ହାଇଦ୍ରାବାଦ: ତେଲେଙ୍ଗାନାର ହାଇଦ୍ରାବାଦଠାରେ ବିଜେପି ଦ୍ୱାରା ଆୟୋଜିତ 'ଲୋକତନ୍ତ୍ର ବଞ୍ଚାଓ, ଅରାଜକତା ହଟାଓ' ପଦଯାତ୍ରା ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବିରୋଧୀ ଦଳ ଉପରେ କଡ଼ା ଆକ୍ରମଣ କରିଛନ୍ତି। ବିଶେଷ କରି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରିବା ସହ ଏସଆଇଆର (SIR) କାର୍ଯ୍ୟକ୍ରମ ଏବଂ ଅନୁପ୍ରବେଶକାରୀଙ୍କ ପ୍ରସଙ୍ଗକୁ ନେଇ ସେ ସୁରକ୍ଷା ଓ ରାଜନୈତିକ ସ୍ଥିତି ଉପରେ ନିଜର ପକ୍ଷ ରଖିଛନ୍ତି।
କଂଗ୍ରେସର ମକ୍ ପାର୍ଲାମେଣ୍ଟ (ନକଲି ସଂସଦ)କୁ ନେଇ କଟାକ୍ଷ କରି ଶାହ କହିଛନ୍ତି ଯେ, ରାହୁଲ ଗାନ୍ଧୀ କେବଳ ନକଲି ସଂସଦରେ ହିଁ ପ୍ରଧାନମନ୍ତ୍ରୀ ହୋଇପାରିବେ, କାରଣ ଅସଲି ସଂସଦରେ ସେ କେବେ ବି ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ। ଏହାଦ୍ୱାରା ଅନ୍ତତଃ ସୋନିଆ ଗାନ୍ଧୀଙ୍କ ମନକୁ ଶାନ୍ତି ମିଳିବ ବୋଲି ସେ ତାଚ୍ଛଲ୍ୟ କରିଛନ୍ତି। ନିର୍ବାଚନ ଜିତିବା ପାଇଁ ଲୋକଙ୍କ ସମସ୍ୟା ବୁଝିବା ଆବଶ୍ୟକ, ପ୍ରତି ତିନି-ଚାରି ମାସରେ ବିଦେଶ ଗସ୍ତ କରିବା କିମ୍ବା ହାତରେ ସମ୍ବିଧାନ ଧରି ସଂସଦ ଚାଲିବାକୁ ନଦେବା ଠିକ୍ ନୁହେଁ।
ଗୃହମନ୍ତ୍ରୀ ବିରୋଧୀଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇ କହିଛନ୍ତି ଯେ, ସରକାର ସଂସଦର ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି, ବିରୋଧୀ ଆସି ଯେକୌଣସି ମୁଦ୍ଦା ଉପରେ ଆଲୋଚନା କରନ୍ତୁ। କିନ୍ତୁ ବିରୋଧୀ ଆଲୋଚନା କରିବେ ନାହିଁ, କାରଣ ସେମାନେ ଜାଣିଛନ୍ତି ଯେ ସଂସଦରେ ଚର୍ଚ୍ଚା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେମାନଙ୍କ ଅଭିଯୋଗକୁ ଖଣ୍ଡନ କରିଦେବେ। କେବଳ ଅରାଜକତା ସୃଷ୍ଟି କରି ଖବରରେ ରହିବା ସେମାନଙ୍କର ଲକ୍ଷ୍ୟ।
ଦିଲ୍ଲୀରେ କଂଗ୍ରେସର ରାଲିକୁ 'ଅନୁପ୍ରବେଶକାରୀଙ୍କୁ ବଞ୍ଚାଓ ରାଲି' ଭାବେ ଅଭିହିତ କରି ଶାହ କହିଛନ୍ତି ଯେ, କଂଗ୍ରେସ ଏସଆଇଆର କାର୍ଯ୍ୟକ୍ରମକୁ ରୋକି ଭୋଟର ତାଲିକାରୁ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ସୁରକ୍ଷା ଦେବାକୁ ଚେଷ୍ଟା କରୁଛି। କିନ୍ତୁ ବିଜେପି ପ୍ରତ୍ୟେକ ଅନୁପ୍ରବେଶକାରୀଙ୍କୁ ଭୋଟର ତାଲିକା ଏବଂ ଦେଶରୁ ବାହାର ନକରିବା ପର୍ଯ୍ୟନ୍ତ ଶାନ୍ତ ହୋଇ ବସିବ ନାହିଁ।
ଭୋଟର ତାଲିକାରୁ ୧୩ କୋଟି ନାମ କଟାଯିବା ନେଇ ରାହୁଲ ଗାନ୍ଧୀଙ୍କ ଅଭିଯୋଗକୁ ସେ ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିଛନ୍ତି। ଏହି ନାମଗୁଡ଼ିକ ମଧ୍ୟରୁ ସବା ୬ କୋଟି ଅନ୍ୟତ୍ର ସ୍ଥାନାନ୍ତରିତ ହୋଇଥିବା ଲୋକ, ୨.୮ କୋଟି ମୃତ ବ୍ୟକ୍ତି, ୧ କୋଟି ଡୁପ୍ଲିକେଟ୍ ନାମ ଏବଂ ଅବଶିଷ୍ଟ ୩ କୋଟି କୌଣସି ପ୍ରକୃତ ନାଗରିକ ନୁହଁନ୍ତି ବରଂ ବାଂଲାଦେଶୀ ଅନୁପ୍ରବେଶକାରୀ ଅଟନ୍ତି ବୋଲି ଗୃହମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।