ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ମହାସଚିବ ତଥା ପୂର୍ବତନ ମନ୍ତ୍ରୀ ଆଜମ ଖାନ ଏବଂ ତାଙ୍କ ପୁଅ ପୂର୍ବତନ ବିଧାୟକ ଅବଦୁଲ୍ଲା ଖାନଙ୍କୁ ପୁଣି ଥରେ ଝଟକା ଲାଗିଛି । ଦୁଇଟି ପ୍ୟାନ୍ କାର୍ଡ ଦୁର୍ନୀତି ମାମଲାରେ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି । କୋର୍ଟ ଉଭୟଙ୍କୁ ସାତ ବର୍ଷ ଜେଲ ଦଣ୍ଡ ଶୁଣାଇଛନ୍ତି । ଆଜମ ଖାନ ଏବଂ ଅବଦୁଲ୍ଲା ଉଭୟଙ୍କୁ ପୋଲିସ ହେପାଜତକୁ ନିଆଯାଇଛି।
ରତୀୟ ଜନତା ପାର୍ଟିର ବିଧାୟକ ଆକାଶ ସକ୍ସେନା ଛଅ ବର୍ଷ ପୂର୍ବେ ଦୁଇଟି ପ୍ୟାନ୍ କାର୍ଡ ସମ୍ପର୍କିତ ସିଭିଲ ଲାଇନ୍ସ ପୋଲିସ ଷ୍ଟେସନରେ ଏଫ୍ଆଇଆର୍ କରିଥିଲେ । ଡିସେମ୍ବର ୬, ୨୦୧୯ରେ ବିଜେପି ବିଧାୟକ ଦାଖଲ କରିଥିବା ଅଭିଯୋଗରେ ଅବଦୁଲ୍ଲା ଭିନ୍ନ ଜନ୍ମ ତାରିଖ ସହିତ ଦୁଇଟି ପାନ କାର୍ଡ ହାତେଇଥିବା ଦର୍ଶାଇଥିଲେ । ବିଧାୟକ ଦାବି କରିଛନ୍ତି ଯେ ପ୍ୟାନ୍ କାର୍ଡଗୁଡ଼ିକ ମିଥ୍ୟା ଏବଂ ନକଲି ପ୍ରମାଣପତ୍ର ଆଧାରରେ ତିଆରି ଏବଂ ବ୍ୟବହାର କରାଯାଇଥିଲା। ଗୋଟିଏ ପ୍ୟାନ୍ କାର୍ଡରେ ଅବଦୁଲ୍ଲାଙ୍କ ଜନ୍ମ ତାରିଖ ଜାନୁଆରୀ ୧, ୧୯୯୩ ଉଲ୍ଲେଖ ଥିବାବେଳେ ଅନ୍ୟଟିରେ ସେପ୍ଟେମ୍ବର ୩୦, ୧୯୯୦ ଦର୍ଶାଯାଇଛି । ଏଫ୍ଆଇଆର ଆଧାରରେ ପୋଲିସ ତଦନ୍ତ ସମାପ୍ତ କରିବା ପରେ ଅବଦୁଲ୍ଲାଙ୍କ ବିରୁଦ୍ଧରେ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି । ଏମପି-ଏମଏଲଏ ସ୍ୱତନ୍ତ୍ର କୋର୍ଟ (ମାଜିଷ୍ଟ୍ରେଟ୍ ଟ୍ରାଏଲ୍)ରେ ସୋମବାର ଅପରାହ୍ନରେ ଶୁଣାଣି ହୋଇଛି । ପ୍ରଥମେ ଆଜମ ଖାନ ଏବଂ ଅବଦୁଲ୍ଲା କୋର୍ଟରେ ହାଜର ହୋଇଥିଲେ । ବିଚାରପତି ଶୋଭିତ ବଂଶଲ ମାମଲାର ଶୁଣାଣି କରି ଉଭୟ ବାପା ଏବଂ ପୁଅଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଉଭୟଙ୍କୁ ୭ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ସହିତ ୫୦ ହଜାର ଟଙ୍କାର ଜୋରିମାନାରେ ଦଣ୍ଡିତ କରାଯାଇଛି । କୋର୍ଟଙ୍କ ରାୟ ଆସିବା କ୍ଷଣି ଉଭୟଙ୍କୁ ପୋଲିସ ହେପାଜତରେ ନିଆଯାଇଛି ।
ସେପଟେ ମାମଲାର ଶୁଣାଣି ଚାଲିଥିବାବେଳେ ଉଭୟ ଦଳର କର୍ମୀଙ୍କ ମଧ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଥିଲା । ଉଭୟ ଦଳର କର୍ମମାନେ କୋର୍ଟ ବାହାରେ ରୁଣ୍ଡ ହୋଇଥିଲେ । ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ପୋଲିସ ପ୍ରଶାସନ ଆଗୁଆ ସଜାଗ ରହିଥିଲା । କୋର୍ଟ ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।
ଗତ ଦୁଇ ମାସ ତଳେ ଆଜମ ଖାନ ସୀତାପୁର ଜେଲରୁ ଜେଲରୁ ମୁକ୍ତ ହୋଇଥିଲେ । ଦୀର୍ଘ ୨୩ ମାସ ପରେ, ସେପ୍ଟେମ୍ବର ୨୩ ତାରିଖରେ ଆଜମ ଖାନ ଜେଲରୁ ବାହାରିଥିଲେ । ତାଙ୍କ ନାମରେ ଥିବା ମୋଟ ୭୨ ଟି ମାମଲାରେ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ ।