ନୀଳଗିରି: ହଜିଯାଇଛି ମାନବିକତା । ଫୁଲ ଚୋରି ରୋକିବାକୁ ବିଛାଇଥିଲେ ବିଦ୍ୟୁତ ତାର । ଆଉ ଫୁଲ ତୋଳିବାକୁ ଯାଇ ଜଣେ ଯୁବକ ପ୍ରାଣ ହରାଇଛନ୍ତି । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନୀଳଗିରି ଏନଏସି ଅନ୍ତର୍ଗତ ସାନଅତା ଗ୍ରାମରେ । ମୃତ ଯୁବକ ଜଣକ ହେଲେ ସେହି ଗ୍ରାମର ତାପସ ଦାସ ।
ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ସାନଅତା ଗ୍ରାମରେ ଜଣେ ବ୍ୟକ୍ତି ଫୁଲ ଚୋରି ରୋକିବାକୁ ବିଦ୍ୟୁତ ତାର ବିଛାଇଥିଲେ । ଆଜି ସକାଳୁ ତାପସ ଦାସ ଫୁଲ ତୋଳିବାକୁ ଯାଇଥିବାବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ । ଫଳରେ ସେହିଠାରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ।
ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ସାମାନ୍ୟ ଫୁଲ ପାଇଁ ଜଣେ ଏପରି ମାନବିକତା ହରାଇବା ତାହା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ଏହା ଏକ ଯୋଜନା ବଦ୍ଧ ହତ୍ୟା କାଣ୍ଡ । ତେଣୁ ଉକ୍ତ ଘର ମାଲିକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି । ଏ ନେଇ ଗ୍ରାମବାସୀ ପୋଲିସକୁ ଖବର ଦେଇଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଁଚି ମୃତ ଦେହକୁ ଜବତ କରିଥିବାବେଳେ ଘର ମାଲିକ ଫେରାର ଥିବା ଜଣାପଡ଼ିଛି ।