ନୂଆପଡ଼ା: ବାପାଙ୍କ ରେକର୍ଡକୁ ଭାଙ୍ଗିଛନ୍ତି ପୁଅ । ନୂଆପଡ଼ାରେ ମୋଦି-ମୋହନ-ମନମୋହନଙ୍କ ଯାଦୁ କାମ କରିଛି । ନୂଆପଡ଼ା ପାଇଛି ନୂଆ ବିଧାୟକ । ରାଜ୍ୟରେ ବିଜେପି ସରକାର ଆସିବା ପରେ ପ୍ରଥମ ଥର ହୋଇଥିବା ଉପନିର୍ବାଚନରେ ଦଳକୁ ମିଳିଛି ଅଦ୍ଭୁତ ପୂର୍ବ ସଫଳତା । ବୃହତ ଜନାଦେଶ ସହିତ ଶେଷରେ ନୂଆପଡ଼ା ଦଖଲ କରିଛି ବିଜେପି । ବୃହତ ବ୍ୟବଧାନରେ ଏକତରଫା ଭାବେ ଭୋଟ୍ ପୋଛି ନେଇଛନ୍ତି ଭାରତୀୟ ଜନତା ପାର୍ଟୀର ପ୍ରାର୍ଥୀ ଜୟ ଢୋଲକିଆ । ନୂଆପଡ଼ା ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ହରାଇଛନ୍ତି ଜୟ ଢୋଲକିଆ । ଜୟ ୧ ଲକ୍ଷ ୨୩ ହଜାର ୮୬୯ ଖଣ୍ଡ ରେକର୍ଡ ଭୋଟ୍ ସହିତ ବିଜୟଲାଭ କରିଛନ୍ତି ଜୟ । ସେ ୮୩ ହଜାର ୭୪୮ ଖଣ୍ଡ ଭୋଟର ବୃହତ ବ୍ୟବଧାନ ସହିତ ଐତିହାସିକ ବିଜୟ ଲାଭ କରିଛନ୍ତି । ଘାସିରାମ ୪୦ ହଜାର ୧୨୧ ଖଣ୍ଡ ଭୋଟ୍ ପାଇ ଦ୍ୱିତୀୟରେ ରହିଥିବାବେଳେ ବିଜେଡ଼ିର ସ୍ନେହାଙ୍ଗିନୀ ଛୁରିଆ ୩୮ ହଜାର ୪୦୮ ଖଣ୍ଡ ଭୋଟ୍ ପାଇ ତୃତୀୟ ସ୍ଥାନରେ ରହିଛନ୍ତି । ତେବେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ୟ୍ୟାଳୟ ପକ୍ଷରୁ କେବଳ ଔପଚାରିକ ଘୋଷଣା ବାକି ରହିଛି ।
ଜୟ ଢୋଲକିଆ ନିଜ ବାପା ରାଜେନ୍ଦ୍ର ଢୋଲକିଆ ଙ୍କୁ ମଧ୍ୟ ଟପି ଯାଇଛନ୍ତି । ରାଜେନ୍ଦ୍ର ଢୋଲକିଆ ଗତ ସାଧାରଣ ନିର୍ବାଚନରେ ୩୩.୬୫ ପ୍ରତିଶତ ମତଦାନ ସହିତ ୬୧,୮୨୨ ଖଣ୍ଡ ଭୋଟ୍ ପାଇଥିଲେ । ଏପରିକି ସେ ତାଙ୍କ ସମ୍ପୂର୍ଣ୍ଣ ରାଜନୈତିକ ଜୀବନରେ ଏତେ ସଂଖ୍ୟକ ଭୋଟ୍ ପାଇ ନାହାଁନ୍ତି ।
ସ୍ଥାନ ବଜାୟ ରଖିଲେ ଘାସିରାମ
ପ୍ରଥମରୁ ତୃତୀୟକୁ ଖସିଲା ବିଜେଡ଼ି
କାମ କଲାନି ବିଜେଡ଼ିର 'ବେଇମାନ' ଫ୍ୟାକ୍ଟର୍
ଭୋଟ ଗଣତି ଆରମ୍ଭରୁ ହିଁ ଜୟ ଆଗରେ ରହିଥିଲେ । ଆଉ ତାଙ୍କ ତଳକୁ ଥିଲେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ଏବଂ ତୃତୀୟରେ ଥିଲେ ସ୍ନେହାଙ୍ଗିନୀ ଛୁରିଆ । ଧିରେ ଧିରେ ଜୟଙ୍କ ଭୋଟ୍ ବ୍ୟବଧାନ ବଢ଼ିବାରେ ଲାଗିଥିଲା । ଆଉ ଜୟ ଗଣତିର ଶେଷ ପର୍ଯ୍ୟନ୍ତ ଆଗରେ ରହିଥିଲେ ଜୟ । ସେପଟେ କିନ୍ତୁ ବିଜେଡ଼ି ଓ କଂଗ୍ରେସ ପ୍ରାର୍ଥୀ ଉପର ତଳ ହୋଇଥିଲେ । ବିଜେଡ଼ି ଓ କଂଗ୍ରେସ ମଧ୍ୟରେ ଅଧିକ ଭୋଟ୍ ବ୍ୟବଧାନ ନ ଥିବା ଦେଖିବାକୁ ମିଳିଛି । ଉଭୟ ପରସ୍ପର ସହିତ ବହୁତ ସଂଘର୍ଷ କରିଛନ୍ତି ଦ୍ୱିତୀୟ ସ୍ଥାନ ବଜାୟ ରଖିବାକୁ । କିନ୍ତୁ ଗତ ସାଧାରଣ ନିର୍ବାଚନରେ ସ୍ୱାଧୀନରୁ ଲଢ଼ି ଦ୍ୱିତୀୟ ସ୍ଥାନରେ ରହିଥିବା ଘାସିରାମ ମାଝୀ ନିଜର ସ୍ଥିତି ବଜାୟ ରଖିଛନ୍ତି । ମାତ୍ର ପୂର୍ବରୁ ମନ୍ତ୍ରୀ ପଦରେ ବସିଥିବା ସ୍ନେହାଙ୍ଗିନୀ ଛୁରିଆଙ୍କର ଲଜ୍ଜାଜନକ ପରାଜୟ ହୋଇଛି । ବିଜେଡ଼ିର ସବୁ ଅଭିଯୋଗ, ଯୋଜନା, ଫନ୍ଦି ଫିକର ଅକାମୀ ହୋଇଛି । ନା କାମ କରିଛି ନବୀନ କ୍ରେଜ୍ ନାଁ କାମ କରିଛି ‘ବେଇମାନ’ ଅଭିଯୋଗ । ମାମୁଁ ଘରେ ଯାଇ ନିର୍ବାଚନ ଲଢ଼ିଥିବା ସ୍ନେହାଙ୍ଗିନୀ ଶେଷରେ ଏକ ମୁହାଁ ହୋଇ ଫେରିଛନ୍ତି । ଏହା ସହିତ ବିଜେଡ଼ି ହାତରୁ ଆଉ ଗୋଟିଏ ଆସନ ଯାଇଥିବାବେଳେ ବିଜେପି ତାଲିକାରେ ଆଉ ଜଣେ ସଦସ୍ୟ ଯୋଡ଼ି ହୋଇଛନ୍ତି । ଜୟଙ୍କୁ ମିଶାଇ ବିଧାନସଭାରେ ବିଜେପିର ସଦସ୍ୟ ସଂଖ୍ୟା ୭୯ରେ ପହଁଚିଥିବାବେଳେ ବିଜେଡ଼ିର ୫୦କୁ ଖସିଛି ।
👉🏻୨୯ ରାଉଣ୍ଡ ସୁଦ୍ଧା
ଜୟ ଢୋଲକିଆ (ବିଜେପି)- ୧,୨୩, ୮୬୯
ଘାସିରାମ ମାଝୀ (କଂଗ୍ରେସ)- ୪୦,୧୨୧
ସ୍ନେହାଙ୍ଗିନୀ ଛୁରିଆ (ବିଜେଡ଼ି)- ୩୮, ୪୦୮
୮୩, ୭୪୮ ଭୋଟରେ ଆଗୁଆ ଜୟ
ଗତ ସାଧାରଣ ନିର୍ବାଚନରେ ନୂଆପଡ଼ାରୁ ବିଜେଡିରୁ ରାଜେନ୍ଦ୍ର ଢୋଲକିଆ ବିଜୟୀ ହୋଇଥିଲେ । ତାଙ୍କୁ ୬୧ ହଜାର ୮୨୨ ଭୋଟ୍ ମିଳିଥିଲା । ସ୍ଵାଧୀନ ଭାବରେ ନିର୍ବାଚନ ଲଢି ଘାସିରାମ ମାଝୀ ଦ୍ଵିତୀୟ ସ୍ଥାନରେ ଥିଲେ, ତାଙ୍କୁ ମିଳିଥିଲା ୫୦ ହଜାର ୯୪୧ ଭୋଟ୍ । ତୃତୀୟ ସ୍ଥାନରେ ବିଜେପି ପୂର୍ବତନ ସାଂସଦ ବସନ୍ତ ପଣ୍ଡାଙ୍କ ପୁଅ ଅଭିନନ୍ଦନ ପଣ୍ଡା ଥିବାବେଳେ କଂଗ୍ରେସରୁ ଶରତ ପଟ୍ଟନାୟକ ଚତୁର୍ଥ ସ୍ଥାନରେ ଥିଲେ ।
ସେପ୍ଟେମ୍ବର ୮ ରେ ବିଜେଡ଼ି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ବିୟୋଗ ହୋଇଥିଲା । ଏହା ପରେ ନୂଆପଡ଼ା ଉପନିର୍ବାଚନ ପାଇଁ ବିଗୁଲ ବାଜିଥିଲା । ଅକ୍ଟୋବର ୧୧ ତାରିଖରେ ରାଜେନ୍ଦ୍ରଙ୍କ ପୁଅ ଜୟ ବିଜେପିରେ ସାମିଲ ହୋଇଥିଲେ । ବିଜେଡ଼ି ତାଙ୍କ ବାପାଙ୍କୁ ଶେଷ ସମୟରେ ଅଣଦେଖା କରିଥିବା ଅଭିଯୋଗ କରିଥିଲେ ଜୟ । ଏପରିକି ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ନାଁ ତାଙ୍କ ଶେଷ ଦର୍ଶନ କରିଥିଲେ ନାଁ ଶ୍ରଦ୍ଧାଞ୍ଜଳୀ ସଭାକୁ ଆସିଥିଲେ । ଯାହାକି ତାଙ୍କୁ ଶକ୍ତ ଧକ୍କା ଦେଇଥିଲା । ଯେଉଁଥିପାଇଁ ସେ ଦଳ ଛାଡ଼ିଥିବା କହିଥିଲେ । ସେପଟେ ଗତ ନିର୍ବାଚନରେ ରାଜେନ୍ଦ୍ରଙ୍କଠାରୁ ହାରିଥିବା ସ୍ୱାଧୀନ ପ୍ରାର୍ଥୀକୁ କଂଗ୍ରେସ ମଇଦାନକୁ ଓହ୍ଲାଇଥିଲା । କିନ୍ତୁ ବିଜେଡ଼ି ପ୍ରାର୍ଥୀ ଚୟନରେ ଅନେକ ସଂଘର୍ଷର ସାମ୍ନା କରିଥିଲା । ପ୍ରାୟ ୩ରୁ ୪ ଜଣ ବରିଷ୍ଠ ନେତା ପ୍ରାର୍ଥୀ ପାଇଁ ଅଡ଼ି ବସିଥିଲେ । ଶେଷରେ ଉପାୟ ଶୂନ୍ୟ ହୋଇ ବିଜେଡ଼ି ବରଗଡ଼ରୁ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଆଣି ପ୍ରାର୍ଥୀ ଘୋଷଣା କରିଥିଲା ।