ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ପୁଣିଥରେ ପରାମର୍ଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ। ରାହୁଲଙ୍କୁ ନେଇ ନିଜର ପୂର୍ବ ମନ୍ତବ୍ୟ ଉପରେ ସ୍ପଷ୍ଟୀକରଣ ରଖିବା ସହ ଏହାକୁ ନକାରାତ୍ମକ ଭାବେ ନ ନେବାକୁ ସେ କହିଛନ୍ତି। ଜଣେ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ଭାବେ ନୁହେଁ, ବରଂ ଜଣେ ଶୁଭେଚ୍ଛୁ ଭାବେ ରାହୁଲଙ୍କୁ ପରାମର୍ଶ ଦେଉଥିବା ରିଜିଜୁ କହିଛନ୍ତି।
ରିଜିଜୁଙ୍କ ମତରେ, ଭାରତର ଗଣତନ୍ତ୍ର ପାଇଁ ଏକ ଶକ୍ତିଶାଳୀ ବିରୋଧୀ ଦଳ ରହିବା ଅତ୍ୟନ୍ତ ଜରୁରୀ। ଦେଶକୁ ଅଟଳ ବିହାରୀ ବାଜପେୟୀ, ଲାଲକୃଷ୍ଣ ଆଡଭାଣୀ, ସୁଷମା ସ୍ୱରାଜ ଏବଂ ଅରୁଣ ଜେଟଲୀଙ୍କ ଭଳି ପରିପକ୍ୱ ବିରୋଧୀ ନେତାଙ୍କ ଆବଶ୍ୟକତା ରହିଛି। କଂଗ୍ରେସ ନିଜର ରାଜନୈତିକ ଆଭିମୁଖ୍ୟରେ ପରିବର୍ତ୍ତନ ନ ଆଣିଲେ ଦଳ ଆହୁରି ଦୁର୍ବଳ ହୋଇପାରେ ବୋଲି ସେ ମତ ଦେଇଛନ୍ତି। ଏଥିସହ ବାରମ୍ବାର 'ଭୋଟ୍ ଚୋରି' ଭଳି ଅଭିଯୋଗ ଉଠାଇବାକୁ ମଧ୍ୟ ସେ ସମାଲୋଚନା କରିଛନ୍ତି।
କାହିଁକି ରାହୁଲଙ୍କୁ ପରାମର୍ଶ ଦେଲେ ରିଜିଜୁ?
ନଭେମ୍ବର ୪ ତାରିଖରେ ରିଜିଜୁ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ରାହୁଲ ଗାନ୍ଧୀଙ୍କୁ କିଛି ପରାମର୍ଶ ଦେଇଥିଲେ। ଯଦି ରାହୁଲ ଏହି ପରାମର୍ଶଗୁଡ଼ିକୁ ଗ୍ରହଣ କରନ୍ତି, ତେବେ କଂଗ୍ରେସ ଅଧିକ ସଂଖ୍ୟକ ଆସନ ଜିତିପାରିବ ବୋଲି ସେ ଉଲ୍ଲେଖ କରିଥିଲେ।
ସେହି ପୋଷ୍ଟରେ ରିଜିଜୁ ରାହୁଲଙ୍କୁ ଅଧିକ ସମୟ ଭାରତରେ ବିତାଇବା ସହ ବାରମ୍ବାର ବିଦେଶ ଗସ୍ତରୁ ଦୂରେଇ ରହିବାକୁ କହିଥିଲେ। ଏଥିସହ ଦଳର ବରିଷ୍ଠ ନେତାଙ୍କୁ ସମ୍ମାନ ଦେବା ଏବଂ ସେମାନଙ୍କ ଅଭିଜ୍ଞତାରୁ ଶିଖିବାକୁ ପରାମର୍ଶ ଦେଇଥିଲେ।
ବିଜେପିକୁ ଶତ୍ରୁ ନୁହେଁ, ପ୍ରତିଦ୍ୱନ୍ଦ୍ୱୀ ଭାବନ୍ତୁ
ରିଜିଜୁ ଆହୁରି କହିଥିଲେ ଯେ ରାହୁଲ ଗାନ୍ଧୀ ଭାରତ ବିରୋଧୀ ଚିନ୍ତାଧାରା ରଖୁଥିବା ଲୋକଙ୍କ ସହ ସମ୍ପର୍କ ରଖିବା ଏବଂ ସେମାନଙ୍କ ଏଜେଣ୍ଡାକୁ ପ୍ରୋତ୍ସାହନ ଦେବାରୁ ଦୂରେଇ ରହିବା ଉଚିତ। ବିଜେପି, ଆରଏସଏସ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରତି ରାଜନୈତିକ ଶତ୍ରୁତା ମନୋଭାବ ଛାଡ଼ିବାକୁ ମଧ୍ୟ ସେ କହିଥିଲେ। ବିଜେପିକୁ ଶତ୍ରୁ ଭାବିବା ପରିବର୍ତ୍ତେ ଏକ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ଭାବେ ଦେଖିବା ଉଚିତ ବୋଲି ରିଜିଜୁଙ୍କ ପରାମର୍ଶ ଥିଲା।