ନୂଆଦିଲ୍ଲୀ: ଥାଇଲାଣ୍ଡର ବ୍ୟାଙ୍ଗକକରେ ଆୟୋଜିତ ୭୪ତମ ବିଶ୍ୱ ସୁନ୍ଦରୀ-୨୦୨୫ ପ୍ରତିଯୋଗିତାରେ ମେକ୍ସିକୋ ସୁନ୍ଦରୀ ବାଜି ମାରି ନେଇଛନ୍ତି । ମେକ୍ସିକୋର ଫାତିମା ବୋଶ୍ ଚଳିତ ବର୍ଷ ପାଇଁ ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତାର ବିଜୟୀ ହୋଇଛନ୍ତି । ୨୦୨୪ର ବିଶ୍ୱ ସୁନ୍ଦରୀ ଡେନମାର୍କର ଭିକ୍ଟୋରିଆ କେଜର୍ ଥେଲବିଗ୍ ବିଶ୍ୱ ସୁନ୍ଦରୀ ମୁକୁଟ ପିନ୍ଧାଇଛନ୍ତି ।
ଅନ୍ତିମ ମୁକାବିଲା ବେଶ ରୋମାଞ୍ଚକ ଥିଲା । ଫାତିମା ନିଜର ଶେଷ ଗାଉନ ପିନ୍ଧି ମଞ୍ଚ ଉପରକୁ ଆସିଥିଲେ । ଯେତେବେଳେ ତାଙ୍କ ନାମ ଘୋଷଣା କରାଯାଇଥିଲା, ସେତେବେଳେ ସେ ଖୁସିରେ ବିଭୋର ହୋଇଯାଇଥିଲେ । ବର୍ଷ ବର୍ଷର କଠିନ ପରିଶ୍ରମ ପରେ ସେ ଏହି ମୁକୁଟ ପିନ୍ଧିବାରେ ସଫଳ ହୋଇଛନ୍ତି । ବିଚାରକ ମଣ୍ଡଳୀର ଅନ୍ତିମ ପ୍ରଶ୍ନରେ ସେ ସମସ୍ତଙ୍କ ମନ କିଣି ନେଇଥିଲେ । ଫାତିମାଙ୍କୁ ଶେଷ ପ୍ରଶ୍ନରେ ପଚରାଯାଇଥିଲା, ଆପଣଙ୍କ ହିସାବରେ ୨୦୨୫ ବର୍ଷର ଏକ ମହିଳାଭାବରେ କଣ ଚ୍ୟାଲେଞ୍ଜ ରହିଛି ଏବଂ ଆପଣ ବିଶ୍ୱ ସୁନ୍ଦରୀ ମୁକୁଟର ବ୍ୟବହାର ବିଶ୍ୱର ମହିଳାଙ୍କ ସୁରକ୍ଷା ପାଇଁ କେମିତି କାମ କରିବେ ? ଫାତିମା ଉତ୍ତର ରଖିଥିଲେ, “ଜଣେ ମହିଳା ଏବଂ ବିଶ୍ୱ ସୁନ୍ଦରୀଭାବରେ, ମୁଁ ଅନ୍ୟମାନଙ୍କର ସେବା ପାଇଁ ମୋର ସ୍ୱର ଏବଂ ଶକ୍ତି ବ୍ୟବହାର କରିବି କାରଣ ଆଜିକାଲି ଆମେ ଏଠାରେ କଥା ହେବା, ପରିବର୍ତ୍ତନ ଆଣିବା ଏବଂ ସବୁକିଛି ଦେଖିବା ପାଇଁ ଅଛୁ କାରଣ ଆମେ ମହିଳା ଏବଂ ସେହି ସାହସୀ ଲୋକମାନେ ଯେଉଁମାନେ ଠିଆ ହେବେ ସେମାନେ ଇତିହାସ ରଚିବେ ।”
ବିଶ୍ୱ ସୁନ୍ଦରୀ-୨୦୨୫ର ବିଷୟବସ୍ତୁ ଥିଲା \"ପ୍ରେମର ଶକ୍ତି\" । ଏଥିରେ ୧୨୧ଟି ଦେଶର ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି। ଏହି ବର୍ଷ ସାଉଦି ଆରବ, ପାଲେଷ୍ଟାଇନ ଏବଂ ମୋଜାମ୍ବିକ ସମେତ ଅନେକ ରାଷ୍ଟ୍ର ପ୍ରଥମ ଥର ପାଇଁ ଅଂଶଗ୍ରହଣ କରିଥିଲେ। ସେହିପରି ଭାରତରୁ ମନିକା ବିଶ୍ୱକର୍ମା ଚଳିତ ବର୍ଷ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । କିନ୍ତୁ ମନିକା ଶ୍ରେଷ୍ଠ ୧୨କୁ ଅତିକ୍ରମ କରିପାରି ନଥିଲେ । ୨୦୨୧ ହରନାଜ ସନ୍ଧୁ ଶେଷ ଥର ପାଇଁ ଭାରତ ପାଇଁ ବିଶ୍ୱ ସୁନ୍ଦରୀ ମୁକୁଟ ପିନ୍ଧିଥିଲେ । ସେବେଠାରୁ ଭାରତ ଏହି ମୁକୁଟ ହାତେଇବାରେ ବିଫଳ ହେଉଛି ।