ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ତଥା ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କୁ କଡ଼ା ସମାଲୋଚନା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ଦିଲ୍ଲୀରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧନ କରିବା ଅବସରରେ ଶାହା କହିଛନ୍ତି ଯେ ଯଦି ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ହେବାର ଅଛି, ତେବେ ସେ ସାରା ଜୀବନ କେବଳ ପ୍ରତୀକାତ୍ମକ ସଂସଦ ବା 'ମକ୍ ପାର୍ଲିାମେଣ୍ଟ'ରେ ହିଁ ବସିରୁହନ୍ତୁ; କାରଣ ବାସ୍ତବରେ ତାଙ୍କର ପ୍ରଧାନମନ୍ତ୍ରୀ ହେବା କେବେବି ସମ୍ଭବ ନୁହେଁ।
ମଲ୍ଲିକାର୍ଜୁନ ଖର୍ଗେଙ୍କ ବାସଭବନରେ ବିରୋଧୀଙ୍କ ଦ୍ୱାରା 'ମକ୍ ପାର୍ଲିାମେଣ୍ଟ' (ପ୍ରତୀକାତ୍ମକ ସଂସଦ) ପରିଚାଳନା କରାଯିବା ପ୍ରସଙ୍ଗରେ କଡ଼ା ପ୍ରତିକ୍ରିୟା ରଖି ଶାହା କହିଛନ୍ତି ଯେ ଗତ ୧୫ ବର୍ଷ ଭିତରେ ବିଭିନ୍ନ ନିର୍ବାଚନରେ କଂଗ୍ରେସ କ୍ରମାଗତ ଭାବେ ପରାଜୟର ସମ୍ମୁଖୀନ ହୋଇଆସୁଛି। ସୋନିଆ ଗାନ୍ଧୀଙ୍କ ସ୍ୱପ୍ନ ତାଙ୍କ ପୁଅକୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବା ଥିଲେ ହେଁ, ତାହା ପୂରଣ ହୋଇପାରୁନାହିଁ। ଏବେ ସେମାନେ ପ୍ରତୀକାତ୍ମକ ସଂସଦ ଚଳାଇବାର ଏକ ନୂଆ ବାଟ ବାଛିଛନ୍ତି।
ଏହି ଅବସରରେ ଗୃହମନ୍ତ୍ରୀ ଶାହା ୧୯୮୪ ମସିହା ଶିଖ୍ ବିରୋଧୀ ଦଙ୍ଗାର ବାର୍ଷିକୀ ଦିନ ଦିଲ୍ଲୀରେ କଂଗ୍ରେସ ଏବଂ 'ଇଣ୍ଡି' ମେଣ୍ଟ ପକ୍ଷରୁ ଅନୁଷ୍ଠିତ ରାଲିକୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ଏଭଳି କଳା ଦିବସରେ ରାଲି କରିବା ଏବଂ ଶିଖ୍ ନରସଂହାରର ପୀଡ଼ିତମାନଙ୍କ କ୍ଷତରେ ଲୁଣ ଲଗାଇବା ସଦୃଶ ଅଟେ। ସେତେବେଳେ ହଜାର ହଜାର ନିରୀହ ଶିଖ୍ ସମ୍ପ୍ରଦାୟର ଲୋକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ସେ ମନେ ପକାଇ ଦେଇଛନ୍ତି।
୧୯୮୪ ଦଙ୍ଗା ପରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ଉଲ୍ଲେଖ କରି ଶାହା କହିଛନ୍ତି ଯେ "ବଡ଼ ଗଛ ପଡ଼ିଲେ ଭୂମିକମ୍ପ ହୁଏ" ବୋଲି କହି ହଜାର ହଜାର ହତ୍ୟାକାଣ୍ଡକୁ ଯେପରି ସମର୍ଥନ କରାଯାଇଥିଲା, ସେଭଳି ମନ୍ତବ୍ୟ କେବଳ କଂଗ୍ରେସ ନେତାମାନଙ୍କ ଦ୍ୱାରା ହିଁ ସମ୍ଭବ ଅଟେ।
ଅମିତ ଶାହା ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ମୁଖ୍ୟ ନିର୍ବାଚନ କମିଶନରଙ୍କ ବିରୋଧରେ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଚାଲିଥିବା ଅଭିଯାନ ଏବଂ ରାଲି କେବଳ ରାଜନୈତିକ ଅସ୍ଥିରତା ସୃଷ୍ଟି କରିବା ପାଇଁ ଉଦ୍ଦିଷ୍ଟ। ମିଥ୍ୟା ପ୍ରଚାର କରିବା, ଦେଶରେ ଅରାଜକତା ସୃଷ୍ଟି କରିବା ଏବଂ ସଂସଦକୁ ସଠିକ୍ ଭାବେ କାମ କରିବାକୁ ନ ଦେବା ହିଁ ବିରୋଧୀଙ୍କ ପ୍ରକୃତ କାର୍ଯ୍ୟଶୈଳୀ ବୋଲି ସେ କଡ଼ା ଭାଷାରେ ସମାଲୋଚନା କରିଛନ୍ତି।