ବିହାର ନିର୍ବାଚନ ୨୦୨୫ରେ ଏନଡିଏର ପ୍ରଚଣ୍ଡ ବିଜୟର ପରବର୍ତ୍ତୀ ଦିନ ବିଜେପି ବଡ କାର୍ଯ୍ୟାନୁଷ୍ଠାନ ନେଇଛି । ଦଳର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଆରକେ ସିଂଙ୍କୁ ପାର୍ଟିରୁ ବହିଷ୍କାର କରିଛି । ତାଙ୍କୁ ୬ ବର୍ଷ ପାଇଁ ପାର୍ଟିରୁ ବହିଷ୍କୃତ କରାଯାଇଛି । ଆରାରୁ ବିଜେପିର ସାଂସଦ ରହିଥିବା ତଥା ନରେନ୍ଦ୍ର ମୋଦୀ ସରକାରରେ ମନ୍ତ୍ରୀ ରହି ସାରିଥିବା ଆରକେ ସିଂ ଦୀର୍ଘ ସମୟ ଧରି ପାର୍ଟିରେ ସକ୍ରିୟ ନ ଥିଲେ । ପାର୍ଟି ବିରୋଧୀ ଗତିବିଧି ପାଇଁ ଆଜି ତାଙ୍କ ଉପରେ ଦଳ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।
ବିହାର ବିଧାନସଭା ନିର୍ବାଚନ ସମୟରେ ଆରକେ ସିଂ ବିଜେପି ନେତାଙ୍କ ଉପରେ ପ୍ରଶ୍ନ ଉଠାଇଥିଲେ । ସେ ସମ୍ରାଟ ଚୌଧୁରୀଙ୍କୁ ତାରାପୁରରୁ ଭୋଟ୍ ନ ଦେବାକୁ ଅପିଲ୍ କରିଥିଲେ । ଆରକେ ସିଂ ଏନଡିଏ ଦ୍ୱାରା ଅନନ୍ତ ସିଂ, ବିଭା ଦେବୀ ସମେତ ଅନେକ ନେତାଙ୍କୁ ଟିକେଟ୍ ଦେବା ଉପରେ ପ୍ରଶ୍ନ ଉଠାଇଥିଲେ । ଏହା ବ୍ୟତୀତ ଶାହବାଦ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମେତ ବିଜେପିର ନିର୍ବାଚନୀ ରାଲିରେ ଆରକେ ସିଂ ଯୋଗ ଦେଇ ନ ଥିଲେ ।
ଏସବୁ ପରେ ବି ନିର୍ବାଚନ ସମୟରେ ନିଜ ପାର୍ଟି ଓ ମେଣ୍ଟର ନେତାଙ୍କୁ ଘେରିଥିବା ଏବଂ ସମାଲୋଚନା କରିଥିବା ଆରକେ ସିଂଙ୍କ ଉପରେ ବିଜେପି ନିରବ ରହିଥିଲା । ନିର୍ବାଚନ ସମୟରେ ତାଙ୍କ ବିରୋଧରେ ଦଳ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲା । ମାତ୍ର ଯେମିତି ନିର୍ବାଚନ ସହିଛି ଏବଂ ଫଳାଫଳ ପ୍ରକାଶ ପାଇଛି ଦଳ ତାଙ୍କୁ ବାହାର କରି ଦେଇଛି ।
୨୦୨୫ ଫେବୃଆରୀରେ ଆରକେ ସିଂ ଭୋଜପୁରରେ ଏକ କାର୍ଯ୍ୟକ୍ରମରେ ଅଭିଯୋଗ କରିଥିଲେ ଯେ, ବିଜେପିର କିଛି ନେତା ଟଙ୍କା ଦେଇ ଭୋଜପୁରୀ ଷ୍ଟାର ପବନ ସିଂଙ୍କୁ କାରାକାଟ ଲୋକସଭାରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢାଇଥିଲା । ସେହି ନିର୍ବାଚନରେ କାରାକାଟରୁ ଏନଡିଏ ପ୍ରାର୍ଥୀ ଉପେନ୍ଦ୍ର କୁଶୱାହଙ୍କ ପରାଜୟ ହୋଇଥିଲା । ବିଜେପି ନେତାଙ୍କ ଆଭ୍ୟନ୍ତରୀଣ ଷଡଯନ୍ତ୍ର କାରଣରୁ ଆରାରୁ ସେ ହାରିଥିବା ଅଭିଯୋଗ କରିଥିଲେ ଆରକେ ସିଂ ।
Also read: ୧୬,୦୦୦ ଫୁଟ ଉଚ୍ଚରେ ସେନାର ସଫଳତା: ବରଫ ଆଚ୍ଛାଦିତ ଶିଖରରେ ଟ୍ରେନ୍ ଚାଲିଲା