ପାଟନା: ବିହାର ନିର୍ବାଚନରେ ଶୋଚନୀୟ ପରାଜୟ ପରେ ପ୍ରଥମ ଥର ମୁହଁ ଖୋଲିଛନ୍ତି ଜନସୁରାଜ ପାର୍ଟିର ସୂତ୍ରଧର ପ୍ରଶାନ୍ତ କିଶୋର । ଗଣମାଧ୍ୟମ ସାମ୍ନାରେ ପ୍ରଶାନ୍ତ କିଶୋର ନିର୍ବାଚନରେ ପାର୍ଟିର ପରାଜୟକୁ ନେଇ ଖୋଲାଖୋଲି ନିଜର କଥା ରଖିଛନ୍ତି । ପ୍ରଶାନ୍ତ କିଶୋର ଦଳର ପରାଜୟ ପାଇଁ ସଂପୂର୍ଣ୍ଣ ରୂପେ ନିଜକୁ ଦାୟୀ କରିଛନ୍ତି । ଲୋକଙ୍କ ବିଶ୍ୱାସ ଜିତି ପାରି ନ ଥିବା ସେ କହିଛନ୍ତି । ଆମେ ସଚ୍ଚୋଟତାର ସହ ଉଦ୍ୟମ କଲୁ, ମାତ୍ର ଏହା ସଂପୂର୍ଣ୍ଣ ଭାବେ ଅସଫଳ ରହିଲା ।
ପ୍ରଶାନ୍ତ କିଶୋର କହିଛନ୍ତି, ଯେଉଁ ଦଳକୁ କେବଳ ସାଢେ ତିନି ପ୍ରତିଶତ ଭୋଟ୍ ମିଳିଛି, ଆଉ ସେହି ଦଳର ସାମ୍ବାଦିକ ସମ୍ମିଳନୀରେ ଏତେ ସାଥୀ ଆସିବା ଏଥିରୁ ଜଣା ପଡୁଛି ଯେ, ଏହି ନିର୍ବାଚନରେ ଆମେ କିଛି ତ ଭଲ କରିଛୁ । ଆମ୍ଭେ ମାନେ ଆଜିଠୁ ସାଢେ ତିନି ବର୍ଷ ପୂର୍ବେ ବିହାରରେ ବ୍ୟବସ୍ଥା ପରିବର୍ତ୍ତନ ଚିନ୍ତାଧାରା ସହ ଆସିଥିଲୁ । ଏଥିରେ ଆମେ ଏକ ସଚ୍ଚୋଟତାର ସହ ଉଦ୍ୟମ କରିଥିଲୁ । ଏଥିରେ ଆମକୁ କିଛି ବି ସଫଳତା ମିଳିଲା ନାହିଁ । ଏହାକୁ ସ୍ୱୀକାର କରିବାରେ ଆମେ ସଙ୍କୋଚ ବି କରୁୁନୁ । ବ୍ୟବସ୍ଥା ପରିବର୍ତ୍ତନର ଯେଉଁ ଅଭିଯାନକୁ ନେଇ ଆମେ ଚାଲିଥିଲୁ, ବ୍ୟବସ୍ଥା ତ ଛାଡନ୍ତୁ, କ୍ଷମତା ପରିବର୍ତ୍ତନ ବି କରି ପାରିଲୁନି ।
ପିକେ କହିଛନ୍ତି, ବିହାରର ରାଜନୀତି ବଦଳାଇବାରେ ଆମ ଲୋକଙ୍କ ଭୂମିକା କିଛି ନା କିଛି ଅଛି । ଆମର ଚିନ୍ତାରେ, ପ୍ରୟାସରେ କିଛି ନା କିଛି ଭୁଲ୍ ଥାଇପାରେ । ସେଥିପାଇଁ ଆମେ ଜନତାଙ୍କ ବିଶ୍ୱାସ ଜିତି ପାରିଲୁନି । ପରାଜୟ ପାଇଁ ଏହାର ସଂପୂର୍ଣ୍ଣ ଉତ୍ତରଦାୟୀ ମୁଁ ନିଜ କାନ୍ଧକୁ ନେଉଛି ବୋଲି ନିର୍ବାଚନୀ ରଣନୀତିକାରରୁ ରାଜନେତା ପାଲଟିଥିବା ପ୍ରଶାନ୍ତ କିଶୋର କହିଛନ୍ତି ।
Also read: ଦିଲ୍ଲୀ ବିସ୍ଫୋରଣ ମାମଲା: ଅଲ୍-ଫଲାହ ବିଶ୍ୱବିଦ୍ୟାଳୟ ବିରୋଧରେ ଇଡିର କାର୍ଯ୍ୟାନୁଷ୍ଠାନ