ଭୁବନେଶ୍ୱର: ନୂଆପଡ଼ା ଉପନିର୍ବାଚନ ଶେଷ ହୋଇଛି । ଜନାଦେଶ ବିଜେପି ଦଳର ଜୟ ଢୋଲକିଆଙ୍କ ସପକ୍ଷରେ ଯାଇଛି । ଆସନ୍ତାକାଲି ସମ୍ପୂର୍ଣ୍ଣ ନିର୍ବାଚନୀ ପ୍ରକ୍ରିୟା ମଧ୍ୟ ଶେଷ ହୋଇଯିବ । କିନ୍ତୁ ଜନତାଙ୍କ ଜନାଦେଶକୁ ଗ୍ରହଣ କରିପାରନି ମୁଖ୍ୟ ବିରୋଧୀ ଦଳ ବିଜେଡ଼ି । ସରକାରୀ କଳର ଅପବ୍ୟବହାର ଏବଂ ମତଦାତାଙ୍କୁ ପ୍ରଭାବିତ କରାଯାଇଥିବା ଭଳି ଅଭିଯୋଗ ଆଣୁଛି । ମାତ୍ର କାହିଁକି ହାରିଲୁ ତାହାର ସମୀକ୍ଷା କରିବା ଉଚିତ ବୋଲି ଦଳର ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲ ପରାମର୍ଶ ଦେଇଛନ୍ତି ।
ପ୍ରଫୁଲ୍ଲ ସାମଲ ନୂଆପଡ଼ା ଉପନିର୍ବାଚନକୁ ନେଇ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ସେ ନୂଆପଡ଼ାରେ ବିଜେଡ଼ି ଜିତିବା ନେଇ ଆଶାବାଦୀ ଥିଲେ । ପ୍ରତ୍ୟେକ ମଣିଷ ଜୀବନରେ ଉତ୍ଥାନ ପତନ ଅଛି । ଆମେ ନିଶ୍ଚିତ ଆଶାବାଦୀ ଥିଲୁ ଯେ ନୂଆପଡ଼ାରେ ନିଶ୍ଚିତ ଭଲ କରିବୁ । କାରଣ ପୂର୍ବରୁ ହୋଇଥିବା ଚାରି ଚାରିଟି ନିର୍ବାଚନରେ ବହୁ ଭୋଟରେ ଜୟଯୁକ୍ତ ହୋଇଥିଲୁ । ତେଣୁ ନିର୍ବାଚନର ଫଳାଫଳରେ ହତୋତ୍ସାହିତ ନ ହୋଇ ଧୈର୍ଯ୍ୟ ଧରିବାକୁ ସେ କର୍ମୀମାନଙ୍କୁ ପରାମର୍ଶ ଦେଇଛନ୍ତି । ଦଳ ପୁଣି ଥରେ 2000 ମସିହା ପରିସ୍ଥିତିକୁ ଆସିବ । ଉତ୍ତର ପ୍ରଦେଶ ଉଦାହରଣ ଦେଇ କହିଥିଲେ ସେଠାରେ ଉପନିର୍ବାଚନରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ମଧ୍ୟ ପରାଜିତ ହୋଇଛନ୍ତି । ବିଗତ ଦିନରେ ନବୀନ ବାବଙ୍କର ବହୁତ ଲୋକପ୍ରିୟତା ଥିଲା, ଏବେବି ଅଛି । ଏହି ଲୋକପ୍ରିୟତା ଭିତରେ ଦଳ କାହିଁକି ହାରିଲା ତାର ସମୀକ୍ଷା ହେବା ଉଚିତ ବୋଲି କହିଛନ୍ତି ପ୍ରଫୁଲ୍ଲ ।