ମୁମ୍ବାଇ: ବିହାରରେ ବିଜେପିକୁ ବଡ ସଫଳତା ମିଳିଥିବା ବେଳେ ଅନ୍ୟପଟେ ମହାରାଷ୍ଟ୍ରରୁ ଦଳ ପାଇଁ ଆସିଛି ଖରାପ ଖବର । ଉଲ୍ଲାସନଗରରୁ ବିଜେପିକୁ ବଡ ରାଜନୈତିକ ଝଟକା ଲାଗିଛି । ଉଲ୍ଲାସନଗର ନଗରପାଳିକାର ପାଞ୍ଚ ଜଣ ପୂର୍ବତନ କର୍ପୋରେଟର ବିଜେପିରୁ ଇସ୍ତଫା ଦେଇ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ଶିବସେନାରେ ସାମିଲ ହୋଇଛନ୍ତି ।
ଇଣ୍ଡିଆନ ଏକ୍ସପ୍ରେସର ରିପୋର୍ଟ ଅନୁଯାୟୀ, ଏହି ନେତାମାନେ ବିଜେପି ରାଜ୍ୟ ସଭାପତି ରବୀନ୍ଦ୍ର ଚହ୍ୱାନଙ୍କ କାର୍ଯ୍ୟଶୈଳୀ ପ୍ରତି ଅସନ୍ତୁଷ୍ଟ ବ୍ୟକ୍ତ କରି ଦଳରୁ ଇସ୍ତଫା ଦେଇଛନ୍ତି । ସେମାନଙ୍କ କହିବା କଥା ମନମୁଖୀ ନିର୍ଣ୍ଣୟ ନେବା, ପୁରୁଣା କାର୍ଯ୍ୟକର୍ତ୍ତାଙ୍କୁ ଅଣଦେଖା କରିବା ନେଇ ଦଳ ହାଇକମାଣ୍ଡଙ୍କ ନିକଟରେ ବାରମ୍ବାର ଅଭିଯୋଗ କରି ଆସିଥିଲେ । ତଥାପି ସେମାନଙ୍କ କଥାକୁ ଗୁରୁତ୍ୱ ଦିଆଗଲାନି । ତେଣୁ ସେମାନେ ବାଧ୍ୟ ହୋଇ ବିଜେପି ଛାଡି ଶିବସେନାରେ ମିଶିଛନ୍ତି ।
ମ୍ୟୁନିସିପାଲଟି ନିର୍ବାଚନ ପୂର୍ବରୁ ଏହି ପାଞ୍ଚ ଅନୁଭବୀ ନେତାଙ୍କ ବିଜେପି ଛାଡିବା ପାର୍ଟି ପାଇଁ ବଡ କ୍ଷତି ହେବ ବୋଲି କୁହାଯାଉଛି । ଉଲ୍ଲାସନଗରରେ ସିନ୍ଧି ସମୁଦାୟର ରାଜନୀତିରେ ଜମନୁ ପୁରସୱାନି ପରି ନେତାଙ୍କ ପ୍ରଭାବ ବ୍ୟାପକ ରହିଛି । ଏମିତି ଘଟଣା ସ୍ଥାନୀୟ ରାଜନୈତିକ ସମୀକରଣ ଉପରେ ସିଧାସଳଖ ପ୍ରଭାବ ପଡିବ ବୋଲି କୁହାଯାଉଛି ।
ସୂଚନାଯୋଗ୍ୟ, ଏହା ପୂର୍ବରୁ ଆଜି ଦଳର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଆରକେ ସିଂଙ୍କୁ ପାର୍ଟିରୁ ବହିଷ୍କାର କରିଛି ବିଜେପି । ତାଙ୍କୁ ୬ ବର୍ଷ ପାଇଁ ପାର୍ଟିରୁ ବହିଷ୍କୃତ କରାଯାଇଛି । ଆରାରୁ ବିଜେପିର ସାଂସଦ ରହିଥିବା ତଥା ନରେନ୍ଦ୍ର ମୋଦୀ ସରକାରରେ ମନ୍ତ୍ରୀ ରହି ସାରିଥିବା ଆରକେ ସିଂ ଦୀର୍ଘ ସମୟ ଧରି ପାର୍ଟିରେ ସକ୍ରିୟ ନ ଥିଲେ । ପାର୍ଟି ବିରୋଧୀ ଗତିବିଧି ପାଇଁ ଆଜି ତାଙ୍କ ଉପରେ ଦଳ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।
Also read: ପୁଣି ଶ୍ରୀମୟୀଙ୍କ ତାଚ୍ଛଲ୍ୟ: ନବରାତ୍ରିରେ ଆରମ୍ଭ ହୋଇଥିଲା, ମାର୍ଗଶୀରରେ ଲକ୍ଷ୍ମୀ ଛାଡ଼ିଗଲେ