ଭୁବନେଶ୍ୱର: ଯେଉଁ ନେତାବାମାନ ଦିନେ ବିଜୁ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ବୋଲି ଦାବି କରୁଥିଲେ, ସେହି ଆଗ ଧାଡ଼ିର ନେତା ଆଜି ନୀରବ କାହିଁକି ? ତାମିଲ ବୋହୂ ହାତରେ ଦଳକୁ ଟେକି ଦେବା ପାଇଁ ଏବେ ସଂଘବଦ୍ଧ ରଣନୀତି ଆରମ୍ଭ କରିଦେଇଛନ୍ତି । ୟେ କ’ଣ ଆପଣମାନଙ୍କର ବିଜୁ ଆଦର୍ଶ ? ପୁଣି ଥରେ ଶ୍ରୀମୟୀ ମିଶ୍ର ବିଜୁ ଜନତା ଦଳକୁ ଅନେକ ପ୍ରଶ୍ନ ବାଣରେ ଘାଇଲା କରିବା ସହିତ ବରିଷ୍ଠ ନେତାମାନଙ୍କୁ ମୁହଁ ଖୋଲିବାକୁ ଆହ୍ୱାନ କରିଛନ୍ତି ।
ଶ୍ରୀମୟୀ ମିଶ୍ର ଦଳରୁ ନିଲମ୍ବିତ ହେବା ପରେ ଅନେକ ଥର ଦଳର କାର୍ଯ୍ୟପନ୍ଥା ନେଇ ପ୍ରଶ୍ନ ଉଠାଇଛନ୍ତି । ବିଜେଡ଼ି କିଭଳି ତାମିଲ ବାବୁଙ୍କ ଇଙ୍ଗିତରେ ପରିଚାଳିତ ହେଉଛି, ତାହାକୁ ଲୋକ ଲୋଚନକୁ ଆଣିବାକୁ ଅନେକ ପ୍ରୟାସ କରୁଛନ୍ତି । ଶ୍ରୀମୟୀ ସୋସିଆଲ ମିଡ଼ିଆରେ ତାମିଲ ଦମ୍ପତ୍ତିଙ୍କୁ ଟାର୍ଗେଟ୍ କରିବା ସହିତ ଆଗଧାଡ଼ିର ନେତାଙ୍କୁ ଏହା ବିରୋଧରେ ମୁହଁ ଖୋଲିବାକୁ ଆହ୍ୱାନ କରିଛନ୍ତି । ଶ୍ରୀମୟୀ କହିଛନ୍ତି ଯେ ଯେଉଁ ନେତାମାନେ ଦିନେ ବିଜୁ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ବୋଲି ଦାବି କରୁଥିଲେ, ଆଉ ବିଜୁବାବୁଙ୍କ ସମୟରୁ ରାଜନୀତି କରୁଛୁ ବୋଲି ଗର୍ବ କରୁଥିଲେ, ଆମମାନଙ୍କୁ ବିଜୁବାବୁଙ୍କ ଆଦର୍ଶର କଥା କହୁଥିଲେ ସେହି ଆଗଧାଡ଼ିର ନେତାମାନେ ଆଜି ନିରବ କାହିଁକି ? ବିଜୁବାବୁଙ୍କ ନାମରେ ଗଠିତ ରାଜନୀତିକ ଦଳରେ ରହି ନିଜ ସ୍ଵାଭିମାନ ଓ ଆଦର୍ଶ ସହ ସାଲିସ୍ କ'ଣ ପାଇଁ କରାଯାଉଛି ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀମୟୀ । ଏବେ ପୁଣି କେଉଁ ଭୟ ଘାରିଛି ? ଦଳର ଦୟନୀୟ ସ୍ଥିତି ପରେ ମଧ୍ୟ ସୁଧାରିବା ପାଇଁ ମୁହଁ ଖୋଲିବାକୁ ଡର କାହିଁକି ?
ସେହିପରି ଶ୍ରୀମୟୀ ଆହୁରି ଲେଖିଛନ୍ତି, କିଛି ନେତା ତ କେବଳ ମୁଣ୍ଡ ବିକ୍ରି କରି ଚୁପ୍ ରହିନାହାନ୍ତି ବରଂ ତାମିଲ ଆଦର୍ଶକୁ ସୁହାଇଲା ଭଳି ଆଚରଣ ବି କରୁଛନ୍ତି । ତାମିଲ ବୋହୂ ହାତରେ ଦଳକୁ ଟେକି ଦେବା ପାଇଁ ଏବେ ସଂଘବଦ୍ଧ ରଣନୀତି ଆରମ୍ଭ କରିଦେଇଛନ୍ତି । ୟେ କ’ଣ ଆପଣମାନଙ୍କର ବିଜୁ ଆଦର୍ଶ ବୋଲି ସେ ପ୍ରଶ୍ନ କରିଛନ୍ତି ।
ଅଧିକ ପଢ଼ନ୍ତୁ:- ବିହାରରେ ଅପରର୍ତ୍ତିତ ରହିଲେ ନେତା: ନୀତୀଶଙ୍କ ନାମରେ ମୋହର ମାରିଲା ଜେଡିୟୁ, ସମ୍ରାଟ ଓ ବିଜୟ ସିହ୍ନାଙ୍କୁ ବାଛିଲା ବିଜେପି
ଖାଲି ସେତିକି ନୁହେଁ ଦଳୀୟ ବ୍ୟାନରରୁ ବିଜୁ ବାବୁଙ୍କ ଫଟୋକୁ ହଟାଇବାକୁ ନେଇ ମଧ୍ୟ କ୍ଷୋଭ ପ୍ରକାଶ କରିଛନ୍ତି ଶ୍ରୀମୟୀ । ସେ କହିଛନ୍ତି ଯେ ୨୦୨୪ ନିର୍ବାଚନରେ ଦଳୀୟ ବ୍ୟାନରରୁ ବିଜୁବାବୁଙ୍କୁ ହଟାଇ ତାମିଲ୍ ଜ୍ଵାଇଁ ଫଟୋକୁ ସ୍ଥାନ ଦେବାର ପରିଣାମ ତ ରାଜ୍ୟବାସୀ ଦେଇସାରିଛନ୍ତି । ଯେଉଁଥିପାଇଁ ୨୪ବର୍ଷର ସରକାର ପଳାଇଲା। ତଥାପି ଚେତା ପଶିଲା ନାହିଁ, ସେହି ଭଣ୍ଡ ସନ୍ୟାସୀର ଚାଟୁକାର ହୋଇ ସାଲିସ୍ କଲ, ଆଉ ନୂଆପଡ଼ାବାସୀ ବି କଡ଼ା ଜବାବ ଦେଲେ। ତୃତୀୟ ସ୍ଥାନକୁ ଖସାଇ ଦେଲେ। ତଥାପି ଏହାର ସମୀକ୍ଷା ଦଳସ୍ତରରେ ହେଲା ନାହିଁ । ଏହା ସମସ୍ତ ପରେ ମଧ୍ୟ ତାମିଲ ମୋହ ତୁଟୁନି। ଡିସେମ୍ବର ୨୬ ପ୍ରତିଷ୍ଠା ଦିବସ ପୂର୍ବରୁ ଚାଟୁକାର ଗୋଷ୍ଠୀ ଦଳର ନେତୃତ୍ୱ ତାମିଲଙ୍କୁ ଟେକି ଦେବାର ଚକ୍ରାନ୍ତ ଆରମ୍ଭ କରିଦେଲେଣି ବୋଲି ଦୃଢ଼ତାର ସହ କହିଛନ୍ତି ଶ୍ରୀମୟୀ । ତେବେ ଶ୍ରୀମୟୀ ଅନେକ ଆରୋପ ପ୍ରତ୍ୟାରୋପ ପରେ ମଧ୍ୟ ବିଜେଡ଼ି ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ ।