ପାଟନା: ବିହାରର ନିର୍ବାଚନ ଏଥର ଲାଲୁ ପରିବାରକୁ ବଡ କ୍ଷତ ଦେଇଛି । ନିର୍ବାଚନରେ ଶୋଚନୀୟ ପରାଜୟ ସହ ସିଟ୍ ସଂଖ୍ୟା ହ୍ରାସ ପାଇବା ସହ ରାଜନୈତିକ ଅସ୍ଥିତ୍ୱ ବାଜିରେ ଲାଗିଛି । ଏବେ ପରିବାର ବି ଭାଙ୍ଗିବା ଅବସ୍ଥାରେ ରହିଛି । ବିହାର ବିଧାନସଭା ନିର୍ବାଚନର ଫଳାଫଳକୁ ୨୪ ଘଣ୍ଟା ନ ବିତିଣୁ ଲାଲୁ ଯାଦବଙ୍କ ଝିଅ ରୋହିଣୀ ରାଜନୀତି ଓ ପରିବାର ଉଭୟ ଛାଡିବାକୁ ଘୋଷଣା କରିଛନ୍ତି । ଏକ୍ସରେ ପୋଷ୍ଟ କରି ରୋହିଣୀ ଏହି ଘୋଷଣା କରିଛି । ଉଲ୍ଲେଖନୀୟ ବିହାର ନିର୍ବାଚନର କିଛି ସମୟ ପୂର୍ବରୁ ଲାଲୁ ଯାଦବ ନିଜର ବଡ ପୁଅ ତେଜ ପ୍ରତାପ ଯାଦବଙ୍କୁ ପାର୍ଟି ଓ ପରିବାର ଉଭୟରୁ ବେଦଖଲ କରିଥିଲେ ।
ରୋହିଣୀ ନିଜର ଏହି ପୋଷ୍ଟରେ ସଞ୍ଜୟ ଯାଦବଙ୍କ ଉପରେ ଗମ୍ଭୀର ଆରୋପ ଲଗାଇଛନ୍ତି । ରୋହିଣୀ ଲେଖିଛନ୍ତି ସଞ୍ଜୟ ଯାଦବ ଓ ରମିଜ ତାଙ୍କୁ ଏମିତି ଘୋଷଣା କରିବାକୁ ବାଧ୍ୟ କରିଛନ୍ତି । ରୋହିଣୀ କେବଳ ରାଜନୀତି ଛାଡିବା କଥା କହିଥିଲେ । କିନ୍ତୁ କିଛି ସମୟ ପରେ ଏହାକୁ ଏଡିଟ୍ କରି ସଞ୍ଜୟ ଯାଦବ ଓ ରମିଜଙ୍କ ଉପରେ ଆରୋପ ଲଗାଇଛନ୍ତି । ଉଲ୍ଲେଖନୀୟ ରୋହିଣୀଙ୍କ ସଞ୍ଜୟ ଯାଦବଙ୍କ ସହ ପୂର୍ବରୁ ମତଭେଦ ଚାଲିଥିଲା । ବିହାର ଅଧିକାର ଯାତ୍ରାରେ ଏହା ସ୍ପଷ୍ଟ ଦେଖିବାକୁ ମିଳିଥିଲା ।
ରୋହିଣୀ ପ୍ରଥମ ଥର ପରିବାରଠୁ ସଂପର୍କ ଛିନ୍ନ କରିବା କଥା ଲେଖି ନାହାନ୍ତି । ଏହା ପୂର୍ବରୁ ସେ ସେପ୍ଟେମ୍ବରରେ ମଧ୍ୟ ଏକ୍ସରେ ଏମିତି କିଛି ଲେଖିଥିଲେ । ସେହି ସମୟରେ ରୋହିଣୀ ଲେଖିଥିଲେ, ମୁଁ ଜଣେ ଝିଅ ଏବଂ ଭଉଣୀ ହିସାବରେ ନିଜର କର୍ତ୍ତବ୍ୟ ଏବଂ ଧର୍ମର ପାଳନ କରିଛି । ଆଗକୁ ମଧ୍ୟ ନିଜର କର୍ତ୍ତବ୍ୟ କରି ଚାଲିବି । ମୋର କୌଣସି ପଦ ପାଇଁ ଲାଳସା ନାହିଁ, ନା କୌଣସି ମୋର ରାଜନୈତିକ ମହତ୍ୱକାଂକ୍ଷୀ ରହିଛି । ମୋ ପାଇଁ ମୋର ଆତ୍ମ ସମ୍ମାନ ସର୍ବୋପରି । ଆଉ ଆଜି ସେ ଆନୁଷ୍ଠାନିକ ଭାବେ ରାଜନୀତି ଓ ପରିବାର ଛାଡୁଥିବା ଘୋଷଣା କରିଛନ୍ତି ।
Also read: ବିଜେପିକୁ ଝଟକା, ସିନ୍ଦେଙ୍କ ଉପସ୍ଥିତିରେ ଅନେକ ପୂର୍ବତନ କର୍ପୋରେଟର ଶିବସେନାରେ ସାମିଲ