ମୁମ୍ବାଇ: ବିଶ୍ୱ କପ୍ ଜିତିବା ପରେ ଏବେ ସବୁଆଡ଼େ ମହିଳା କ୍ରିକେଟ୍ ଟିମର ଚର୍ଚ୍ଚା ହେଉଛି । ତେବେ ଏହି ଚର୍ଚ୍ଚା ମଧ୍ୟରେ ଆଉ ଏକ ଖୁସି ଖବର ଆସିଛି । ଭାରତୀୟ ମହିଳା କ୍ରିକେଟ ଦଳର ପୂର୍ବତନ ଅଧିନାୟିକା ତଥା ବ୍ୟାଟର୍ ସ୍ମୃତି ମାନ୍ଧାନା ଖୁବ ଶୀଘ୍ର ହାତକୁ ଦୁଇ ହାତ ହେବାକୁ ଯାଉଛନ୍ତି । ସେ ପ୍ରସିଦ୍ଧ ଗାୟିକା ପଲକ ମୁଚ୍ଚାଲଙ୍କ ଭାଇ ତଥା ସଙ୍ଗୀତକାର ଏବଂ ଚଳଚ୍ଚିତ୍ର ନିର୍ମାତା ପଲାଶ ମୁଚ୍ଚାଲଙ୍କୁ ବିବାହ କରିବାକୁ ଯାଉଛନ୍ତି । ଉଭୟଙ୍କର ନିକଟରେ ନିର୍ବନ୍ଧ ଶେଷ ହୋଇଥିବା ଜଣାପଡ଼ିଛି । ନିଜେ ସ୍ମୃତି ଏକ ଭିଡ଼ିଓ ଜରିଆରେ ଖବର ଦେଇଛନ୍ତି ।
ସ୍ମୃତି ସୋସିଆଲ୍ ମିଡ଼ିଆ ‘ଇନଷ୍ଟାଗ୍ରାମ୍’ରେ ଭିଡ଼ିଓ ପୋଷ୍ଟ କରି ଏକ ଭିନ୍ନ ଶୈଳୀରେ ନିଜର ନିର୍ବନ୍ଧର ଖବର ପ୍ରଶଂସକମାନଙ୍କୁ ଦେଇଛନ୍ତି । ନିଜର ଅନ୍ୟ ସହ ଖେଳାଳିଙ୍କ ସହିତ ନାଚୁଛନ୍ତି, ସମସ୍ତେ କହୁଛନ୍ତି କଣ ହୋଇଛି ଏବଂ ଶେଷରେ ସ୍ମୃତି ନିଜର ନିର୍ବନ୍ଧ ମୁଦି ଦେଖାଉଛନ୍ତି । ଯାହାକି ତାଙ୍କର ନିର୍ବନ୍ଧ ସରିଥିବା ଅନୁମାନ କରାଯାଉଛି ।
ପଲାଶ ଏବଂ ସ୍ମୃତିଙ୍କ ମଧ୍ୟରେ ଦୀର୍ଘ ବର୍ଷ ହେବ ପ୍ରେମ ସମ୍ପର୍କ ରହିଆସିଛି । ଉଭୟଙ୍କୁ ଅନେକ ସମୟରେ ଏକାଠି ଦେଖିବାକୁ ମିଳିଥାଏ । ପଲାଶଙ୍କ ଭଉଣୀ ପଲକଙ୍କ ବିବାହ ଉତ୍ସବରେ ମଧ୍ୟ ସ୍ମୃତି ଯୋଗ ଦେଇଥିଲେ । ନିକଟରେ କ୍ରିକେଟ୍ ବିଶ୍ୱ କପ୍ ଫାଇନାଲ ମ୍ୟାଚରେ ମଧ୍ୟ ପଲାଶଙ୍କ ସହିତ ତାଙ୍କର ପୂରା ପରିବାରଙ୍କୁ ଦେଖିବାକୁ ମିଳିଥିଲା । ମ୍ୟାଚ୍ ଜିତିବା ପରେ ପଲାଶ ତାଙ୍କ ପାଖକୁ ଆସି ଜାତୀୟ ପତାକା ଧରାଇଥିଲେ ଏବଂ ଉଭୟ ଫଟୋ ମଧ୍ୟ ଉଠାଇଥିଲେ । ଏହା ପରେ ପୁରା କ୍ରିକେଟ ଟିମକୁ ପଲାଶ ନିଜ ଘରକୁ ମଧ୍ୟ ନିମନ୍ତ୍ରଣ କରି ସମ୍ବର୍ଦ୍ଧିତ କରିଥିଲେ ।