ପାଟନା: ଆଉ ମାତ୍ର ଗୋଟିଏ ଦିନର ବ୍ୟବଧାନ ପରେ ବିହାର ମୁଖ୍ୟମନ୍ତ୍ରୀଭାବରେ ଶପଥ ନେବେ ନୀତୀଶ କୁମାର । ଆସନ୍ତା ୨୦, ଗୁରୁବାର ଦିନ ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରିବେ । ଏହା ସହିତ ନୀତୀଶ କୁମାର ରେକର୍ଡ କରିବାକୁ ଯାଉଛନ୍ତି । ସେ ଦଶମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ଶପଥ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେବେ ।
ପାଟନାସ୍ଥିତ ଗାନ୍ଧୀ ମୈଦାନରେ ଶପଥ ଗ୍ରହଣର ଭବ୍ୟ ସମାରୋହ ଆୟୋଜନ ହେବ । ପୂର୍ବାହ୍ନ ସମୟର ୧୧ଟାରୁ ମଧ୍ୟାହ୍ନ ୧୨ଟା ମଧ୍ୟରେ ଶପଥ ସମାରୋହ ହେବ । ଏହା ପୂର୍ବରୁ ଆସନ୍ତାକାଲି ନୀତୀଶଙ୍କୁ ଦଳର ନେତାଭାବେ ଚୟନ କରାଯିବ । ଜେଡିୟୁ ଦଳର ଜଣେ ବରିଷ୍ଠ କାର୍ୟ୍ୟକର୍ତ୍ତା ସମ୍ବାଦ ସରବରାହ ସଂସ୍ଥା ପିଟିଆଇକୁ ସୂଚନା ଦେଇଛନ୍ତି ।
ଏହି ଶପଥ ସମାରୋହରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଏବଂ ଅନ୍ୟାନ୍ୟ ବରିଷ୍ଠ ନେତୃବୃନ୍ଦ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ସେହିପରି ବିଭିନ୍ନ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଯୋଗଦେଇ ପାରନ୍ତି । ଓଡ଼ିଶାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଏଥିରେ ଯୋଗ ଦେବେ ବୋଲି ସୂଚନା ରହିଛି ।
ଚଳିତ ବିଧାନସଭା ନିର୍ବାଚନରେ ବିଜେପି-ଜେଡିୟୁର ଏନଡିଏ ମେଣ୍ଟ ଏକ ପାଖିଆ ବିଜୟ ହାସଲ କରିଛି । ଏନଡିଏ ୨୦୨ ଆସନରେ ବିଜୟପ୍ରାପ୍ତି କରିଥିବାବେଳେ ସେଥିରୁ ବିଜେପି ୮୯, ଜେଡିୟୁ ୮୪, ଏଲଜେପି ୧୯, ଏଚ୍ଏଏମ୍(ଏସ୍) ୫ ଓ ଆରଅଏଲ୍ଏମ୍ ୪ ଆସନରେ ଜିତିଛି । ସେପଟେ ମହାମେଣ୍ଟ ୩୫ଟି ଆସନରେ ଜିତିଥିବାବେଳେ ଅନ୍ୟାନ୍ୟ ଦଳ ୬ଟି ଆସନରେ ଜିତିଛନ୍ତି ।