ବାରାଣସୀ: ଉତ୍ତରପ୍ରଦେଶ ରାଜନୀତିରେ ଏବେଠୁ ୨୦୨୭ ବିଧାନସଭା ନିର୍ବାଚନକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହାରି ମଧ୍ୟରେ ସମାଜବାଦୀ ପାର୍ଟି (SP) ମୁଖ୍ୟ ଅଖିଳେଶ ଯାଦବଙ୍କ ଏକ ବଡ଼ ବୟାନ ରାଜନୈତିକ ମହଲରେ ହଟଚମଟ ସୃଷ୍ଟି କରିଛି। ଆସନ୍ତା ୨୦୨୭ ବିଧାନସଭା ନିର୍ବାଚନରେ ସେ ନିଜେ ପ୍ରାର୍ଥୀ ହେବେ ନାହିଁ ବୋଲି ସ୍ପଷ୍ଟ କରିବା ସହ ସିଧାସଳଖ ମୁଖ୍ୟମନ୍ତ୍ରୀ ପଦର ଶପଥ ନେବା ନେଇ ଆତ୍ମବିଶ୍ୱାସ ପ୍ରକାଶ କରିଛନ୍ତି।
ମଙ୍ଗଳବାର ବାରାଣସୀ ଗସ୍ତ ସମୟରେ ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ଅଖିଳେଶ ଏହି ମନ୍ତବ୍ୟ ଦେଇଛନ୍ତି। କାଶୀର କୌଣସି ବିଧାନସଭା ଆସନରୁ ସେ ନିର୍ବାଚନ ଲଢ଼ିବେ କି ନାହିଁ ବୋଲି ପଚରାଯିବାରୁ ନିଜ ନିଷ୍ପତ୍ତି ସ୍ପଷ୍ଟ କରିଥିଲେ। ତାଙ୍କ କହିବା ଅନୁଯାୟୀ, ଯେଉଁ ରାସ୍ତା ତାଙ୍କ ପାଇଁ ପୂର୍ବରୁ ଶୁଭ ସାବ୍ୟସ୍ତ ହୋଇଛି, ସେ ଏଥର ମଧ୍ୟ ସେହି ରାସ୍ତା ଆପଣାଇବେ।
୨୦୧୨ର ଉଦାହରଣ ଦେଲେ ସପା ମୁଖ୍ୟ
ନିଜ ରାଜନୈତିକ ଅଭିଜ୍ଞତାକୁ ଉଦାହରଣ ଭାବେ ରଖି ଅଖିଳେଶ କହିଛନ୍ତି ଯେ, ସେ ଯେତେବେଳେ ମୁଖ୍ୟମନ୍ତ୍ରୀ ହୋଇଥିଲେ, ସେତେବେଳେ ବିଧାନସଭା ନିର୍ବାଚନ ଲଢ଼ିନଥିଲେ। ବରଂ ଲୋକସଭା ସାଂସଦ ଥାଇ ମୁଖ୍ୟମନ୍ତ୍ରୀ ହୋଇଥିଲେ। ତେଣୁ ଏଥର ମଧ୍ୟ ସେହି ରାଜନୈତିକ ପଥ ଅନୁସରଣ କରିବେ ବୋଲି ସଙ୍କେତ ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ, ୨୦୧୨ରେ ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି ସରକାର ଗଠନ କରିବା ପରେ ଅଖିଳେଶ ଯାଦବ ମୁଖ୍ୟମନ୍ତ୍ରୀ ହୋଇଥିଲେ। ସେହି ସମୟରେ ସେ କନ୍ନୌଜରୁ ଲୋକସଭା ସାଂସଦ ଥିଲେ। ମୁଖ୍ୟମନ୍ତ୍ରୀ ହେବା ପରେ ଲୋକସଭା ସଦସ୍ୟତାରୁ ଇସ୍ତଫା ଦେଇଥିଲେ।
ଯୋଗୀ ସରକାରଙ୍କୁ ଘେରିଲେ ଅଖିଳେଶ
ବାରାଣସୀରେ କେବଳ ନିର୍ବାଚନ ନୁହେଁ, ବିଭିନ୍ନ ପ୍ରସଙ୍ଗରେ ଯୋଗୀ ଆଦିତ୍ୟନାଥଙ୍କ ସରକାରକୁ ମଧ୍ୟ ଟାର୍ଗେଟ କରିଛନ୍ତି ସପା ମୁଖ୍ୟ। ଏମଏଲସି ନିର୍ବାଚନରେ ସପା ପ୍ରାର୍ଥୀଙ୍କୁ ହରାଇବା ପାଇଁ ପ୍ରଶାସନ ଉଦ୍ୟମ କରିଥିବା ସେ ଅଭିଯୋଗ କରିଛନ୍ତି। ତେବେ ବାବା ବିଶ୍ୱନାଥଙ୍କ ଆଶୀର୍ବାଦରୁ ଦଳକୁ ସଫଳତା ମିଳିଥିବା ସେ କହିଛନ୍ତି।